କରୋନା ପ୍ରୋତ୍ସାହନ ରାଶି ନେଇ ରାଉରକେଲାରେ ଗୁଜବ : ଆର୍‌ଜିଏଚ୍‌ରେ ଠେଲାପେଲା, ନିରାମୟ, ନିଦାନ କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଧାଡ଼ି

ରାଉରକେଲା : ଦେଶ ବାହାରୁ ଓଡ଼ିଶାକୁ ଫେରୁଥିବା ଲୋକଙ୍କୁ କୋଭିଡ୍-୧୯ ୱେବ୍‌ସାଇଟ୍‌ରେ ଅନ୍‌ଲାଇନରେ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏଥିପାଇଁ ସେମାନଙ୍କୁ ଡାକ୍ତରୀ ପରାମର୍ଶ ସହ ପ୍ରୋତ୍ସାହନ ସ୍ବରୂପ ୧୫ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। କିନ୍ତୁ ଏହି ରାଶି ସମସ୍ତଙ୍କୁ ମିଳୁଥିବା ଗୁଜବ ସହରରେ ପ୍ରଚାରିତ ହୋଇଯିବାରୁ ଆଜି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍)ରେ ସାଧାରଣ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ପଞ୍ଜୀକରଣ ପାଇଁ ରୋଗୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କୁ ଏ ନେଇ ଲୋକଙ୍କୁ ବୁଝାସୁଝା କରିବାକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ବ ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ବେ ଆର୍‌ଜିଏଚ୍‌ରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅତିରିକ୍ତ କାଉଣ୍ଟର ଖୋଲା ଯାଇ ନଥିବାରୁ ସବୁଦିନ ଭଳି ପଞ୍ଜୀକରଣ, ନିରାମୟ କେନ୍ଦ୍ର, ନିଦାନ କେନ୍ଦ୍ର, ବହିର୍ବିଭାଗରେ ଏକାଠି ହୋଇଥିଲେ ଶତାଧିକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ଔଷଧ ନେବା ଓ ରକ୍ତ ପରୀକ୍ଷା ରିପୋର୍ଟ ନେବାକୁ ଦୁଇଟି ବିଭାଗରେ ଶତାଧିକ ଲୋକ ଗୋଟିଏ ଲେଖାଏଁ କେନ୍ଦ୍ରରେ ଭିଡ଼ ଜମାଇଥିଲେ। ଏଥିସହ ଏକ୍ସ-ରେ‌, ଅଲଟ୍ରାସାଉଣ୍ଡର କେନ୍ଦ୍ରରେ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ସୁରକ୍ଷା କର୍ମୀମାନେ ବାରଣ କରିବା ସତ୍ବେ କୌଣସି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନ ମାନିବାରୁ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।

ଏ ସଂକ୍ରାନ୍ତରେ ଆର୍‌ଜିଏଚ୍‌ କାର୍ଯ୍ୟକାରୀ ନିର୍ଦ୍ଦେଶିକା ଡାକ୍ତର ସୁଧା ପ୍ରଧାନକୁ ପଚାରିବାରୁ ସେ କହିଛନ୍ତି, ରୋଗୀ ଓ ସେମାନଙ୍କ ସମ୍ପର୍କୀୟକୁ କୌଣସି କଥା ବୁଝୁ ନାହାନ୍ତି। କରୋନା ପାଇଁ କୁଆଡ଼େ ୧୫ ହଜାର ଟଙ୍କା ସମସ୍ତଙ୍କୁ ମିଳୁଛି ବୋଲି ମିଛ ଖବର ଶୁଣି ଗତ ଦୁଇ ଦିନ ହେବ ପଞ୍ଜୀକରଣ କେନ୍ଦ୍ରରେ ଲୋକେ ଭିଡ଼ ଜମାଉଛନ୍ତି। ଆସନ୍ତାକାଲି (ଗୁରୁବାର) ଠାରୁ ନିରାମୟ, ପଞ୍ଜୀକରଣ ଓ ନିଦାନ ବିଭାଗରେ ଅତିରିକ୍ତ କେନ୍ଦ୍ର ଖୋଲାଯାଉଛି। ଏଭଳି ଗୁଜବ ଓ ମିଛ ଖବରରେ ପ୍ରଭାବିତ ନ ହେବାକୁ ସେମାନଙ୍କୁ ବୁଝାଯାଉଛି।

ସମ୍ବନ୍ଧିତ ଖବର