ସୁନା ଯାଞ୍ଚ କରି ବିବାଦରେ କଷ୍ଟମ ଅଧିକାରୀ : ବିମାନବନ୍ଦରରେ ଉତ୍ତେଜନା, ତଦନ୍ତ ନିର୍ଦ୍ଦେଶ ଦେଲେ କମିସନର

ଭୁବନେଶ୍ୱର : ସୁନା ନେଇ ଆସୁଥିବା ଜଣେ ବିମାନ ଯାତ୍ରୀଙ୍କୁ ଯାଞ୍ଚ କରି ବିବାଦକୁ ଆସିଛନ୍ତି ଏୟାର କଷ୍ଟମସ୍‌ ଉଇଙ୍ଗ୍‌ର ଅଧିକାରୀ। ଜଣେ ଯାତ୍ରୀଙ୍କୁ ଯାଞ୍ଚ କରି ତାଙ୍କଠାରୁ କଷ୍ଟମ ଡ୍ୟୁଟି ବାବଦକୁ ଆଦାୟ କରିଥିବା ୪ ହଜାର ଟଙ୍କାକୁ ପରେ ଫେରାଇଛନ୍ତି। କଷ୍ଟମ ଡ୍ୟୁଟି ସରକାରଙ୍କ ହୋଇଥିବା ବେଳେ ଅଧିକାରୀଜଣକ କିଭଳି ଫେରାଇଲେ, ସେନେଇ ତନାଘନା ଆରମ୍ଭ ହୋଇଛି। ଏହା କଷ୍ଟମ୍‌ ଡ୍ୟୁଟି ନୁହେଁ, ବରଂ ଲାଞ୍ଚ ନେଉଥିଲେ, ଘଟଣା ପଦାକୁ ଆସିଯିବାରୁ ବାଧ୍ୟ ହୋଇ ଫେରାଇଛନ୍ତି ବୋଲି ଅଭିଯୋଗ ହୋଇଛି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କଷ୍ଟମ୍‌ସ୍‌ କମିସନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବିଜୁ ପଟ୍ଟନାୟକ ବିମାନବନ୍ଦରରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କୁ ଆସନ୍ତାକାଲି କମିସନର କାର୍ଯ୍ୟାଳୟକୁ ଡାକିଛନ୍ତି। କେଉଁ ପରିସ୍ଥିତିରେ ଏହି ସରକାରୀ ଅର୍ଥ ଫେରାଗଲା, ଏହା ସରକାରୀ ଅର୍ଥ ନା ଅଧିକାରୀଙ୍କ ପକେଟ୍‌କୁ ଯାଉଥିଲା, ସେ ନେଇ ସିଧାସଳଖ ଉତ୍ତର ରଖିବେ ସମ୍ପୃକ୍ତ ଅଧିକାରୀ। ସେଠାରେ ଉପସ୍ଥିତ ଅନ୍ୟ ସମସ୍ତ ଅଧିକାରୀ ସାକ୍ଷୀ ଦେବେ।

ଅଭିଯୋଗ ମୁତାବକ, କେରଳର କୁପୁସ୍ବାମୀ ନାଗରାଜନ୍‌ ନାମକ ଜଣେ ଯାତ୍ରୀ ଏୟାର ଇଣ୍ଡିଆର ଏକ ବିମାନ ଯୋଗେ ଗତକାଲି ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଆସିଥିଲେ। ରାତି ପ୍ରାୟ ୧୨ଟା ବେଳେ ସେ ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ଏୟାର କଷ୍ଟମସ୍‌ ଉଇଙ୍ଗ୍‌ର ଅଧିକାରୀମାନେ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ୧୫ ଗ୍ରାମ୍‌ର ସୁନା ବାହାରିଥିଲ‌ା। ଯାତ୍ରୀଜଣଙ୍କ ଏହି ସୁନା ବ୍ୟାଙ୍କକ୍‌ରୁ କିଣିଥିବା ବିଲ୍‌ ଦେଖାଇଥିଲେ। ତେଣୁ ନିୟମ ଅନୁଯାୟୀ, ଏୟାର କଷ୍ଟମସ୍‌ ଉଇଙ୍ଗ ଅଧିକାରୀ ତାଙ୍କଠାରୁ ସୀମା ଶୁଳ୍କ ବାବଦକୁ ଟଙ୍କା ଆଦାୟ କରି ଛାଡ଼ିଦେବା କଥା। ସୁନା ମୂଲ୍ୟାୟନ କରାଯିବା ପରେ ଏହାର ମୂଲ୍ୟ ୫୧ହଜାର ଧାର୍ଯ୍ୟ ହୋଇଥିଲା। ଏଣୁ ଏହାର ସୀମା ଶୁଳ୍କ ବାବଦକୁ ୧୦ ପ୍ରତିଶତ ଅର୍ଥାତ୍‌ ୫ ହଜାର ଶହେ ଟଙ୍କା ଅଧିକାରୀ ଦାବି କରିଥିଲେ। କିନ୍ତୁ ସଂପୃକ୍ତ ଯାତ୍ରୀ ଜଣଙ୍କ ତାଙ୍କ ପାଖରେ ୪ ହଜାର ଟଙ୍କା ଥିବା କହିବାରୁ ଅଧିକାରୀମାନେ ସେତିକି ଟଙ୍କା ରଖି ତାଙ୍କୁ ଛାଡ଼ି ଦେଇଥିଲେ। କିନ୍ତୁ ଯାତ୍ରୀଜଣଙ୍କ ବାହାରକୁ ଆସିବା ପରେ ହୋ-ହଲ୍ଲା କରିଥିଲେ। ଯଦି ସୀମାଶୁଳ୍କ ୫ହଜାର ଶହେ ତେବେ ଅଧିକାରୀ ୪ ହଜାର କେମିତି ରଖିଲେ? ଯଦି ରଖିଲେ ତେବେ ଏହା ଲାଞ୍ଚ, ସରକାରୀ ଖାତାକୁ ଯିବନାହିଁ ଅଧିକାରୀଙ୍କ ପକେଟ୍‌କୁ ଯିବ ବୋଲି ଜୋରଜୋର୍‌ରେ ପାଟିତୁଣ୍ଡ କରିବାରୁ କାର୍ଯ୍ୟରତ ସିଆଇଏସ୍‌ଏଫ୍‌ର କର୍ମଚାରୀମାନେ ହସ୍ତକ୍ଷେପ କରିଥିଲେ। ପୁଣିଥରେ ସେମାନେ ଏହି କଷ୍ଟମ୍‌ ଉଇଙ୍ଗ୍‌ର କାର୍ଯ୍ୟାଳୟକୁ ଯାଇଥିଲେ। ଅଧିକାରୀମାନେ ତାଙ୍କୁ ତାଙ୍କ ୪ ହଜାର ଟଙ୍କା ଫେରାଇ ଦେଇଥିଲେ। ଘଟଣାର ଜୋର୍‌ଦାର ଚର୍ଚ୍ଚା ହୋଇଥିଲା।

ବିଗତ ଦିନମାନଙ୍କରେ ଏହି ଉଇଙ୍ଗ୍‌ ଲକ୍ଷ ଲକ୍ଷ ଟଙ୍କାର ସୁନା ଜବତ କରି ରେକର୍ଡ କରିଛି। ଏଭଳି ଲାଞ୍ଚ ଅଭିଯୋଗ ପରେ ଘଟଣାକୁ ନେଇ ଜୋରଦାର୍‌ ଚର୍ଚ୍ଚା ହୋଇଛି। ଅପରପକ୍ଷେ ଏଠାରେ କେତେକ ଅଧିକାରୀମାନଙ୍କ ଏଭଳି ଆଚରଣର ଅଭିଯୋଗ ହେବା ପରେ ଦଣ୍ଡ ମୁତାବକ ତିନିଜଣ ଅଧିକାରୀଙ୍କୁ ନିକଟ ଅତୀତରେ ଏଠାରୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ଏହି ମାମଲାର ତଦନ୍ତ ପାଇଁ ଆୟୁକ୍ତ ସମସ୍ତ ଅଧିକାରୀଙ୍କୁ ମୁଖ୍ୟାଳୟକୁ ଡାକିଛନ୍ତି।

ସମ୍ବନ୍ଧିତ ଖବର