ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଢୁଛି ମଦୁଆଙ୍କ ଦୌରାତ୍ମ୍ୟ

ନୟାଗଡ଼ : କିଛି ଦିନ ହେବ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଦୁଆଙ୍କଠାରୁ ଆରମ୍ଭ କରି ବିଭିନ୍ନ ନିଶାଗ୍ରସ୍ତ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି। ଏମାନଙ୍କ ମଧ୍ୟରେ କିଛି ମାନସିକ ବିକୃତ ବ୍ୟକ୍ତି ଥିବା ମଧ୍ୟ ଜଣାପଡ଼ିଛି। ଅବ‌ାଧରେ ଏମାନେ ବିଭିନ୍ନ ୱାର୍ଡକୁ ପଶିଯାଇ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ ହଇରାଣ କରୁଛନ୍ତି, ଯାହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି ଏଭଳି ଜଣେ ମାତାଲ ତଥା ମାନସିକ ବିକୃତି ଥିବା ଭଳି ଅନୁମାନ କରାଯାଉଥିବା ଜଣେ ବ୍ୟକ୍ତି ସତ୍ୟବାଦୀ ବେହେରା ଶିଶୁ ଓ ମାତୃ ଚିକିତ୍ସାଳୟକୁ ପଶିଯାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏଥି ନେଇ ନିଜ ନବଜାତକ ଝିଅକୁ ଚିକିତ୍ସାଳୟକୁ ଆଣି ଆସିଥିବା ଗଣମାଧ୍ୟମ ପ୍ରତିନିଧି ଉତ୍ପଳ କୁମାର ସାହୁ ଟାଉନ ଥାନା ପୁଲିସକୁ ଖବର ଦେବା ପରେ ଟାଉନ ଥାନା ପୁଲିସ ସତ୍ୟବାଦୀକୁ ଥାନାକୁ ଉଠାଇ ଆଣିଥିଲା। କିଛି ଦିନ ପୂର୍ବେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଥିଲା। ଯେଉଁଦିନ କୌଣସି ବଡ଼ ଧରଣର ଅଘଟଣ ଘଟିବ ସେତେବେ‌ଳେ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶିବ ବୋଲି ଆଲୋଚନା ହେଉଛି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତିକ୍ରିୟା‌ ମିଳିପାରିନାହିଁ।

ସମ୍ବନ୍ଧିତ ଖବର