ହାଜତ ମୃତ୍ୟୁରୁ ଲଙ୍କାକାଣ୍ଡ : ପୁଲିସ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ, କୋଡିଙ୍ଗା ଥାନା ଭଙ୍ଗାରୁଜା, ରାସ୍ତା ଅବରୋଧ

ପୁଲିସର ଲାଠିଚାର୍ଜ, ଫ୍ଲାଗ୍‌ମାର୍ଚ୍ଚ, ୧୪୪ ଧାରା

ନବରଙ୍ଗପୁର/କୋଷାଗୁମୁଡା/ପାପଡ଼ାହାଣ୍ଡି : ଗାଁ ହାଟରୁ ପୁଲିସ ଉଠାଇ ନେଇଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ନବରଙ୍ଗପୁର ଜିଲ୍ଲାରେ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କୋଡିଙ୍ଗା ପୁଲିସ ପିଟି ପିଟି ଜଣେ ବୃଦ୍ଧଙ୍କୁ ମାରି ଦେଇଥିବା ନେଇ ସଂପର୍କୀୟ ଅଭିଯୋଗ କରିଛନ୍ତି। ପୁଲିସ ଏହାକୁ ଅସ୍ବୀକାର କରିଥିଲେ ହେଁ ଉତ୍ତ୍ୟକ୍ତ ଲୋକ ଥାନା ଘେରାଉ ସହ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସକୁ ଦୁଇ ଦୁଇ ଥର ଲାଠିଚାର୍ଜ କରିବାକୁ ପଡ଼ିଥିଲା। ସ୍ଥାନୀୟ ଅଞ୍ଚଳରେ ୧୪୪ଧାରା ଲାଗୁ କରାଯିବା ସହ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ଏସ୍‌ପି ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ କୋଡିଙ୍ଗା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁଲିସ ପକ୍ଷରୁ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଜାରି ରହିଛି।

ଗତକାଲି କୋଡିଙ୍ଗା ଥାନା ଅନ୍ତର୍ଗତ ଖୁଟିଗୁଡା ହାଟରେ କୁକୁଡାଗାଲି ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା। ପୁଲିସ ଚଢ଼ାଉ ପରେ ଗାଲି ଛାଡ଼ି ଲୋକେ ଦୌଡ଼ାଦୌଡ଼ି ହୋଇ ପଳାଇ ଯାଇଥିଲେ। ତେବେ ପୁଲିସ ହାଟରୁ ଡାବୁଗାଁ ଥାନା ଅନ୍ତର୍ଗତ ବଡପାଞ୍ଜିରାଗୁଡା ଗାଁର ଗୋବର୍ଦ୍ଧନ ବିନ୍ଧାଣୀ (୬୫) ଓ କୁମୁଲୁ ହରିଜନ (୪୨ଙ୍କୁ ଉଠାଇ ଥାନାକୁ ଆଣିଥିଲା। କୌଣସି କାରଣରୁ ରାତି ପ୍ରାୟ ୧୧ଟାରେ ହଠାତ୍ ଗୋବର୍ଦ୍ଧନ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ପୁଲିସ ଉଭୟ ଗୋବର୍ଦ୍ଧନ ଏବଂ କୁମୁଲୁଙ୍କୁ କୋଷାଗୁମୁଡା ମେଡିକାଲକୁ ନେଇଥିଲା। ସେଠାରେ ଚିକିତ୍ସା ପରେ ଗୋବର୍ଦ୍ଧନଙ୍କଠାରୁ କୁମୁଲୁଙ୍କ ଅଲଗା କରି ଦିଆଯାଇଥିଲା। ଅନ୍ୟପଟେ ରାତି ପ୍ରାୟ ଗୋଟାଏ ବେଳେ ଗୋବର୍ଦ୍ଧନକୁ ନବରଙ୍ଗପୁର ମେଡିକାଲକୁ ନିଆଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଦର୍ଶାଇ ପୁଣି ବିଶାଖାପାଟଣା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳେ ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପାଞ୍ଜିରାଗୁଡା ସମେତ ହାତବେଡା ଓ ‌କୋଡିଗାଁ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଲୋକ କୋଡିଙ୍ଗା ଥାନାରେ ଆସି ପହଞ୍ଚିଥିଲେ। ପୁଲିସ ଅଟକ ରଖିଥିବା ଦୁଇ ଜଣଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି ଜଣାଇଥିଲେ। ପରେ ଥାନା ପରିସରରେ ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ପକ୍ଷରୁ ଲାଠିଚାର୍ଜ ଆରମ୍ଭ ହୋଇଥିଲା। ଲୋକେ ଦୌଡ଼ାଦୌଡ଼ି ହୋଇ ଥାନାରୁ ଚାଲି ଯାଇଥିଲେ ହେଁ କୋଡିଙ୍ଗା-ପାପଡ଼ାହାଣ୍ଡି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥି‌ଲେ। ଏହାପରେ ପୁଣି ଭିଡ଼ ବଢ଼ିଥିଲା ଏବଂ ଲୋକେ ପୁଣିଥରେ ଥାନା ଆଡ଼କୁ ମାଡ଼ି ଯାଇଥିଲେ। ତାଲା ପଡ଼ିଥିବା ଥାନା ଫାଟକକୁ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିବାରୁ ଦ୍ବିତୀୟ ଥର ପାଇଁ ପୁଲିସ ଲାଠିଚାର୍ଜ କରିଥିଲା।

ଅପରାହ୍ନରେ ଗାଁର କିଛି ବ୍ୟକ୍ତିଙ୍କୁ କୋଡିଙ୍ଗା ଥାନାକୁ ଡକାଇ ଆଲୋଚନା କରାଯାଇଥିଲା। ସେହିପରି ଡିଆଇଜି ହିମାଂଶୁ ଲାଲ ବି କୋଡିଙ୍ଗା ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଘଟଣା ସଂପର୍କରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତନୁ ମହାନ୍ତି କହିଛନ୍ତି ଯେ, ଉଭୟଙ୍କୁ କୁକୁଡାଗାଲିରୁ ଧରାଯାଇଥିଲା। ଗୋଟିଏ ଜୁଆ ମାମଲା ରୁଜୁ କରି ନୋଟିସ୍ ଦେଇ ଛାଡ଼ିବା ପାଇ କାଗଜପତ୍ର କାମ ଚାଲିଥିଲା। ହଠାତ୍ ଗୋବର୍ଦ୍ଧନ ଅସୁସ୍ଥ ହେବାରୁ ପ୍ରଥମେ କୋଷାଗମୁଡା ଓ ପରେ ନବରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା। ପରିବାରକୁ ଡକାଇ ବିଶାଖାପାଟଣା ମେଡିକାଲକୁ ନିଆଯାଇଥିଲା ବୋଲି କହିଥିଲେ। ପୁଲିସ ମାଡ଼ରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ତେବେ ଏହି ଘଟଣାର ତଦନ୍ତ କରାଯିବ ଏବଂ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଏସପି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର