ଶିଶୁ ମୃତ୍ୟୁକୁ ନେଇ ହଙ୍ଗାମା

ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ

ଅପରେସନ୍‌ ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ

ବାଲେଶ୍ୱର : ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁକୁ ନେଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଆଜି ହଙ୍ଗାମା ହୋଇଛି। ଅପରେସନ ପାଇଁ ଲାଂଚ ନେଲେ, ଅଥଚ ନବଜାତ ଶିଶୁର ଉଚିତ୍‌ ଚିକିତ୍ସା କଲେନି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସୋର ବ୍ଲକ୍‌ ମାଣିପୁର ପଞ୍ଚାୟତ ବେହେରଣପୁର ଗାଁର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ପତ୍ନୀ ଝୁନୁଲତା ପ୍ରସବ ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତି ହୋଇଥିଲେ। ୬ ତାରିଖ ସକାଳେ ସିଜରିଂ ପରେ ତାଙ୍କର ଶିଶୁପୁତ୍ର ଜନ୍ମ ହୋଇଥିଲା। ଜନ୍ମ ପରେ ଶିଶୁଟି ଠିକ୍‌ ଭାବେ ଖାଦ୍ୟ ଖାଉ ନଥିବାରୁ ପରିବାର ଲୋକେ ଡାକ୍ତରଙ୍କୁ ଜଣାଇଥିଲେ। ହେଲେ ଡାକ୍ତର ଏହାକୁ ଗୁରୁତ୍ୱ ଦେଇ ନଥିଲେ। ଗତ ରାତିରେ ଯନ୍ତ୍ରଣା ହେବାରୁ ଶିଶୁଟି ଜୋରରେ କାନ୍ଦିବା ନେଇ ପୁଣି ଡାକ୍ତରଙ୍କୁ ଜଣାଇଲେ। ହେଲେ ଦାୟିତ୍ୱରେ ଥିବା ଡାକ୍ତର ସୁବୋଧ ବେଜ ସେମାନଙ୍କ କଥା ଶୁଣି ନଥିଲେ। ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ଓାର୍ଡରୁ ଶିଶୁଟିକୁ ଡାକ୍ତରଙ୍କ କେବିନକୁ ନେଇଯାଇଥିଲେ। ହେଲେ ସେତେବେଳକୁ ଶିଶୁର ମୃତ୍ୟୁ ହୋଇସାରିଥିଲା।

ରାତି ୧୨ଟା ପାଖରୁ ଭୋର ୪ଟା ପର୍ଯ୍ୟନ୍ତ ଶିଶୁଟି ଯନ୍ତ୍ରଣାରେ କାନ୍ଦୁଥିଲେ ବି ଡାକ୍ତର ଭୃକ୍ଷେପ ନକରିବାରୁ ଏ ଅବସ୍ଥା ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଏମିତି କି ପତ୍ନୀଙ୍କ ସିଜରିଂ ପାଇଁ ଡାକ୍ତର ଓ ଆଶା କର୍ମୀ ରାଜେନ୍ଦ୍ରଙ୍କ ଠାରୁ ୧୪ଶହ ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ କରିବା ସହ ଡାକ୍ତରଙ୍କ ଅବହେଳାରୁ ନବଜାତ ଶିଶୁର ପ୍ରାଣ ଗଲା ବୋଲି ଚିତ୍କାର କରି କହିଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିଥିଲେ। ଫଳରେ ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ପରିବାର ଲୋକେ ଏନେଇ ସିଡିଏମଓଙ୍କୁ ଦେଖା କରିବା ପାଇଁ ଚାହିଁଥିଲେ ମଧ୍ୟ ସିଡିଏମଓ କୋଠରୀ ଭିତରୁ ବାହାରି ନଥିଲେ। ଉତ୍ତେଜିତ ଲୋକେ ଏଡିଏମଓ (ମେଡିକାଲ) ଡା. ଶଶାଙ୍କ ଶେଖର ଚୌଧୁରୀଙ୍କୁ ଭେଟି ଏନେଇ ଅଭିଯୋଗ କରିଥିଲେ।

ଏଡିଏମଓ ଶ୍ରୀ ଚୌଧୁରୀ ସବୁ ଶୁଣିବା ପରେ ପ୍ରମାଣ ମିଳିଲେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ପରିବାରଠୁ ନେଇଥିବା ୧୪ଶହ ଟଙ୍କା ଫେରାଇବା, ମା’କୁ ସତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇଦେବା ଓ ମୃତ ଶିଶୁକୁ ଘରେ ପହଞ୍ଚାଇବାର ସୁବନ୍ଦୋବସ୍ତ ମେଡିକାଲ ପ୍ରଶାସନ କରିବ ବୋଲି କହିବା ପରେ ପରିସ୍ଥିତି କିଛିଟା ଶାନ୍ତ ପଡ଼ିଥିଲା। ସୂଚନା ଯୋଗ୍ୟ, ରାଜେନ୍ଦ୍ରଙ୍କର ଏକମାତ୍ର ଝିଅ ଅଛି। ପତ୍ନୀ ଝୁନୁଲତା ପୁଅ ଜନ୍ମ ପରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇ ସାରିଛନ୍ତି। ଫଳରେ ଏହି ଘଟଣାରେ ପରିବାର ଲୋକେ ମାନସିକ ସ୍ତରରେ ଭାଙ୍ଗି ପଡ଼ିବା ସହ ଚିକିତ୍ସା ଅବହେଳା ପାଇଁ ମେଡିକାଲ ପ୍ରଶାସନକୁ ଦାୟି କରିଛନ୍ତି।

ସମ୍ବନ୍ଧିତ ଖବର