କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସା ଅବହେଳା ଅଭିଯୋଗ: ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ ସମ୍ମୁଖରେ ତୀବ୍ର ଉତ୍ତେଜନା

ସମ୍ବଲପୁର : ଚିକିତ୍ସା ଅବହେଳାକୁ ନେଇ ଶନିବାର ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ ସମ୍ମୁଖରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆମ ରୋଗୀଙ୍କୁ ଛାଡ଼ି ଦିଅ ବୋଲି କହୁଥିବା ଦେଖିବାକୁ ମିଳିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, କଳାହାଣ୍ଡିର ଜଣେ ବ୍ୟକ୍ତି ଭଲ ଚିକିତ୍ସା ମିଳିବା ଆଶାରେ ତାଙ୍କ ବାପା-ମାଆ ଦୁଇଜଣଙ୍କୁ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ଶୁକ୍ରବାର ଭର୍ତ୍ତି କରିଥିଲେ। ତେବେ ତାଙ୍କ ବାପା ମାଆଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନଥିବା ସେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପାମାଆଙ୍କୁ ଅକ୍‌ସିଜେନ୍‌ ଲଗାଯିବା କଥା, କିନ୍ତୁ ଲଗାଗଲା ନାହିଁ। ପଚାରିବାରୁ ‘ହଁ’ ଲଗାଯାଇଛି ବୋଲି କହାଗଲା। କିନ୍ତୁ ସେ ତାଙ୍କ ବାପାଙ୍କୁ ଫୋନ୍‌ କରିବାରୁ ଅକ୍‌ସିଜେନ୍‌ ଲଗାଯାଇନଥିବା ଓ କୌଣସି ମେଡିସିନ୍‌ ଦିଆଯାଇ ନଥିବା ଜାଣିବାକୁ ପାଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତକାଲି ରାତି ୨ଟା ବେଳେ ବହୁତ କଷ୍ଟ ଅନୁଭବ କରିଥିଲେ। ସେ ତାଙ୍କ ପୁଅ ଫୋନ୍‌ କରି ଏଠାରୁ ନେଇଯିବାକୁ କହିଥିଲେ। ଏହା ପରେ ସଂପୃକ୍ତ ବ୍ୟକ୍ତି ଜଣକ ଶନିବାର ତାଙ୍କ ବାପା ମାଆଙ୍କୁ ହସ୍ପିଟାଲରୁ ନେଇଯିବା ପାଇଁ ଲିଖିତ ଭାବରେ ଜଣାଇଥିଲେ। କିନ୍ତୁ, ଡିସ୍‌ଚାର୍ଜ କରାନଯିବାରୁ ସେ ତାଙ୍କର ଅନ୍ୟ ସଂପର୍କୀୟଙ୍କ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏଭଳି ଅନେକ ରୋଗୀଙ୍କ ସମ୍ପର୍କୀୟ ଶନିବାର ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ କରି କୋଭିଡ୍ ହସ୍ପିଟାଲ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଏ ଚିକିତ୍ସା ଅବହେଳା ତ ଆଉ କିଏ ନିଜ ସଂପର୍କୀୟ ରୋଗୀଙ୍କ ସହ ଭେଟ କରାଇ ‌ଦିଆଯାଉନଥିବା ଅଭିଯୋଗ କରିଥିଲେ। ବିକ୍ଷୋଭ ଚାଲିଥିବା ବେଳେ ୩ ଜଣ ରୋଗୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଖବର ଆସିଥିଲା। ଯାହା ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲା। ଶତାଧିକ ରୋଗୀଙ୍କ ସମ୍ପର୍କୀୟ ଲୋକ ଏକ ସଙ୍ଗେ ବିକ୍ଷୋଭ କରିଥିଲେ। ସ୍ଥିତି ଅସମ୍ଭାଳ ହେବାରୁ ବୁର୍ଲା ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଅଧିକାରୀମାନେ ବୁଝାସୁଝା କରାଯିବା ପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ପାଖାପାଖି ୩ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା।

ସମ୍ବନ୍ଧିତ ଖବର