ବାଲେଶ୍ବର ବଡ଼ ଡାକ୍ତରଖାନାରେ ଉତ୍ତେଜନା, ସୁରକ୍ଷା କର୍ମୀଙ୍କୁ ପିଟିଲେ ରୋଗୀ ସଂପର୍କୀୟ

ଅଭିଯୁକ୍ତ ଥାନାରେ ଅଟକ

ବାଲେଶ୍ବର: ବାଲେଶ୍ବର ବଡ଼ ଡାକ୍ତରଖାନାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ରୋଗୀଙ୍କ ସଂପର୍କୀୟ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ନେଇ ଡାକ୍ତରଖାନା ପରିସରରେ ବହୁ ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା। ଏନେଇ ସୁରକ୍ଷା କର୍ମୀ ଲିଖିତ ଅଭିଯୋଗ କରିବା ପରେ ଟାଉନ୍‌ ଥାନା ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

ସୂଚନା ମୁତାବକ, ସଦର ବ୍ଲକ ଟାଉନ୍‌ ଥାନା ଅନ୍ତର୍ଗତ ଆକତପୁର ଅଞ୍ଚଳର ସେକ୍‌ ସହିଉଦ୍ଦିନ(୬୫) ଗତକାଲି ମେଡିସିନ୍‌ ୱାର୍ଡର ୩ ନମ୍ବର ବେଡ୍‌ରେ ଆସି ଭର୍ତ୍ତି ହୋଇଥିଲେ। ଆଜି ସକାଳେ ଡାକ୍ତର ରାଉଣ୍ଡ ସମୟରେ ସୁରକ୍ଷା କର୍ମୀ ଏମ୍‌ଡି ସାବିର ୱାର୍ଡରେ ରୋଗୀ ପାଖରେ ଜଣେ ରହି ଅନ୍ୟମାନେ ବାହାରକୁ ବାହାରିଯିବା ପାଇଁ କହିଥିଲେ। ସହିଉଦ୍ଦିନଙ୍କ ପାଖରେ ଜଣେ ମହିଳା ଆଟେଣ୍ଡାଣ୍ଟ ଥିବା ବେଳେ ତାଙ୍କ ପୁଅ ସେକ୍‌ ସରିଫୁଦ୍ଦିନ(୨୬) ଏବଂ ଆଉ ଜଣେ ଭିତରକୁ ଯିବାକୁ ଚାହିଁଥିଲେ। ହେଲେ ସୁରକ୍ଷା କର୍ମୀ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। କିନ୍ତୁ ଏହାକୁ ନ ମାନି ସରିଫୁଦ୍ଦିନଙ୍କ ସହ ଆଉ ଜଣେ ଭିତରକୁ ଜୋରଜବରଦସ୍ତ ଯାଇଥିଲେ। ସୁରକ୍ଷା କର୍ମୀ ନ ଛାଡ଼ିବାରୁ ବାପା ସହିଉଦ୍ଦିନ ବିଛଣାରେ ପରିସ୍ରା କରିଦେଲେ କହି ପୁଅ ସରିଫୁଦ୍ଦିନ ଆସି ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିଥିଲେ। ଏମିତିକି ତାଙ୍କ ‌ସାର୍ଟକୁ ଧରି ଟଣାଓଟରା କରିବା ସହ ପିଟାମରା କରିଥିଲେ। ତାଙ୍କ ସହ ଅନ୍ୟମାନେ ମଧ୍ୟ ସୁରକ୍ଷା କର୍ମୀଙ୍କୁ ଘେରିଯାଇ ଗାଳିଗୁଲଜ କରିଥିଲେ। ସରିଫୁଦ୍ଦିନ ଫୋନ୍‌ କରି ଅନ୍ୟ ସଂପର୍କୀୟଙ୍କୁ ମଧ୍ୟ ଡାକ୍ତରଖାନାକୁ ଡାକି ଦେଇଥିଲେ।

ଡାକ୍ତରଖାନାର ଅନ୍ୟ ସୁରକ୍ଷା କର୍ମୀମାନେ ଘଟଣା ସଂପର୍କରେ ଜାଣିବାରୁ ଆସି ବିରୋଧ କରିଥି‌ଲେ। ବାରମ୍ବାର ସୁରକ୍ଷା କର୍ମୀଙ୍କୁ ମାଡ଼ ହେବାକୁ ନେଇ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ସମୟରେ ସରିଫୁଦ୍ଦିନଙ୍କ ଭଉଣୀମାନେ ଏବଂ ଅନ୍ୟ ସଂପର୍କୀୟ ଆସି ଡାକ୍ତରଖାନା ପରିସରରେ ପାଟିତୁଣ୍ଡ କରିଥିଲେ। ପୁଲିସ ସରିଫୁଦ୍ଦିନକୁ ଫାଣ୍ଡିକୁ ଆଣିଥିଲେ ଏବଂ ଘଟଣାକୁ ନିୟନ୍ତ୍ରଣ କରି‌ଥିଲେ ବି ପରିସ୍ଥିତି ନିୟନ୍ତ୍ରଣ ହୋଇନଥିଲା। ଫାଣ୍ଡି ସମ୍ମୁଖରେ ପାଖାପାଖି ଘଣ୍ଟାଏ ଧରି ଉତ୍ତେଜନା ହୋଇଥିଲା। ପରେ ଉଭୟ ପକ୍ଷକୁ ଡାକି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଆପୋ‌ଷ ସମାଧାନ କରିବାକୁ ଚେ‌ଷ୍ଟା କରିଥିଲେ।

ସୁରକ୍ଷା କର୍ମୀ ଜଣକ ଲିଖିତ ଅଭିଯୋଗ କରିବା ସହ କ୍ଷତିପୂରଣ ବାବଦକୁ ୧୦ ହଜାର ଟଙ୍କା ଦାବି କରିଥିଲେ। ହେଲେ ଏଥିରେ ସରିଫୁଦ୍ଦିନ ରାଜି ହୋଇନଥିଲେ। ଏମିତି ଦିନ ୨ଟା ପର୍ଯ୍ୟନ୍ତ ଘଟଣାର ସମାଧାନ ନ ହେବାରୁ ଟାଉନ୍‌ ଥାନା ପୁଲିସ ସରିଫୁଦ୍ଦିନ୍‌କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି। ସେପଟେ ସରିଫୁଦ୍ଦିନଙ୍କ ବାପା ଗୁରୁତର ହେବାରୁ କଟକ ରେଫର୍‌ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର