ଦରବୃଦ୍ଧି ନେଇ ବିଧାନସଭାରେ ଉଦ୍‌ବେଗ

ଦରବୃଦ୍ଧି ଏକ ଜାତୀୟ ସମସ୍ୟା: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର : ମାସେ ହେଲାଣି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ି ଚାଲିଛି। ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି। ସରକାରଙ୍କର କିଛି ନିୟନ୍ତ୍ରଣ ରହୁନି। ହାଟବଜାରରେ ଚଢ଼ାଉ ହଉନି। ଆଜି ବିଧାନସଭାର ପ୍ରଶ୍ନକାଳରେ ଏମିତି ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକମାନେ। ଯୋଗାଣ ବିଭାଗ ଏ ଦିଗରେ କଠୋର ପଦକ୍ଷେପ ନେବାକୁ ଦାବି କରିଥିଲେ।

ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆ ସବୁ ସାମଗ୍ରୀର ପାଇକାରୀ ଦର ହୁ ହୁ ହୋଇ ବଢ଼ୁଥିବା ସମ୍ପର୍କରେ ମୂଳ ପ୍ରଶ୍ନ କରିଥିଲେ। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦରବୃଦ୍ଧିକୁ ସ୍ବୀକାର କରିଥିଲେ। ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନେଉଥିବା ପଦକ୍ଷେପର ଲମ୍ବା ତାଲିକା ଦେଇଥିଲେ। କିନ୍ତୁ ଦର ବୃଦ୍ଧିକୁ ଏକ ଜାତୀୟ ସମସ୍ୟା କହି ଏକ ପ୍ରକାର ହାତ ଟେକି ଦେଇଥିଲେ। ଯୁକ୍ତି ବାଢ଼ିଥିଲେ ଯେ ସାଧାରଣତଃ ଆମ ରାଜ୍ୟ ବିଭିନ୍ନ କିସମର ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବିଭିନ୍ନ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିଥାଏ। ଯୋଗାଣ ପେଣ୍ଠଗୁଡ଼ିକରେ ହେଉଥିବା ଦର ବୃଦ୍ଧି/ହ୍ରାସ ଆମ ରାଜ୍ୟର ବଜାର ଉପରେ ପ୍ରଭାବ ପକାଇଥାଏ।

ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରବୃଦ୍ଧି ସମୟରେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ବ୍ୟବସାୟ ପେଣ୍ଠର ବ୍ୟବସାୟୀମାନଙ୍କ ବୈଠକ ଡାକି ଦରବୃଦ୍ଧି ନିୟନ୍ତ୍ରଣର ପନ୍ଥା ନିର୍ଣ୍ଣୟ କରୁଛନ୍ତି। ଜିଲ୍ଲାପାଳମାନଙ୍କୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। ସେହିପରି ଆଳୁ ଓ ପିଆଜର କଳାବଜାରୀ ରୋକିବା ପାଇଁ ଓଡ଼ିଶା ପଟାଟୋ ଆଣ୍ଡ୍‌ ଓନିଅନ୍(ଷ୍ଟୋରେଜ୍ କଣ୍ଟ୍ରୋଲ୍‌) ଅର୍ଡର୍,୨୦୧୫ ଆଇନ୍ ପ୍ରଣୟନ କରିଛନ୍ତି। ଏହି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ସମୟରେ ଡାଲି, ଆଳୁ ଓ ପିଆଜର ବଜାର ଅନୁପ୍ରବେଶ ପାଇଁ ରାଜ୍ୟ ସରକାର କେନ୍ଦ୍ର ଓ ରାଜ୍ୟର ସମାନୁପାତିକ ଭିତ୍ତି‌େର ୧୦୦ କୋଟି ଟଙ୍କାର ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡ୍‌ ଗଠନ କରିଛନ୍ତି। ରାଜ୍ୟ ସରକାର ଖାଉଟିମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ସହର ତଥା ବଜାରରେ ବିନା ଲାଭ କିମ୍ବା କ୍ଷତିରେ ରାଜ୍ୟର ସୁଲଭ ମୂଲ୍ୟ ଦୋକାନଗୁଡ଼ିକ ଜରିଆରେ ଖାଉଟିମାନଙ୍କୁ ପିଆଜ ଉପଲବ୍ଧ କରାଉଛନ୍ତି।

ଶାସକ ଦଳ ସଭ୍ୟ ନୃସିଂହ ସାହୁ ଦରଦାମ ବୃଦ୍ଧି ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଯେଉଁ ମାତ୍ରାରେ ଦରଦାମ ବୃଦ୍ଧି ହେଉଛି ‌େସହି ମାତ୍ରାରେ ଯାଞ୍ଚ୍, ଚଢ଼ାଉ କରାଯାଉନି।

ମାପ ଓ ଓଜନରେ ଠକେଇ ହେଉଥିବା ସମ୍ପର୍କରେ ମୂଳ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୃହକୁ ଜଣାଇଥିଲେ ଯେ କିଛି ବ୍ୟବସାୟୀ ଅସାଧୁ ଉପାୟ ଅବଲମ୍ବନ କରି ମାପ ଓ ଓଜନରେ ଠକେଇ କରୁଥିବାର ଖବର ସରକାରଙ୍କ ନଜରକୁ ଆସିଛି। ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟବସାୟ କେନ୍ଦ୍ର, ଦୋକାନ ବଜାର ଉପରେ ଚଢ଼ାଉ କରି ୫୪୬୬ଟି କେସ୍ ରୁଜୁ କରାଯାଇ ଜରିମାନା ବାବଦରେ ୧,୦୭,୩୨,୯୦୦ ଟଙ୍କା ଆଦାୟ କରାଯାଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ମାପ ଓ ଓଜନରେ ଠକୁଥିବା ବ୍ୟକ୍ତିଙ୍କ ବିରୋଧରେ ଚଢ଼ାଉ କରି ୬୭୫୨ଟି କେସ୍ ରୁଜୁ କରାଯାଇ ଜରିମାନା ବାବଦରେ ୧,୪୯,୫୮,୬୫୦ ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର