ଭିମ୍‌ସାର୍‌ରେ ପୁଣି ଉତ୍ତେଜନା, ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୨ ଯୁବକ ଗିରଫ

କାନ ଧରି ଭୁଲ ମଗାଇବାର ଭିଡିଓ ଭାଇରାଲ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ଠେଲାପେଲା ଅଭିଯୋଗ ହୋଇଛି। ଏହାର ଜବାବରେ ଛାତ୍ରମାନେ ସଂପୃକ୍ତ ରୋଗୀ ସଂପର୍କୀୟଙ୍କୁ ଧରିନେଇ ପୁଲିସ୍‌ର ଜିମା ଦେବା ଏବଂ ବହୁ ସମୟ ଧରି ମେଡିକାଲ ଫାଣ୍ଡିକୁ ଘେରାଉ କରି ରଖିବା ଘଟଣାରେ ମେଡିକାଲ ପରିସର ଅଶାନ୍ତ ହୋଇଛି। ଛାତ୍ରମାନଙ୍କ ଏତଲା ଆଧାରରେ ପୁଲିସ୍‌ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଅପରପକ୍ଷେ ଡାକ୍ତରୀ ଛାତ୍ରମାନେ ବି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅବଶ୍ୟ ଏନେଇ ଏପର୍ଯ୍ୟନ୍ତ କୌଣସି ଏତଲା ରୁଜୁ ହୋଇନାହିଁ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

