ହନୁମାନଙ୍କ ମୂର୍ତ୍ତି ଭଙ୍ଗାରୁଜା : ଚୁନପଡ଼ାରେ ଉତ୍ତେଜନା; ୭ ପ୍ଲାଟୁନ ଫୋର୍ସ ମୁତୟନ

ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଚୂନପଡା ଛକରେ ଥିବା ହନୁମାନଙ୍କ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଗତ ରାତିରେ ଭାଂଗିଦେଇଛି। ଏହି ଘଟଣାକୁ ନେଇ ଆଜି ସକାଳଠାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ ପରିସ୍ଥିତି ଉପରେ ସତର୍କ ନଜର ରଖିଛି। ଆଇନଶୃଂଖଳା ରକ୍ଷା ପାଇଁ ସେଠାରେ ୭ ପ୍ଲଟୁନ ଫୋର୍ସ ମୁତୟନ କରାଯାଇଛି।

ଚୂନପଡା ଛକର ହନୁମାନଙ୍କ ମୂର୍ତ୍ତି ଭଂଗା ହୋଇଥିବା ଜଣାପଡ଼ିବା ପରେ ଆଜି ସକାଳେ ସ୍ଥାନୀୟ ଲୋକେ କ୍ଷୁବ୍ଧ ହୋଇଥିଲେ। ସେମାନେ ସେଠାରେ ଏକଜୁଟ ହୋଇ ଅସନ୍ତୋଷ ପ୍ରକାଶ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତା’ସତ୍ତ୍ୱେ ବି ଏହି ଘଟଣାକୁ ନେଇ ଉତ୍ତେଜନା କୁହୁଳିବାରେ ଲାଗିଛି। ଏସପି ଅନୁପ କୁମାର ସାହୁ, ଅତିରିକ୍ତ ଏସ୍‌ପି କୈଳାସ ପରିଡା, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ଏସ୍‌ଡିପିଓ ମନୋରଂଜନ ସାମଲ, ଭଦ୍ରକ ଟାଉନ ଥାନା ଅଧିକାରୀ ମନୋଜ ରାଉତ, ଭଣ୍ଡାରିପୋଖରୀ ଥାନାଧିକାରୀ ତ୍ରିଲୋଚନ ସେଠୀ, ଚାନ୍ଦବାଲି ଥାନାଧିକାରୀ କମଳଲୋଚନ ଭୂୟାଁ ପ୍ରମୁଖ ଧାମନଗରରେ ପହଞ୍ଚି ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି।

ମୁନିସପାଟଣା ଗ୍ରାମର ପ୍ରଫୁଲ୍ଲ ଦଳେଇଙ୍କ ଅଭିଯୋଗ ଭିତ୍ତିରେ ପୁଲିସ କେସ ନମ୍ବର ୧୮/୧୮ରେ ମାମଲା ରୁଜୁ କରିଛି। ଧାମନଗରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ଛକ, ବଜାରରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏଥିରେ ୩ ପ୍ଲାଟୁନ କୁଇକ୍‌ ଆକ୍ସନ ଫୋର୍ସ ଓ ୪ ପ୍ଲାଟୁନ ଓଏସଏପି ନିୟୋଜିତ ହୋଇଛନ୍ତି। ଉତ୍ତେଜନାକୁ ଲକ୍ଷ୍ୟ କରି ଆଜି ଅପରାହ୍‌ଣରେ ଧାମନଗର ଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ତୁରନ୍ତ ଗିରଫ କରିବାକୁ ବୈଠକରେ ଦାବି ହୋଇଛି। ଧାମନଗର ତହସିଲଦାର ଚାର୍ଲସ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଜିଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଧାମନଗରର ଉଭୟ ସଂପ୍ରଦାୟର ମୁରବୀ, ଶାନ୍ତି କମିଟି ସଭ୍ୟମାନେ ଉପସ୍ଥିତ ଥିଲେ। ମୂର୍ତ୍ତି ଭଙ୍ଗା ଘଟଣା ଧର୍ମୀୟ ଭାବନା ପ୍ରତି କୁଠାରଘାତ ବୋଲି ଅମୃତ ଦର୍ଶନ ପତ୍ରିକାର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିବା ସହ ଏହାର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର