ଭିମ୍‌ସାର ନର୍ସିଂ କଲେଜରେ ଛାତ୍ର-କର୍ତ୍ତୃପକ୍ଷ ମୁହାଁମୁହିଁ : ଫସି ରହିଯାଇଥିବା ନେଇ ଟ୍ବିଟ୍‌ କଲେ ଛାତ୍ରଛାତ୍ରୀ

ଅଧୀକ୍ଷକଙ୍କ କାର୍ଯ୍ୟଳୟ ଭିତରେ ଅଧ୍ୟକ୍ଷାଙ୍କୁ ଧମକ ଅଭିଯୋଗ, ସୂଚନା ନଦେଇ ହଷ୍ଟେଲ ଛାଡ଼ିଲେ

ସମ୍ବଲପୁର : ଛୁଟି ପ୍ରଦାନକୁ କେନ୍ଦ୍ର କରି ଭିମ୍‌ସାର ନର୍ସିଂ କଲେଜରେ ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷା‌ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଅଧ୍ୟକ୍ଷା ଲୀଳାବତି ସ୍ବାଇଁ ଏଏନ୍‌ଏମ୍‌ ଜିଏନ୍‌ଏମ୍‌ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ କଲେଜ ନ ଛାଡ଼ିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ଅଧ୍ୟକ୍ଷା ଜାଣି ଶୁଣି ଛାତ୍ରଛା‌ତ୍ରୀଙ୍କୁ ହଷ୍ଟେଲ ଭିତରେ ବନ୍ଦ କରି ରଖିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଲକ୍‌ଡାଉନ୍‌ ପାଇଁ ‌୧୦୦ ଜଣ କଲେଜରେ ଫସି ଯାଇଥିବା ନେଇ ଛାତ୍ରଛାତ୍ରୀ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ କରି ଅଭିଯୋଗ କରିବା ସହ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ଏହି ଘଟଣାକୁ ନେଇ ଗୁରୁବାର ଭିମ୍‌ସାର ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷା ଲୀଳାବତି ସ୍ବାଇଁଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ‌କିଛି ଛାତ୍ରଛାତ୍ରୀ ଅଧ୍ୟକ୍ଷାଙ୍କୁ ଧମକ ମଧ୍ୟ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପରେ ସନ୍ଧ୍ୟାରେ ସମସ୍ତ ଛାତ୍ରଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ନଦେଇ ସରକାରଙ୍କ ନିର୍ଦେଶ ଉଲ୍ଲଂଘନ କରି ହଷ୍ଟେଲ ଛାଡ଼ି ବଲେରୋ ଯୋଗେ ନିଜ ନିଜ ଘରକୁ ଚାଲିଯାଇଥିବା ଜଣାପଡ଼ିଛି। କଲେଜ ଅଧ୍ୟକ୍ଷା ଲୀଳାବତି ସ୍ବାଇଁଙ୍କୁ ଏନେଇ ‌ଯୋଗାଯୋଗ କରାଯିବାରେ ଛାତ୍ରଛାତ୍ରୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ଓ ସେମାନେ ହଷ୍ଟେଲ ଛାଡ଼ି ଚାଲିଯାଇଥିବା କଥାକୁ ସ୍ବୀକାର କରିବା ସହ ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ ୧୧ ତାରିଖରୁ ଭିମ୍‌ସାର ବିଏସ୍‌ସି ନର୍ସିଂ କଲେଜ ଶେଷ ବର୍ଷର ପରୀକ୍ଷା ଚାଲିଥିଲା। ୨୧ ତାରିଖ ଯାଏ ଥିଓରି ଓ ୨୭ ତାରିଖ ଯାଏ ପ୍ରାକ୍ଟିକାଲ ପରୀକ୍ଷା ହେବାର ଥିଲା। ମାତ୍ର ୧୮ ତାରିଖରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଡା.ଅଜିତ ମହାନ୍ତି ଚିଠି ସଂଖ୍ୟା ୨୯୫ରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ଏହି ନିର୍ଦେଶନାମାରେ ରାଜ୍ୟର ସମସ୍ତ ଏଏନ୍‌ଏମ୍‌ ଓ ଜିଏନ୍‌ଏମ୍‌ ତାଲିମ୍‌ କେନ୍ଦ୍ରଗୁଡ଼ିକରେ ଛୁଟି ‌ହେବ ନାହିଁ ବୋଲି ନିର୍ଦେଶ ‌ଦିଆଯାଇଥିଲା। ଡାକ୍ତରଖାନାଗୁଡ଼ିକର ଅନ୍ତଃବିଭାଗ ଓ ବହିର୍ବିଭାଗରେ ଚାଲିଥିବା କ୍ଲିନିକାଲ୍‌ କ୍ଲାସ୍‌ ପୂର୍ବବତ୍‌ ଜାରି ରହିବ ଓ ସେମାନେ ଅନୁଷ୍ଠାନ ଛାଡ଼ି ଯାଇପାରିବେ ନାହିଁ ବୋଲି ମଧ୍ୟ ଉଲ୍ଲେଖ ରହିଥିଲା। ଏହି ନିର୍ଦେଶନାମା ଅନୁସାରେ ଭିମ୍‌ସାର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ୍‌ କରିନଥିଲେ କି ସେମାନଙ୍କୁ ଛାଡ଼ି ନଥିଲେ। ୨୧ ତାରିଖରେ ଥିଓରି ପରୀକ୍ଷା ଶେଷ ହେବା ପରେ ୨୨ ତାରିଖରେ ଜନତା କର୍ଫ୍ୟୁ ପାଇଁ ପରୀକ୍ଷା ବନ୍ଦ ରହିଥିଲା। ତେବେ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌‌ ଘୋଷଣା କରିବା ପରେ ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ୍‌ କରିଦିଆଯାଇଥିବା ନେଇ ନର୍ସିଂ ନିର୍ଦେଶାଳୟ ପକ୍ଷରୁ ଚିଠି ଜାରି କରାଯାଇଥିଲା। କିନ୍ତୁ ଛାତ୍ରଛାତ୍ରୀ ଅନୁଷ୍ଠାନ ଛାଡ଼ିପାରିବେ ନାହିଁ ବୋଲି ସରକାରଙ୍କ ନି‌ର୍ଦେଶ ରହିଥିବାରୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ତାକୁ ପାଳନ କରିଥିଲେ। ମାତ୍ର ସମସ୍ତ ଅନୁଷ୍ଠାନ ବନ୍ଦ ଥିବା ସମୟରେ କଲେଜ କର୍ତ୍ତୃପକ୍ଷ ଜାଣିଶୁଣି ସେମାନଙ୍କ ବନ୍ଦ କରି ରଖିଥିବା ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଛାତ୍ରଛାତ୍ରୀ ଟ୍ବିଟ୍‌ କରି ଅଭିଯୋଗ ଜଣାଇଥିଲେ।

ସମ୍ବନ୍ଧିତ ଖବର