ପ୍ରସୂତି ମୃତ୍ୟୁରୁ ତୁମୁଳକାଣ୍ଡ : ଡାକ୍ତରଙ୍କ ଘରେ ଭଙ୍ଗାରୁଜା, ମେଡିକାଲ ଘେରାଉ

କେନ୍ଦ୍ରାପଡ଼ା : ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ କେନ୍ଦ୍ରାପଡ଼ାରେ ତୁମୁୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଡାକ୍ତରଙ୍କ ଘରେ ଭଙ୍ଗାରୁଜା କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘେରାଉ କରିଛନ୍ତି। ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ଡାକ୍ତରଙ୍କୁ ଗିରଫ କରାଯିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ରୋଗୀଙ୍କ ସଂପର୍କୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବକୁ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମୃତ ଗର୍ଭବତୀ ତକ୍‌ସିମା ଫରିନ୍‌ (୨୧)ଙ୍କ ସ୍ୱାମୀ ରମଜାନ୍‌ ବକ୍ସ ଟାଉନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପତ୍ନୀ ଜ୍ୱରରେ ପୀଡ଼ିତ ହେବା ସହ ବାନ୍ତି କରିଥିଲେ। ତାଙ୍କୁ ଦିନ ପ୍ରାୟ ୧୦ଟା ବେଳେ ଡାକ୍ତର କୁଳମଣି ବରାଳଙ୍କ ନିକଟକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଡାକ୍ତର ତାଙ୍କୁ କେତେକ ଇଂଜେକ୍‌ସନ୍‌ ଓ ଔଷଧ ଆଣିବାକୁ ପ୍ରେସ୍‌କ୍ରିପସନ୍‌ ଲେଖିଥିଲେ। ସେହି ଅନୁସାରେ ସେମାନେ ଔଷଧ କିଣି ଆଣିଥିଲେ। ତକ୍‌ସିମାଙ୍କୁ ଡାକ୍ତର ୩ଟି ଇଂଜେକ୍ସନ୍‌ ଦେଇଥିଲେ। କିନ୍ତୁ ସେତେବେଳକୁ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ଡାକ୍ତର ବରାଳ ତାଙ୍କୁ ଘରକୁ ନେଇ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେମାନେ ପୋଷ୍ଟାଲ କଲୋନି ସ୍ଥିତ ତାଙ୍କ ଘରେ ପହଁଚିବା ପରେ ତକ୍‌ସିମା ଆଉ କଥାବାର୍ତ୍ତା କରି ନଥିଲେ। ବେହୋସ୍‌ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ପୁଣି ଥରେ ଡାକ୍ତରଙ୍କ ପାଖକୁ ଅଣା ଯାଇଥିଲା। କିନ୍ତୁ ଡାକ୍ତର ବରାଳ ନଥିବାରୁ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତକ୍‌ସିମାଙ୍କୁ ମୃତ ଘୋଷଣା କରିଥିଲେ। ତକସିମାଙ୍କ ପରିବାର ଲୋକ ଏଥିରେ ଉତ୍ତ୍ୟକ୍ତ ହୋଇ ଡାକ୍ତର ବରାଳଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧିତ ଖବର