ବୁର୍ଲା ବଡ଼ ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡା. ଲାଲମୋହନ ନାୟକ ଏବଂ ଡାକ୍ତରୀ ଛାତ୍ରମାନେ କରିଥିବା ଅଭିଯୋଗ ମୁତାବକ ରବିବାର ଅପରାହ୍‌ଣରେ ୨ ଜଣ ଦୁର୍ବୃତ୍ତ ସ୍ନାୟୁଶଲ୍ୟ ବିଭାଗ ଅସ୍ତ୍ରୋପଚାର କକ୍ଷକୁ ଜବରଦସ୍ତି ପ୍ରବେଶ କରି ସେଠାରେ ଚିକିତ୍ସାରତ ସ୍ନାୟୁଶଲ୍ୟ ବିଭାଗର ସହାୟକ ପ୍ରଫେସର ଡା. ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ଏକ ଘରୋଇ ନର୍ସିଂହୋମ୍‌କୁ ଯାଇ ତାଙ୍କ ରୋଗୀଙ୍କୁ ଚିକିତ୍ସା କରିବାକୁ କହିଥିଲେ। ଡା. ପାଟ୍ଟଯୋଶୀ ମନା କରିବାରୁ ସେମାନେ ତାଙ୍କୁ ଗାଳିଗୁଲଜ ଓ ଠେଲାପେଲା କରିଥିଲେ। ଯୁବକଦ୍ବୟ ମଧ୍ୟ ଓଟି ଭିତରେ କାଚ ଟେବୁଲ ଇତ୍ୟାଦି ଭଙ୍ଗାରୁଜା କରିଥିଲେ। ପାଟି ଶୁଣି ସେଠାରେ ଡାକ୍ତରଖାନା କର୍ମଚାରୀ ଓ ଡାକ୍ତରୀ ଛାତ୍ରମାନେ ପହଞ୍ଚିଥିଲେ। ଜଣେ ଯୁବକ ପଳାଇ ଯାଇଥିଲା ବେଳେ ଅନ୍ୟ ଜଣକୁ ଆଣି ପୁଲିସ୍‌ର ଜିମା ଦେଇଥିଲେ। ଡା. ପାଟ୍ଟଯୋଶୀଙ୍କୁ ଦୁର୍ବ୍ୟବହାର କରିଥିବା ଅନ୍ୟ ଯୁବକକୁ ଗିରଫ କରିବା ସହ ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଛାତ୍ରମାନେ ବହୁ ସମୟ ଧରି ମେଡିକାଲ ଫାଣ୍ଡି ଘେରାଉ କରି ରଖିଥିଲେ। ଅତିରିକ୍ତ ଏସ୍‌ପି ସୁକାନ୍ତ ଦାଶ ମଧ୍ୟ ଘଟଣାକୁ ଏହି ପ୍ରକାର ବୋଲି ବର୍ଣ୍ଣନା କରିଛନ୍ତି। ଭିମସାର୍‌ ୟୁଜି ଛାତ୍ର ସଂସଦ ସଭାପତି ଦେବକୀ ନନ୍ଦନ ସେନାପତି କିନ୍ତୁ ଛାତ୍ରମାନେ ରୋଗୀ ସଂପର୍କୀୟଙ୍କୁ ମାଡ଼ ମାରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଉଭୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅପରପକ୍ଷରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା କଲେଜର କର୍ମଚାରୀ ଠଣ ସୁନ୍ଦର ବେହେରା ଅଭିଯୋଗ କରିଛନ୍ତି ଯେ, ସେ ଗୋଡ଼ରେ ଯନ୍ତ୍ରଣା ଯୋଗୁଁ ଗତ ସୋମବାର ଦିନ ବୁର୍ଲା ମେଡିକାଲକୁ ଆସି ଡା. ପାଟ୍ଟଯୋଶୀଙ୍କୁ ଦେଖାଇଥିଲେ। ଡା. ପାଟ୍ଟଯୋଶୀ ତାଙ୍କୁ ସମଲେଶ୍ବରୀ ନର୍ସିଂହୋମ ଯିବାକୁ ପରାମର୍ଶ ଦେଇଥିଲେ। ତା’ପରେ ଶ୍ରୀ ବେହେରା ଉକ୍ତ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ ଏବଂ ଡା. ପାଟ୍ଟଯୋଶୀ ତାଙ୍କ ଚିକିତ୍ସା କରିଥିଲେ। କିନ୍ତୁ ଏହାପରେ ଆଉ ଡାକ୍ତରଙ୍କ ଦେଖା ମିଳି ନଥିଲା। ରବିବାର ସକାଳେ ଡାକ୍ତର ପାଟ୍ଟଯୋଶୀ ନର୍ସିଂହୋମ ଆସିଥିଲେ। କେବେ ଡିସ୍‌ଚାର୍ଜ କରିଦେବେ ବୋଲି ଠଣସୁନ୍ଦରଙ୍କ ପୁଅ ମୁକେଶ ପଚାରିବାରୁ ଡା. ପାଟ୍ଟଯୋଶୀ ମୁକେଶ ଗାଲରେ ୨ ଚାପୁଡ଼ା ମାରିଥିଲେ ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ଏହାପରେ ରୋଗୀଙ୍କୁ ଡିସ୍‌ଚାର୍ଜ କରିଦେବାକୁ କହି ଫେରି ଯାଇଥିଲେ। ଚାପୁଡ଼ା ମାରିବା ସଂପର୍କରେ ଶ୍ରୀ ବେହେରା ଥାନାରେ ଅଭିଯୋଗ କରିବାକୁ ଚାହୁଥିଲା ବେଳେ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଏଭଳି ନ କରିବାକୁ ତାଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ମାଡ଼ ଖାଇଥିବା ମୁକେଶ ନିଜ ମାମୁଁ ପୁଅ ଭାଇ ଝସକେତନ (ଆଲୋକ) ରାଉତଙ୍କୁ ଡାକି ଅପରାହ୍‌ଣରେ ଡାକ୍ତରଖାନା ଯାଇଥିଲେ। ସେମାନେ ଡା. ପାଟ୍ଟଯୋଶୀଙ୍କୁ ଭେଟି ଏ ସଂପର୍କରେ ପଚାରିବା ମାତ୍ରେ ସେ ଡାକ୍ତରୀ ଛାତ୍ରମାନଙ୍କୁ ଡାକିଥିଲେ। ବହୁ ସଂଖ୍ୟାରେ ଡାକ୍ତରୀ ଛାତ୍ର ଆସୁଥିବା ଦେଖି ମୁକେଶ ସେଠାରୁ କୌଣସି ମତେ ଖସି ପଳାଇଥିଲେ। କିନ୍ତୁ ଛାତ୍ରମାନେ ଝସକେତନକୁ ଧରି ମରଣାନ୍ତକ ମାଡ଼ ମାରିଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ଉକ୍ତ ମାଡ଼ ଘଟଣାର ଏତଲା ଦେବାକୁ ବି ସେମାନଙ୍କୁ ସୁଯୋଗ ମିଳି ନାହିଁ, ଓଲଟି ପୁଲିସ୍‌ ମାଡ଼ ଖାଇଥିବା ଝସକେତନ ଓ ମୁକେଶକୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଠଣ ସୁନ୍ଦରଙ୍କ ଅଭିଯୋଗ ସଂପର୍କରେ ଡା. ପାଟ୍ଟଯୋଶୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

କାନ ଧରି ଭୁଲ ମଗାଇବାର ଭିଡିଓ ଭାଇରାଲ

ଡାକ୍ତରୀ ଛାତ୍ରମାନେ ରୋଗୀଙ୍କ ପୁଅ ଝସକେତନଙ୍କୁ ସର୍ବସାଧାରଣରେ କାନ ଧରି ଉଠବସ୍‌ କରିବା ଓ ଭୁଲ ମଗାଇବାର ଭିଡିଓ ଇତିମଧ୍ୟରେ ସହରରେ ଭାଇରାଲ ହୋଇଛି। ପୁଲିସ୍‌ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ମେଡିକାଲ ଫାଣ୍ଡିରେ ପୁଲିସ ହେପାଜତରେ ଥିବା ଝସକେତନଙ୍କୁ ବାହାରକୁ ଅଣାଯାଉଛି। ଗାଳିଗୁଲଜ ସହ କାନ ଧରିବାକୁ କୁହାଯାଉଛି। ଏହି ଭିଡିଓ ଭାଇରାଲ ପରେ ସମ୍ବଲପୁର ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର