ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ନର୍ସଙ୍କୁ ଗୋଡ଼ାଇ ପିଟିଲେ ରୋଗୀଙ୍କ ସଂପର୍କୀୟ

କୋରାପୁଟ : ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଆଜି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ତୁମୁଳକାଣ୍ଡ ଘଟିଛି। ନାରାୟଣପାଟଣା ଅଂଚଳର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ କାର୍ଯ୍ୟରତ ନର୍ସଙ୍କୁ ଗୋଡ଼ାଇ ପିଟିବା ସହ ଡାକ୍ତରଙ୍କୁ ଦୁର୍ବବ୍ୟବହାର କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପାଇଛି। ଏପଟେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଅଟକ ରଖିଛି।

ନାରାୟଣପାଟଣା ଥାନା ତଳଗୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାରି ଗ୍ରାମର କୃପାମଣୀ ସୁନାମୁଦି (୬୦) ଆଜି ଭୋର ସମୟରେ ପୋଡ଼ି ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ହେବା ଜାଣିବା ପରେ ପରିବାର ଲୋକ କାର୍ଯ୍ୟରତ ନର୍ସ ସୁମନ ମିଞ୍ଜଙ୍କୁ ବାଡେଇବା ସହିତ ଡାକ୍ତର ସୁକାନ୍ତୀ ମାଝୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାପରେ ନର୍ସମାନେ ଏକାଠି ହୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏଥିନେଇ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପୁଅ,ଝିଅଙ୍କୁ ଅଟକ ରଖିଛି। ସେମାନେ ହେଲେ ଦେବେନ୍ଦ୍ର ସୁନାମୁଦି, ରଂଜିତ ସୁନାମୁଦି, ସୁମିତ୍ରା ବାଘ ଓ ଆଶାମଣୀ ଖରା। ଅପରପକ୍ଷରେ ଡାକ୍ତରଙ୍କ ଅବହେଳା କାରଣରୁ କୃପାମଣୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର