ପ୍ରସୂତି ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା: ପୁଲିସ୍ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ, ରକ୍ତହୀନତା ଥିବା କହିଲେ ଡାକ୍ତର

ଭଞ୍ଜନଗର: ସୁରକ୍ଷିତ ମାତୃତ୍ବ ପାଇଁ ଗର୍ଭଧାରଣ ପରଠାରୁ ଶିଶୁ ଜନ୍ମହେବା ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ପ୍ରସୂତିଙ୍କୁ ସାମିଲ କରାଯାଇଛି। ସଚେତନତା ପାଇଁ ଗାଁ ମାନଙ୍କରେ ଆଶା ଓ ଏଏନ୍‌ଏମ୍‌ ଦିଦି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ ଏହାର ବାସ୍ତବ ସୁଫଳ ଯେ, ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ରକ୍ତହୀନତା ରୋଗୀ ଗର୍ଭଧାରଣ ସମୟରେ କିଭଳି ସର୍ତ୍ତକତା ଅବଲମ୍ବନ ସେ ସମ୍ପର୍କରେ ଅଜ୍ଞତା ଫଳରେ ଛୁଆ ଜନ୍ମ ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ତାହାର ନମୂନା ଦେଖିବାକୁ ମିଳିଛି। ନୟାଗଡ ଜିଲ୍ଲା ଦଶପଲ୍ଲା ଇଲାକାର ଗୋର୍ବଦ୍ଧନପୁର ଗ୍ରାମର ପ୍ରଶାନ୍ତ ନାୟକଙ୍କ ପତ୍ନୀ ଜସୁମତି ନାୟକ ୯ ମାସର ଗର୍ଭବତୀ ଥିବା ସମୟରେ ଆଜି ଭଞ୍ଜନଗର ମେଡିକାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଆଉ କିଛି ଦିନ ଗଲେ ନିଜ ସନ୍ତାନକୁ ଜନ୍ମ ଦେଇଥାନ୍ତେ ଜସୁମତି। କିନ୍ତୁ ଆଜି ଗର୍ଭ ଭିତରେ ଥିବା ନିଜ ସନ୍ତାନ ସହ ନିଜର ମୃତ୍ୟୁ ଘଟିଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ପରିବାର ଲୋକଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥବା ବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିବାର ଲୋକ ଜସୁମତିଙ୍କ ମୃତଦେହ ସାଙ୍ଗରେ ନେଇ ଗାଁକୁ ଫେରିଥିଲେ।

ସୂଚନା ଅନୁଯାୟୀ, ପ୍ରଶାନ୍ତଙ୍କ ପତ୍ନୀ ଜ୍ୟୋସ୍ନା ଗର୍ଭବସ୍ଥାରେ ବାପଘର ହରିଗଡ ଗ୍ରାମକୁ ଆସିଥିଲେ। ଆସନ୍ତ ୧ ତାରିଖ ଦିନ ପ୍ରସବ ହେବା ନେଇ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ଏଥିପୂର୍ବରୁ ଗତ ୨୨ ତାରିଖ ଦିନ ତାଙ୍କୁ ଜ୍ବର ହେବାରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସା ପରେ ତାଙ୍କ ଶରୀରରେ ରକ୍ତ ନଥିବା ଜଣାପଡ଼ିଥିଲା। ତାଙ୍କୁ ରକ୍ତଦେବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସେତେଟା ଉନ୍ନତି ଘଟିନଥିଲା। ବ୍ରହ୍ମପୁର ନେବା ପାଇଁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ରେଫରାଲ୍‌ ମଧ୍ୟ ପ୍ରଦାନ କରାଯାଇଥିଲା। ଗତକାଲି ସେ ସାମାନ୍ୟ ସୁସ୍ଥ ଅନୁଭବ କରୁଥିବା ବେଳେ ଆଜି ସକାଳ ସମୟରେ ତାଙ୍କ ଶରୀର ଜଳାପୋଡା ହେଉଥିବା କହିଥିଲେ। ପରିବାର ଲୋକେ ନର୍ସଙ୍କୁ ଅବଗତ କରିବା ପରେ ସେ ଏକ ଇଞ୍ଜେକସ୍‌ନ ଦେଇଥିବା ଜସୁମତିଙ୍କ ମାଆ କହିଛନ୍ତି। ଏହାର କିଛି ସମୟ ପରେ ସେ ଗୁରତର ହେବା ସହ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ମେଡ଼ିକାଲ୍‌ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ପରିବାର ଲୋକଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡିଥିଲା। ଆଖି ସାମ୍ନାରେ ନିଜ ଗର୍ଭବତୀ ଝିଅର ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରିନଥିଲେ। ଜସୁମତିର ମୃତ୍ୟୁ ପାଇଁ ମେଡିକାଲ୍‌ କର୍ତ୍ତୁପକ୍ଷଙ୍କୁ ପରିବାର ଲୋକ ଦାୟୀ କରିଥି‌ବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ପୁଲିସ୍‌ ସେଠାରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ମୃତ୍ୟୁର କାରଣ ସଂର୍ପକରେ ଡାକ୍ତର ସହ ଆଲୋଚନା କରି ପରିବାର ଲୋକଙ୍କୁ ବୁଝାଇ ଥିଲେ । ଏହାପରେ ପରିସ୍ଥିତି ଶାନ୍ତ ପଡିବା ସହ ପରିବାର ଲୋକ ଜସୁମତିର ମୃତଦେହ ନେଇ ଗାଁକୁ ଯାଇଥିଲେ।

ଏ ସଂର୍ପକରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା.ବୃନ୍ଦାବନ ଗୌଡ କହିଛନ୍ତି ଯେ, ଉକ୍ତ ମହିଳାଙ୍କ ସିଭିଅର ଏନିମିଆ ସହ ସିକିଲିନ୍‌ ରୋଗ ରହିଥିଲା। ମେଡିକାଲ୍‌ ପକ୍ଷରୁ ସଠିକ୍ ଚିକିତ୍ସା ପ୍ରଦାନ କରିବା ସହ ୪ ୟୁନିଟ୍‌ ରକ୍ତ ଦିଆଯାଇଥିଲା। ଆଜି ହଠାତ୍‌ ତାଙ୍କର ଶରୀ‌ରରେ ରକ୍ତ ଜମାଟ ବାନ୍ଧିବା ସହ ଛାତିରେ ତାହା ଲାଗିବା ଫ‌ଳରେ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ତାଙ୍କର ୪ ଟି ସନ୍ତାନ ଜନ୍ମ ହୋଇଥିବା ବେଳେ ୨ ଝିଅ ରହିଛି ଆଉ ୨ ଟି ସନ୍ତାନ ପୂର୍ବରୁ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର