ପୋଲସରା: ସଂଗରୋଧ କେନ୍ଦ୍ରରେ ମଦ ବିକ୍ରିକୁ ବିରୋଧ କରି ରାସ୍ତାରୋକ କଲେ ଗ୍ରାମବାସୀ

ପୋଲସରା: ସଂଗରୋଧ କେନ୍ଦ୍ରରେ ମଦ ଯୋଗାଣକୁ ନେଇ ଆଜି ରାସ୍ତାରୋକ ହୋଇଛି । ଗଂଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ କଳମ୍ବ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ମଦ ଯୋଗାଣ ହେଉଥିଲା । ଏହାକୁ ଦେଖି ଗ୍ରାମବାସୀ ବିରୋଧ କରିଥିଲେ । କଳମ୍ବ ପଂଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ମଦ ବିକାଳିମାନେ ଧକ୍କା ମାରିଥିଲେ । ସେମାନେ ଶତ୍ରୁଘ୍ନ ସାହୁ ନାମରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଶେଷରେ ମଦ ବିକାଳିମାନେ ସରପଞ୍ଚ ଓ ଶତ୍ରୁଘ୍ନଙ୍କୁ ଧମକ ଦେଇ ସେଠାରୁ ଫେରାର ହୋଇଥିଲେ ।

ଏହି ଘଟଣା ପରେ ଗ୍ରାମବାସୀ ସଂଗଠିତ ହୋଇ ଆଜି ଦିନ ୨ଟାରୁ ଅଢ଼େଇଟା ମଧ୍ୟରେ ନୋଡାଲ ସ୍କୁଲ ନିକଟ ଦେଇ ଯାଇଥିବା ମୁଖ୍ୟ (କଳମ୍ବ ଠାରୁ କବିସୂର୍ଯ୍ୟନଗର) ରାସ୍ତାରେ କାଠଗଣ୍ଡି ପକାଇ ରାସ୍ତା ଅବରୋଧ କରିଥିଲେ । ଗ୍ରାମବାସୀ ଟାୟାର ଜଳାଇ ମଦ ବିକାଳିମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ନୋଡାଲ ଅଧିକାରୀ, ତହସିଲଦାର ଅଥବା ଥାନା ଅଧିକାରୀ ପହଞ୍ଚି ନାହାନ୍ତି ।

ସଂଗରୋଧ କେନ୍ଦ୍ର ବାହାର ଫେରନ୍ତାଙ୍କ ପାଇଁ ରୋଷେଇ କରୁଥିବା ସ୍ୱେଚ୍ଛାସେବୀମାନଙ୍କର କହିବା ଅନୁସାରେ, ଘଟଣାର ସମାଧାନ ନ ହେଲେ ଆମେ ରାତ୍ରୀ ଭୋଜନ ପ୍ରସ୍ତୁତ କରିବୁ ନାହିଁ । ସୂଚନାଯୋଗ୍ୟ, କଳମ୍ବରେ ଦୀର୍ଘ ୩୦ ବର୍ଷ ଧରି ମଦ ବିକିବା ସଂପୂର୍ଣ୍ଣ ନିଷେଧ ରହିଛି । କିନ୍ତୁ କରୋନା ଭାଇରସ ସଂକଟ ସମୟରେ ଏଠାରେ ମଦ ବିକ୍ରି କରାଯିବାକୁ ସାଧାରଣରେ ଗ୍ରହଣ ହୋଇପାରି ନାହିଁ ।

ସମ୍ବନ୍ଧିତ ଖବର