ଆର୍‌ଜିଏଚ୍‌ରେ ଦିନତମାମ ଉତ୍ତେଜନା : ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ!

ଶବ ନେଲେନି ପରିବାରବର୍ଗ, ଅଭିଯୋଗ ଭିତ୍ତିହୀନ କହିଲେ କର୍ତ୍ତୃପକ୍ଷ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)‌ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ବିବାଦରେ ରହିଆସିଛି। ଏବେ ଏଠାରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ନାବାଳିକାଙ୍କର ଅକାଳ ମୃତ୍ୟୁ ହୋଇଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ଏମିତିକି ଡାକ୍ତରଖାନାରେ ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ମୃତ୍ୟୁକୁ ନେଇ ଆଜି ଦିନସାରା ଆର୍‌ଜିଏଚ୍‌ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଝିଅର ମୃତଦେହ ନେବାକୁ ପରିବାରବର୍ଗ ସିଧାସଳଖ ମନା କରିଦେଇଛନ୍ତି। ଫଳରେ ମର୍ଗ ହାଉସ୍‌ରେ ନାବାଳିକାଙ୍କ ଶବ ପଡ଼ିରହିଛି। ଅପରପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ।

ସେକ୍ଟର-୬ ମହିଳା ଆଶ୍ରମ ବସ୍ତିରେ ରହନ୍ତି ରାଜୁ ସାହୁ। ରାଜୁଙ୍କ ପରିବାରରେ ପତ୍ନୀ ଅନୀତା ଓ ଚାରି ପୁଅ ଝିଅ। ପୁଅ ଝିଅଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ ସୋନୀ (୧୬)। ସୋନୀଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ସକାଳେ ଘରେ ଥିବାବେଳେ ସୋନୀ ହଠାତ୍‌ ଦୁର୍ବଳ ଅନୁଭବ କରିବାରୁ ପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସୋନୀଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି କଲାବେଳେ ସୋନୀଙ୍କୁ କେବଳ ଏକ ସାଲାଇନ୍‌ ଚଢ଼ାଇ ଦିଆଯାଇଥିଲା। ଏହାପରେ ଡାକ୍ତର ରାଉଣ୍ଡ୍‌ରେ ଆସି ନ ଥିଲେ କିମ୍ବା ନର୍ସ‌ମାନେ ମଧ୍ୟ ଚିକିତ୍ସା ପାଇଁ ଆସି ନ ଥିଲେ। ଅପରାହ୍‌ଣରେ ସୋନୀଙ୍କ ଅବସ୍ଥା ଆହୁରି ବିଗିଡ଼ିବାରେ ଲାଗିଥିଲା। ଏଣୁ ପରିବାର ସଦସ୍ୟ ଡାକ୍ତରଙ୍କୁ ଖୋଜିଥିଲେ, ମାତ୍ର କୌଣସି ଡାକ୍ତର ସେତେବେଳେ ଚିକିତ୍ସା ପାଇଁ ଆସି ନ ଥିଲେ। ଏମିତିକି ସାଲାଇନ୍ ବୋତଲ ଖୋଲିବାକୁ ମଧ୍ୟ ଜଣେହେଲେ ନର୍ସ‌ ଆସି ନ ଥିଲେ। ଫଳରେ ସାଲାଇନ୍‌ ବୋତଲରେ ସୋନୀଙ୍କ ରକ୍ତ ଚଢ଼ିଯାଇଥିଲା। ପ୍ରାୟ ଅଧବୋତଲ ରକ୍ତ ଉକ୍ତ ସାଲାଇନ୍‌ ବୋତଲରେ ଚଢ଼ିଯାଇଥିଲା, ତଥାପି ଖବର ଦେବା ସତ୍ତ୍ବେ ନର୍ସମାନେ ଆସି ନ ଥିଲେ। ନର୍ସମାନେ କୁଆଡ଼େ ଓଲଟା ନିଜେ ଖୋଲିଦେବାକୁ ପରାମର୍ଶ ଦେଇଥିଲେ।

ଏମିତି ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ସାଢ଼େ ୧୧ଟାରେ ସୋନୀଙ୍କ ମୃତ୍ୟୁ ହୋଇଥିଲା। ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ନାବାଳିକା ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗକରି ପରିବାରବର୍ଗ ମୃତଦେହ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପରେ ଯୁବନେତା ପ୍ରକାଶ ପାଶ୍ବାନଙ୍କ ନେତୃତ୍ବରେ ସେମାନେ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କୁ ଭେଟି ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ନ ନେବାକୁ ସାଧାସଳଖ ମନା କରିଦେଇଥିଲେ। ଆର୍‌ଜିଏଚ୍‌ ଡାକ୍ତର ଓ ନର୍ସଙ୍କ ଅବହେଳା ଅଭିଯୋଗ କରି ରଘୁନାଥପାଲି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା। ଏହାସହ ପରିବାର ସଦସ୍ୟ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣଙ୍କୁ ଭେଟି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସମସ୍ତ ଅଭିଯୋଗକୁ ଶୁଣିବା ପରେ ଜିଲ୍ଲାପାଳ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ତଦନ୍ତ କମିଟି ଗଠନ କରି ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ତେବେ ଅଭିଯୋଗକୁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ଭିତ୍ତିହୀନ ଦର୍ଶାଇଛନ୍ତି। ଆର୍‌ଜିଏଚ୍‌ ସୁପରିନଟେଣ୍ଡେଣ୍ଟ୍‌ ଡା. ଦୀନବନ୍ଧୁ ପଣ୍ଡା କହିଛନ୍ତି, ନାବାଳିକାଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରା ଯାଇନାହିଁ। ପ୍ରକୃତରେ ଗତ ୧୧/୧୨ ଦିନ ହେଲା ସୋନୀ ଜ୍ବରରେ ପୀଡ଼ିତ ଥିଲେ। ଗତକାଲି ଡାକ୍ତରଖାନାରେ ଭର୍ତି କଲାବେଳକୁ ଜ୍ବର ସାଂଘାତିକ ହୋଇ ସାରିଥିଲା। ତାଙ୍କର ଯଥାସାଧ୍ୟ ଚିକିତ୍ସା କରାଯାଇଥିଲା ବୋଲି ଡା. ପଣ୍ଡା କହିଛନ୍ତି। ଏହାସହ କହିଛନ୍ତି, ସାଲାଇନ୍‌ ବୋତଲରେ ରକ୍ତ ଚଢ଼ି ନଥିଲା। ସୁକ୍ରୋଜ ଇଞ୍ଜେକ୍ସନ ଦିଆଯାଇଥିବାରୁ ସାଲାଇନ୍‌ ବୋତଲର ରଙ୍ଗ ସେଭଳି ଦିଶୁଥିଲା।

ସମ୍ବନ୍ଧିତ ଖବର