ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ! ଉଦଳାରେ ଉତ୍ତେଜନା, ଥାନା ଘେରାଉ

୨ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ

ଉଦଳା: ଏକ ଲୁଟ୍ ମାମଲାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ମୟୂରଭଞ୍ଜ ଜିଲ୍ଲା ଉଦଳା ପୁଲିସ ଗତକାଲି ସନ୍ଧ୍ୟାରେ ଗିରଫ କରିଥିବା ବେଳେ ଆଜି ତାଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ମନ୍ଦାରପୁର ଅଞ୍ଚଳର ପ୍ରଦୀପ କୁମାର ଦାସ (୩୮)। ତେବେ ପୁଲିସ ମାଡ଼ରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ ଗ୍ରାମର ଶତାଧିକ ଲୋକ ଉଦଳାରେ ପହଞ୍ଚି ଥାନା ଘେରାଉ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଥାନା ଓ ଡାକ୍ତରଖାନାରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିବା ବେଳେ ଜିଲ୍ଲା ମୁଖ୍ୟାଳୟରୁ ଆହୁରି ଅଧିକ ଫୋର୍ସ ମଗାଯାଇଛି।

ଜାନୁଆରି ୧୯ ତାରିଖରେ ଉଦଳା ଏନ୍‌ଏସି ୫ ନଂବର ୱାର୍ଡର ନିରଞ୍ଜନ ସାହୁଙ୍କ ଘରୁ ୨ ଜଣ ଦୁର୍ବୃତ୍ତ ଅଳଙ୍କାର ସଫା କରିବା ଆଳରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଏ ନେଇ ଉଦଳା ଥାନା କେସ୍‌ ନଂ ୨୦/୨୨ରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଥିବା ବେଳେ ପ୍ରଦୀପ ଉକ୍ତ ଘଟଣାରେ ସଂପୃକ୍ତ ଥିବାର ଜାଣିବାକୁ ପାଇଥିଲା। ଗତକାଲି ସନ୍ଧ୍ୟାରେ ଉଦଳା ଥାନାର ଏକ ଟିମ୍‌ ପ୍ରଦୀପଙ୍କୁ ବାଲେଶ୍ବର ରେମୁଣା ଅଞ୍ଚଳରୁ ଗିରଫ କରି ରାତି ପ୍ରାୟ ୯ଟା ସମୟରେ ଉଦଳା ଥାନାରେ ପହଞ୍ଚିଥିଲା। ଗିରଫ ବେଳେ ପ୍ରଦୀପ ସୁସ୍ଥ ଥିଲେ ଓ ଥାନାରେ ରାତ୍ରି ଭୋଜନ ମଧ୍ୟ କରିଥିଲେ ବୋଲି ପୁଲିସ କହିଛି। ଏମିତିକି ଆଜି ଦିନ ପ୍ରାୟ ୧୦ଟା ସମୟରେ ପ୍ରଦୀପଙ୍କ ପତ୍ନୀ ଉଦଳା ଥାନାରେ ପହଞ୍ଚି ସ୍ବାମୀଙ୍କୁ ଦେଖା କରିଥିଲେ। ପୁଲିସ ଆଗରେ ପ୍ରଦୀପ ଚୋରି କଥା ସ୍ୱୀକାର କରିବା ସହିତ ଶାନ୍ତନୁ ଦାସ ନାମକ ଯୁବକ ତାଙ୍କ ସହ ସାମିଲ୍ ଥିଲା ବୋଲି କହିଥିବା କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସାର୍ଥକ ରାୟ ପ୍ରକାଶ କରିଛନ୍ତି।

ତେବେ ପୁଲିସର ଜେରା ବେଳେ ଦିନ ପ୍ରାୟ ୨ଟା ସମୟରେ ପ୍ରଦୀପ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ଶ୍ରୀ ରାୟ କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ମାଡ଼ରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ପ୍ରଦୀପଙ୍କ ମୃତ୍ୟୁ ଖବର ପାଇ ମନ୍ଦାରପୁର ଅଞ୍ଚଳରୁ ଶତାଧିକ ଲୋକ ଗାଡ଼ି କରି ଉଦଳାରେ ପହଞ୍ଚି ପୁଲିସ ବିରୋଧରେ ନାରାବାଜି କରିବା ସହିତ ଉଦଳା ଥାନା ଓ ଡାକ୍ତରଖାନା ଆଗରେ ଧାରଣା ଦେଇଥି‌ଲେ। ପରିସ୍ଥିତିକୁ ଦେଖି ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଖବର ଲେଖାହେବା ଯାଏ ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଭାତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ଏସଡିପିଓ ସୁଦର୍ଶନ ଦାସ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର