ଚୋରା ମଦ କାରବାର ପାଇଁ ତାତିଲେ ମହିଳା, ଜୋତାମାଳ ପକାଇ ମହିଳାଙ୍କୁ ଗାଁ ବୁଲାଇଲେ

ପୁରୀ : ଚୋରା ମଦ କାରବାରକୁ ନେଇ ଦୀର୍ଘଦିନରୁ ଲାଗି ରହିଥିବା ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ଗାଁ ଦାଣ୍ଡରେ ମଦ ବୋତଲ ଭଙ୍ଗାରୁଜା କରିବା ସହ ମଦ ବିକ୍ରି କରୁଥିବା ମହିଳା ଓ ପୁରୁଷଙ୍କୁ ନିସ୍ତୁକ ପିଟିଛନ୍ତି। ଡେଙ୍ଗୁରା ପିଟି ମଦ ବିକ୍ରିରେ ସଂପୃକ୍ତ ମହିଳାଙ୍କ ବେକରେ ଜୋତାମାଳ ପିନ୍ଧାଇ ଗାଁ ବୁଲାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ବାଲିଗୋରଡ଼ି ଗାଁରେ।

ବାଲିଗୋରଡ଼ି ଗାଁ ମୁଣ୍ଡରେ ରହୁଥିବା ଜନୈକ ମହିଳା ଓ ତାଙ୍କ ପରିବାରର ଚୋରା ମଦ କାରବାର ଯୋଗୁ ଗାଁରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିଥିଲା। ଲୋକେ ଏହାକୁ ଦୃଢ଼ ବିରୋଧ କରିବା ସହ ଏ ନେଇ ଆଗରୁ ଏକାଧିକ ଥର ଚେତାବନୀ ଦେଇଥିଲେ। ଚନ୍ଦନପୁରର ଜନୈକ ମଦ ବେପାରି ସଂପୃକ୍ତ ମହିଳାଙ୍କୁ ଚୋରା ମଦ ଯୋଗାଇ ଆସୁଥିଲା। ଆଜି ସଂପୃକ୍ତ ମଦ ବେପାରି ମଦ ନେଇ ଯାଇଥିବା ଖବର ପାଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏହାର ବିରୋଧ କରିଥିଲେ। ତେବେ ମଦ ବେପାରି ଜଣକ ଗାଲୁ ମାରିବାରୁ ତାତି ଯାଇଥିଲେ ମହିଳା। ଏହା ପରେ ଆରମ୍ଭ ହୋଇଯାଇଥିଲା ସ୍ବୟଂ ସହାୟକ ଗୋଷ୍ଠୀର ଆକ୍ରମଣ। ଠେଙ୍ଗାବାଡ଼ି ଧରି ସଂପୃକ୍ତ ମଦ ବେପାରିକୁ ନିସ୍ତୁକ ପିଟିଥିଲେ। ତେବେ ଚାଲାକର ସହ ମଦ ବେପାରି ଜଣକ ଖସି ଯାଇଥିଲା। ପରେ ଚୋରା ‌ମଦ ବେପାର କରୁଥିବା ସଂପୃକ୍ତ ମହିଳାଙ୍କ ଉପରେ ମହିଳାମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଠେଙ୍ଗାବାଡ଼ି ଧରି ନିସ୍ତୁକ ପିଟିବା ସହ ବେକରେ ଜୋତାମାଳ ପକାଇ ଗାଁ ଦାଣ୍ଡରେ ବୁଲାଇଥିଲେ। ମହିଳା ଜଣକ ଗୋଡ଼ହାତ ଧରି କ୍ଷମା ମାଗିବା ସହ ଆଉ ଚୋରା ମଦ ବେପାର ନକରିବାକୁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ତାଙ୍କୁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର