ଅନୁଗୁଳ : ବିବାଦ ଯେମିତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପିଛା ଛାଡ଼ୁନି। ଶବରୁ ଆଖି ଗାଏବ ହେବା ଘଟଣାକୁ କେନ୍ଦ୍ରକରି ଚର୍ଚ୍ଚାରେ ରହିଥିବା ଏହି ଡାକ୍ତରଖାନାରେ ଆଜି ପିମ୍ପୁଡ଼ି ଲାଗି ଜଣେ ଯୁବକଙ୍କ ମୃତଦେହର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ଆସିଛି। ଏହାକୁ ‌କେନ୍ଦ୍ରକରି ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଗତକାଲି ପାଣିରେ ବୁଡ଼ି ଅନୁଗୁଳ ସହର ପାଖ କୁମଣ୍ଡ ଗ୍ରାମର ଜିତେନ୍ଦ୍ର ବେହେରା (୩୮)ଙ୍କର ମୃତ୍ୟୁ ଘଟିଥିଲା। ଅପସ୍ମାର ‌ରୋଗରେ ଆକ୍ରାନ୍ତ ଜିତେନ୍ଦ୍ର ରବିବାର ଦିନ ୩ଟାରେ ଘର ପାଖ କେନାଲକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। ଅପରାହ୍ଣ ୫ଟାରେ କେନାଲରେ ସେ ଭାସୁଥିବା ଦେଖି ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସନ୍ଧ୍ୟା ହୋଇ ଯାଇଥିବାରୁ ଗତକାଲି ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ଶବ ଗୃହରେ ଏକ କଫିନ ଭିତରେ ଶବକୁ ରଖାଯାଇଥିଲା। ବ୍ୟବ‌ଚ୍ଛେଦ ପାଇଁ ଆଜି ସକାଳ ୧୦ଟାରେ ଶବ ବାହାର କରାଯିବା ପରେ ପେଟ ଓ ଆଖି ପାଖରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ପିମ୍ପୁଡ଼ିଙ୍କ ଯୋଗୁଁ ଏଭଳି ହୋଇଥିବା କୁହାଯାଇଥିଲା। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଛୁଟି ଯୋଗୁଁ ଆଜି ଡାକ୍ତରଖାନାରେ ସିଡିଏମଓ କିମ୍ବା ସ୍ବାସ୍ଥ୍ୟ ବିଭାଗର ଅନ୍ୟ କୌଣସି ଅଧିକାରୀ ଆସି ନଥିଲେ। ଏଭଳି ସ୍ଥିତିରେ ପରିବାର ଲୋକେ ଆନ୍ଦୋଳନରୁ ଓହରି ବ୍ୟବଚ୍ଛେଦ ପରେ ଶବ ଗାଁକୁ ନେଇ ସତ୍କାର କରିଥିଲେ।

ଅନ୍ୟପକ୍ଷ‌ରେ, ନବନିର୍ମିତ ଶବ ସଂରକ୍ଷଣ କେନ୍ଦ୍ରକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଇଥିଲେ ହେଁ ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଅବଶ୍ୟ ଏବେ ସିଧାସଳଖ ଫ୍ରିଜର୍‌ରେ ଶବ ନରଖି କଫିନ ବ୍ୟବହାର କରାଯାଉଛି। ଏହାସତ୍ତ୍ବେ ଶବ ପିମ୍ପୁଡ଼ି ଖାଇଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।