ଧାମରାରେ ବିଦେଶୀ ଜାହାଜ ଲାଗିବାକୁ ନେଇ ଅସନ୍ତୋଷ, ପ୍ରତିବାଦରେ ଗେଟ୍‌ରେ ତାଲା ପକାଇଲେ ଲୋକେ

ଚାନ୍ଦବାଲି/ଧାମରା : ଧାମରା ବନ୍ଦରରେ ବିଦେଶୀ ଜାହାଜ ଲାଗିବାକୁ ନେଇ ଅସନ୍ତୋଷ। ଦୁଇଦିନ ତଳେ ଚୀନର ଏକ ଜାହାଜ ଲାଗିଥିଲା, ଯାହାକୁ ନେଇ ଶ୍ରମିକଙ୍କ ଭିତରେ ଅସନ୍ତୋଷ ରହିଥିଲା । ଏହି ଅସନ୍ତୋଷରେ ସାମିଲ୍‌ ହୋଇଛନ୍ତି ଜନସାଧାରଣ। ସ୍ଥାନୀୟ ଲୋକେ ୧ ନମ୍ବର ଓ ୩ ନମ୍ବର ଗେଟରେ ତାଲା ପକାଇଛନ୍ତି। ବନ୍ଦରକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି।

କରୋନାକୁ ନେଇ କଟକଣା ଲାଗୁ ହେବା ପରେ ଧାମରାରେ ବିଦେଶୀ ଜାହାଜ ଲାଗିବାକୁ ନେଇ ଅସନ୍ତୋଷ ରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ଜାହାଜର କର୍ମଚାରୀମାନେ ଲଜ୍‌ରେ ରହୁଛନ୍ତି। ପ୍ରାୟତଃ ବିଦେଶୀ ନାଗରିକ ହୋଇଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ସନ୍ଦେହ ରହିଛି। ତେଣୁ, ବର୍ତ୍ତମାନ ପରିସ୍ଥିତିରେ ସେଠାରେ ବିଦେଶୀ ଜାହାଜ ଉପରେ କଟକଣା ଲଗାଇବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଥିଲେ। ଏହି ଦାବି ସହିତ ପ୍ରତିବାଦସ୍ବରୂପ ଲୋକମା‌ନେ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଏଥିସହିତ, ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ। ଏହି ପ୍ରତିବାଦରେ ଶ୍ରମିକମାନେ ବି ସାମିଲ୍‌ ହୋଇଥିଲେ। ସକାଳୁ ସକାଳୁ ୫୦୦ରୁ ଅଧିକ ଶ୍ରମିକ ବି ଦୀର୍ଘ ସମୟ ଧରି ଗେଟ୍ ଆଗରେ ଠିଆ ହୋଇ ରହିଥିଲେ। ଖବର ପାଇ ଧାମରା ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ପତି ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଗେଟ୍ ଖୋଲିଥିଲେ। ଯେଉଁମାନେ କାମ କରିବାକୁ ଚାହୁଁଥିଲେ ସେମାନେ ଭିତରକୁ ଯାଇଥିବା ବେଳେ ଅନ୍ୟମାନେ କାର୍ଯ୍ୟ ବନ୍ଦ କରିଥିଲେ।

‘‘ଧାମରା ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି। ବନ୍ଦରରେ ଯେଉଁ ବିଦେଶୀ ଜାହାଜ ଲାଗୁଛି ସେଗୁଡ଼ିକୁ ପ୍ରଥମେ ସମୁଦ୍ର ଭିତରେ ରଖାଯାଉଛି। ପୋର୍ଟ କମ୍ପାନି ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ପୋର୍ଟକୁ ଆସିବାକୁ ଅନୁମତି ଦିଆଯାଉଛି”, କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ। ଏଥିରେ କିଛି ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି। ତଥାପି, କରୋନାକୁ ନେଇ କଟକଣା ଜାରି ହେବା ପରେ ଏଠାକାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର