ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଉତ୍ତେଜନା : ଅପରେସନ ପରେ ଶିଶୁକନ୍ୟାର ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଅପରେସନ୍ ଯୋଗୁଁ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକ ମୃତଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି।

ବସ୍ତା ଥାନା ମୁକୁଳିସି ଅଞ୍ଚଳର ଶିଆଳିପଦା ଗ୍ରାମର ସୁଶାନ୍ତ ରାଉତଙ୍କ ୪ ବର୍ଷୀୟ ଝିଅ ଲକ୍ଷ୍ମୀପ୍ରିୟାଙ୍କର ବାମ ଆଖିପତା ଉପର କପାଳରେ ଏକ ଆବୁ ବାହାରିଥିଲା। ସପ୍ତାହେ ପୂର୍ବରୁ ତାଙ୍କୁ ଆଣି ଜିଲ୍ଲା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଦେଖାଇବା ପରେ ସେ ତାହା ଅପରେସନ୍‌ କରିବାକୁ କହିଥିଲେ। ‌ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗତକାଲି ପୂର୍ବାହ୍ନରେ ସୁଶାନ୍ତ ଝିଅକୁ ଆଣି ଜିଲ୍ଲା ହସ୍ପିଟାଲର ଭର୍ତ୍ତି କରିଥିଲେ। ତା’ ପରେ ଅପରେସନ୍‌ ଥିଏଟରକୁ ନିଆଯାଇ ଦିନ ପ୍ରାୟ ୧ଟା ସମୟରେ ତାକୁ ନିଶ୍ଚେତକ ଇଞ୍ଜେକ୍‌ସନ୍ ଦେଇ ଡା. ନାରାୟଣ ଚନ୍ଦ୍ର ବେହେରା ଅପରେସନ କରିଥିଲେ। ଅପରେସନ୍‌ ପରେ ଲକ୍ଷ୍ମୀପ୍ରିୟାଙ୍କର ଆଉ ଚେତା ଆସିଲା ନାହିଁ। ଏହାପରେ ଶିଶୁ ୱାର୍ଡରେ ଥିବା ବିଭାଗୀୟ ଡା. ଶିଶୁଟିର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରି ତୁରନ୍ତ କଟକ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ୧୦୮ ଆମ୍ବୁଲାନ୍ସକୁ ସେମାନେ ଯେତେ ଫୋନ୍‌ କରିଥିଲେ ବି ସମାନ ଅବହେଳା ଦେଖାଯାଇଥିଲା। ସେହି ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବା ନେଇ ତାଙ୍କୁ ଜଣାଯିବା ପରେ ବାଧ୍ୟ ହୋଇ ଘରୋଇ ଆମ୍ବୁଲାନ୍ସ ଶିଶୁକନ୍ୟାଟିକୁ ପରିବାର ଲୋକେ କଟକ ନେଇଯାଉଥିଲେ। କିନ୍ତୁ ଯିବା ବାଟରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ଶିଶୁକନ୍ୟାଟି ଆଖି ବୁଜି ଦେଇଥିଲା।

ଏହାପରେ ଶିଶୁକନ୍ୟାର ଶବକୁ ନେଇ ପରିବାର ଲୋକେ ଜିଲ୍ଲା ହସ୍ପିଟାଲକୁ ଫେରିଥିଲେ। ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କ ଝିଅର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ଜିଲ୍ଲା ହସ୍ପିଟାଲରେ ପ୍ରକୃତରେ ଡାକ୍ତରଙ୍କ ଅବହେଳା କରାଯାଉଥିବା ଅଭିଯୋଗ କରି ମୃତକଙ୍କ ପରିବାର ସହ ହସ୍ପିଟାଲକୁ ଆସିଥିବା ବହୁ ରୋଗୀ ପରିବାର ଏକତ୍ରିତ ହୋଇ ହୋ-ହଲ୍ଲା କରିଥିଲେ। ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଲୋକ ହସ୍ପିଟାଲ ଫାଟକ ସମ୍ମୁଖରେ ରାସ୍ତାରେ ମୃତ ଶିଶୁକନ୍ୟାର ଶବ ରଖି ଅବରୋଧ କରିଥିଲେ। ଫଳରେ ଆମ୍ବୁଲାନ୍ସ ଓ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର