ବୀରମହାରାଜପୁର/ସୁବଲୟା: ସୋନପୁର ଜିଲ୍ଲା ସୁବଳୟା ଥାନା ଖଣ୍ଡହତା ଗାଁରେ ରଥଯାତ୍ରା ଚାଲିଥିବା ସମୟରେ ରଥଟଣାକୁ ନେଇ ମଙ୍ଗଳବାର ୨ ସାହି ମଧ୍ୟରେ ସଂଘର୍ଷ ହୋଇଛି।

Advertisment

ସୂଚନା ଅନୁସାରେ ଖଣ୍ଡହତା ଗ‍ାଁର ଗଡ଼ଭିତର ଓ ବାହାରିପଡା ମଧ୍ୟରେ ରଥଯାତ୍ରାର ରଥ ଟଣା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥାକଟାକଟି ପରେ ସଂଘର୍ଷ ହୋଇଥିଲା। ପୁଲିସ ସୂଚନା ପାଇ ସମାଧାନ କରିବାକୁ ଚେଷ୍ଟା କରୁଥିବା ସମୟରେ ଟେକା ମାଡ଼ି ହୋଇଥିଲା। ଏଥିରେ କିଛି ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଲିଛି।

ଏନେଇ ବୁଧବାର ଦିନ ସୁବଳୟା ଥାନା ପରିସରରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ବୀରମହାରାଜପୁରର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଉପଖଣ୍ଡ ପୁଲିସ ଅଧିକାରୀ ଡୋଳାମଣି ଭୋଇ, ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଖଣ୍ଡହଥା ସରପଞ୍ଚ ଜୟଶ୍ରୀ ଦେହୁରୀ ଓ ଉଭୟ ଗୋଷ୍ଠୀର ଲୋକ ଉପସ୍ଥିତ ଥିଲେ।

ଶାନ୍ତି କମିଟରେ ଉଭୟ ଗୋଷ୍ଠୀ ସହମତି ପ୍ରକାଶ କଲାପରେ ସୀମା ନିର୍ଦ୍ଧାରଣ ପାଇଁ ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ସରପଞ୍ଚ ଜୟଶ୍ରୀ ଦେହୁରୀ  ସୁବଳୟା ଥାନା ଅଧିକାରୀ  ଶୁଶାନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ  ଖଣ୍ଡହତା ପହଞ୍ଚିବାପରେ ଶାନ୍ତି କମିଟିରେ ନିଆଯାଇଥିବା ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ଗୋଟିଏ ଗୋଷ୍ଠୀ । ଆଲୋଚନା ବିଫଳ ହେବାରୁ ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଓ ପୁଲିସ କର୍ମଚାରୀ ଫେରି ଆସିଛନ୍ତି। ଏବେ ଖଣ୍ଡହଥାରେ ଚାପା ଉତ୍ତେଜନା ଲାଗି ରହିଛି।