ନର୍ସିଂହୋମ୍‌ରେ ଉତ୍ତେଜନା

ପ୍ରସୂତିଙ୍କ ଗର୍ଭାଶୟ କାଟିଦେଲେ ଡାକ୍ତର

କେନ୍ଦ୍ରାପଡ଼ା : ଜଣେ ପ୍ରସୂତିଙ୍କୁ ମେଡିକାଲ ଶିଡିରେ ୮/୯ଥର ଉପରତଳ କରାଇବା ଏବଂ ଅସ୍ତ୍ରୋପଚାର କରି ପ୍ରସୂତିଙ୍କ ଗର୍ଭାଶୟ କାଟି ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ାର ସାଇ ହସ୍‌ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମହିଳାଙ୍କ ସ୍ୱାମୀ ଟାଉନଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁସାରେ, ମହାକାଳପଡ଼ା ବ୍ଲକ ଅଧୀନ ଆଜୋଇ ଗ୍ରାମର କଳ୍ପତରୁ ସାମଲଙ୍କ ପତ୍ନୀ ରଶ୍ମିତାଙ୍କୁ କେନ୍ଦ୍ରାପଡ଼ାର ସାଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ଅସ୍ତ୍ରୋପଚାର କରାଯାଇ ସନ୍ତାନ ପ୍ରସବ କରାଯିବ ବୋଲି ହସପିଟାଲ କର୍ତ୍ତୃପକ୍ଷ କହିଥିଲେ। କଳ୍ପତରୁ ଏଥିପାଇଁ ୯ ହଜାର ଟଙ୍କା ଦାଖଲ କରିଥିଲେ। ମାତ୍ର ଅସ୍ତ୍ରୋପଚାର ପାଇଁ ଅଧିକ ଟଙ୍କା ଦରକାର ବୋଲି କୁହାଯାଇଥିଲା। କଳ୍ପତରୁ ଅକ୍ଷମତା ପ୍ରକାଶ କରିଥିଲେ। ଯଦି ଟଙ୍କା ନ ଦେଇ ପାରୁଛ, ୩ ମହଲା ହସ୍‌ପିଟାଲର ପାହାଚରେ ୮/୯ ଥର ତଳଉପର ହେଲେ ରଶ୍ମିତାଙ୍କ ସ୍ୱଭାବିକ ସନ୍ତାନ ପ୍ରସବ ହୋଇ ପାରିବ ବୋଲି ଦାୟିତ୍ୱରେ ଥିବା ଡାକ୍ତର କହିଥିବା ନେଇ କଳ୍ପତରୁ ଅଭିଯୋଗ କରିଛନ୍ତି।

ତଦନୁଯାୟୀ ରଶ୍ମିତା ଉପରତଳ ହେବା ପରେ ଗୁରୁତର ହୋଇ ପଡ଼ିଲେ। ପ୍ରଚୁର ରକ୍ତସ୍ରାବ ହେବାରୁ ହସିପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆଡ୍‌ମିଟ୍‌ କରିଥିଲେ। ଅତ୍ସୋପଚାର କରାଯିବା ପରେ ରଶ୍ମିିତା ଏକ ମୃତ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଡାକ୍ତରଙ୍କ ଅବହେଳା ଯୋଗୁ ମୃତ ଶିଶୁ ଜନ୍ମ ହୋଇଥିବା କଳ୍ପତରୁ ଅଭିଯୋଗ ଆଣିଛନ୍ତି। ସେହିପରି ରଶ୍ମିତାଙ୍କ ଗର୍ଭାଶୟ ମଧ୍ୟ କାଟି ଦିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଏହି ଘଟଣାକୁ ନେଇ କଳ୍ପତରୁଙ୍କ ସମ୍ପର୍କୀୟ ହସପିଟାଲ ପରିସରରେ ପହଞ୍ଚି ପାଟିତୁଣ୍ଡ, ହୋହଲ୍ଲା କରିଥିଲେ। ଅନ୍ୟପକ୍ଷରେ ସାଇ ହସ୍‌ପିଟାଲ ପକ୍ଷରୁ କୁହାଯାଇଛି ଯେ, ମା’ର ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥିଲା। ଅଧିକ ରକ୍ତସ୍ରାବ ହୋଇଥିଲା। ବାଧ୍ୟ ହୋଇ ଆମକୁ ଗର୍ଭାଶୟ କାଟିବାକୁ ପଡ଼ିିଲା। କଳ୍ପତରୁ ଏହି ଘଟଣାରେ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା(୧୦୫/୧୭)ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର