କଂଟବାଞ୍ଜି ଡାକ୍ତରଖାନାରେ ଅଭାବନୀୟ ଘଟଣା: ଅକ୍ସିଜେନ୍‌ ନମିଳିବାରୁ ମରିଗଲେ ରୋଗୀ

ରୋଗୀ ପରିଜନଙ୍କ ଭଙ୍ଗାରୁଜା, ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇନାହିଁ: ଜିଲ୍ଲାପାଳ

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଡାକ୍ତରଖାନାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ମହଜୁଦ ଥିଲେ ମଧ୍ୟ ରୋଗୀଙ୍କୁ ଦିଆ ନଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚିକିତ୍ସାରେ ଅବହେଳା କରାଯାଇଥିବା ଦର୍ଶାଇ ମୃତ ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି। କଂଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛି।

ପ୍ରକାଶ ଯେ, କଂଟାବାଞ୍ଜି ଆଶ୍ରମପଡ଼ାର ପ୍ରେମ ମେହେର (୫୨ବର୍ଷ) ଗତ ଶନିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିବା ସହ ସ୍ୱାସ୍ଥ୍ୟବସ୍ଥା ଜଟିଳ ଥିବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିଲେ। ପୁଣି ସୋମବାର ସକାଳ ୧୦ ଟାରେ କଂଟାବାଞ୍ଜି ଡାକ୍ତରଖାନକୁ ଚିକିତ୍ସା ପାଇଁ ଆଣିଥିଲେ। ମୃତକଙ୍କ ପୁଅ କରୁଥିବା ଅଭିଯୋଗ ଅନୁସାରେ, ସୋମବାର ଡାକ୍ତରଖାନାରେ ପହଞ୍ଚିଲା ପରେ ଡାକ୍ତରମାନଙ୍କ ଦେଖା ଦର୍ଶନ ନଥିଲା। ବାପାଙ୍କୁ ସଙ୍ଗେ ସଙ୍ଗେ ଅକ୍ସିଜେନ୍‌ ଦେଇ ଚିକିତ୍ସା କରିଥିଲେ ସେ ବଞ୍ଚି ଯାଇଥାନ୍ତେ। ଡ୍ୟୁଟିରେ ଥିବା ନର୍ସମାନେ ମଧ୍ୟ ଠିକ୍‌ଭାବେ ଦେଖିନଥିଲେ। ଡାକ୍ତରମାନଙ୍କ ଅବହେଳାରୁ ବାପାଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ଡାକ୍ତରମାନେ ହିଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ କଂଟାବାଞ୍ଜି ମେଡିକାଲ ଅଫିସର ଡା. ଏସ୍‌.ପି.ଡି. ପଣ୍ଡାଙ୍କ କହିବା ହେଲା, ସୋମବାର ସକାଳୁ ପ୍ରେମ ମେହେର ଡାକ୍ତରଖାନାକୁ ଆସିଥିଲେ। ଚିକିତ୍ସା କରିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ଅକ୍ସିଜେନର ଅଭାବ ନାହିଁ। ମୋଟ ୨୦ଟି ଅକ୍ସିଜେନ ସିଲିଣ୍ଡର ମହଜୁଦ ଅଛି। ରୋଗୀଙ୍କ ଅବସ୍ଥା ଦେଖି ଦିଆଯାଉଛି। ପରିବାର ଲୋକଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଦୁଇଦିନ ଆଗରୁ ଡାକ୍ତର ଶାନ୍ତନୁ ରାଉତ ତାଙ୍କୁ ଦେଖିଥିଲେ। ଆଜି ମଧ୍ୟ ଡା. ରାଉତଙ୍କ ଡ୍ୟୁଟି ଥିଲା। ସେ ଥିବା ସମୟରେ ପରିବାର ଲୋକେ ଡାକ୍ତରଖାନାର ଅଂଶୁଘାତ କକ୍ଷ ଏବଂ ତାର ପାଖରେ ଥିବା କକ୍ଷର ସମସ୍ତ କାଚ ଭାଙ୍ଗି ଦେଇଛନ୍ତି। ସରକାରୀ ସଂପତ୍ତି ଭଙ୍ଗାରୁଜୁା କରିଥିବା ନେଇ ଥାନାରେ ଅଭିଯୋଗ କରିବେ ବୋଲି ସେ କହିଥିଲେ। ଏ ନେଇ ସିଡିଏମଓ ଡା. ଭୀମ ସାହୁ କହିଛନ୍ତି ଯେ ରୋଗୀ ଜଣକ କଂଟାବାଞ୍ଜି ଡାକ୍ତରଖାନାକୁ ଶେଷ ଅବସ୍ଥାରେ ଆସିଥିଲେ। ଡାକ୍ତରଖାନାରେ ରୋଗୀଙ୍କୁ ଠିକ୍ ଚିକିତ୍ସା ମଧ୍ୟ କରାଯାଇଛି। କଂଟାବାଞ୍ଜି ଡାକ୍ତରଖାନାରେ ଅକ୍ସିଜେନର ଅଭାବ ଆଦୌ ନାହିଁ। ରୋଗୀଙ୍କ ପରିବାର ଅଯଥା ଗଣ୍ଡଗୋଳ କରି ଭଙ୍ଗାରୁଜା କରିଛନ୍ତି। ସେହି ପରିବାର ନାଁରେ ଥାନାରେ ଅଭିଯୋଗ କରାଯିବ ବୋଲି ସେ କହିଥିଲେ।

ଏ ସଂପର୍କରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଟୁଇଟ୍ କରି ଜଣାଇଛନ୍ତି ଯେ ଉକ୍ତ ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ ଅଭାବରୁ ହୋଇ ନାହିଁ। କଣ୍ଟାବାଞ୍ଜି ଡାକ୍ତରଖାନା ସହିତ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ରହିଛି। ଘଟଣାସ୍ଥଳରେ କଂଟାବାଞ୍ଜି ଏସ୍‌ଡିପିଓ ସରୋଜ ମହାପାତ୍ର, ଏସ୍‌ଆଇ ହୀରା ଖାଲକୋ, ଭଗବତ ପ୍ରସାଦ ସାଏ ପ୍ରମୁଖ ପହଞ୍ଚି ପରିବାର ବର୍ଗଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର