ପୁରୀ : କିଏ ଅଧିକ ବଳଶାଳୀ? କାହା ଜିଦ୍ ରହିବ?

Advertisment

ଏତିକି କଥା ସାବ୍ୟସ୍ତ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ବାଜିରେ ଲଗାଇଦେଲେ ସେବକ ଓ ପ୍ରଶାସନ। ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, ପୂରା ୧୪ ଘଣ୍ଟା ଅପୂଜା, ଅଖିଆ ରଖିଦେଲେ ମହାପ୍ରଭୁଙ୍କୁ। ଉଭୟ ନିଜ ନିଜର ତାକତ ଦେଖାଇଲେ ଓ ଦୁଃସାହସ ପ୍ରଦର୍ଶନ କଲେ। ବାହାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ସହିତ ଢ଼େର୍ ଖେଳ ଚାଲିଲା। ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ଼ଦାଣ୍ଡରେ ଭକ୍ତ କଇଁ କଇଁ କାନ୍ଦୁଥିବା ଦୁନିଆ ଦେଖିଲା। ମଝିରେ ମଝିରେ ଶ୍ରୀମନ୍ଦିର ସାମ୍ନାରେ ପାହାର ଉଠାଉଥିଲା ପୁଲିସ, ଧସ୍ତାଧସ୍ତି ହେଉଥିଲା, ଠେଲାପେଲା ବି।

publive-image ଦର୍ଶନ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ

ଜଣେ ମହିଳା ଭକ୍ତ ବଙ୍ଗାଳୀ ନା ବିଦେଶୀ- ଏହାକୁ ନେଇ ଭିତରଚ୍ଛୁ ଓ ସୁରକ୍ଷା କର୍ମଚାରୀଙ୍କ ମଧ୍ୟରେ ଗୁରୁବାର ଗଣ୍ଡଗୋଳ ହୋଇଥିଲା। ଏହି ସାମାନ୍ୟ କଳି ଆଳରେ ଆଜି ପୁରୀ ଶ୍ରୀମନ୍ଦିରରେ ସେବକ ଓ ପ୍ରଶାସନ ଏତେ ତଳସ୍ତରକୁ ଖସିଗଲେ ଯେ ବିଶ୍ବନିୟନ୍ତାଙ୍କ ଜୟବିଜୟ ଦ୍ବାର କବାଟ ଭୋର ୩ଟା ବଦଳରେ ଅପରାହ୍ନ ୫ଟାରେ ଅର୍ଥାତ ୧୪ ଘଣ୍ଟା ବିଳମ୍ବରେ ଖୋଲିଲା। ସକାଳର ମଙ୍ଗଳ ଆଳତି ସନ୍ଧ୍ୟ‌ାରେ ହେଲା। ରାତି ୮ଟାରେ ମହାପ୍ରଭୁ ଦାନ୍ତ ଘଷିଲେ। ପହିଲି ଭୋଗ ନୀତି ହୋଇପାରିଲା ନାହିଁ। ଶ୍ରୀମନ୍ଦିର ଇତିହାସରେ ଆଜି ଆଉ ଏକ କଳଙ୍କର ଫର୍ଦ ଯୋଡ଼ି ହୋଇଗଲା।

ଭକ୍ତଙ୍କ ଭାବାବେଗକୁ ପଛକୁ ଠେଲିଦେଇ ପ୍ରଶାସନ ଓ ସେବକ କେତେ ସାଂଘାତିକ ଖେଳ ଖେଳିପାରନ୍ତି, ତାହା ଆଜି ସମଗ୍ର ଦେଶର ଶ୍ରୀଜଗନ୍ନାଥପ୍ରେମୀ ଦେଖିଛନ୍ତି। ଏହା ସେମାନଙ୍କୁ ଢେର୍ ଆଘାତ ଦେଇଛି। ବାରମ୍ବାର ଶ୍ରୀମନ୍ଦିରରେ ଘଟୁଥିବା ଏଭଳି କାଣ୍ଡକୁ ସମସ୍ତେ ଛି ଛି କରିଛନ୍ତି। କେବଳ ସେତିକି ନୁହେଁ, ଏହି ଘଟଣା ଓଡ଼ିଶାରେ ବାବୁରାଜ ପ୍ରତି ମଧ୍ୟ ଆଙ୍ଗୁଠି ଉଠାଇଛି। କାରଣ ଶ୍ରୀମନ୍ଦିରରେ ଏତେ ବଡ଼ ଅଘଟଣ ଘଟିଲା, ମହାପ୍ରଭୁ ଅଖିଆ ଅପୂଜା ରହିଗଲେ, କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ପୁରୀ ଆସିବାକୁ ଉଚିତ୍ ମଣିେଲ ନାହିଁ। ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ଆେଲାଚନା ବାରମ୍ବାର ବିଫଳ ହେଉଥିବା ସମସ୍ତେ ଜାଣିଲେ। ହେଲେ ଉପରିସ୍ଥ ଅଧିକାରୀ କେହି ବି ହସ୍ତକ୍ଷେପ କରିବା ଲାଗି ଆଗ୍ରହ ଦେଖାଇଲେ ନାହିଁ। ଓଲଟା ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଶ୍ରୀମନ୍ଦିର ଆଗରେ ଭିଡ଼ ନ ଜମାଇ ବେଳାଭୂମି ବୁଲିବାକୁ ଭକ୍ତଙ୍କୁ ପରାମର୍ଶ ଦେଇଥିଲେ। କହିଥିଲେ, ଯେତେବେଳେ ମନ୍ଦିର ଖୋଲିବ ଦର୍ଶନ କରିବ। ଏହା ସେମାନଙ୍କୁ ତାଜୁବ କରିଥିଲା। ବଡ଼ଦାଣ୍ଡର ଭିଡ଼କୁ ଏଡ଼ାଇବାକୁ ଯାଇ ଏସ୍‌ପି ଏମିତି କହିଛନ୍ତି ବୋଲି ସାର୍ଟିଫିକେଟ୍ ବି ଦେଇଥିଲେ ଜିଲ୍ଲାପାଳ।

ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଏହି ଘଟଣା ବ୍ୟଥିତ ବା ବିଚଳିତ କରିନାହିଁ। ସରକାର କେତେ ନିର୍ବିକାର ହୋଇପାରନ୍ତି, ତାହା ସେ ଆଜି ଦେଖାଇଛନ୍ତି। ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ହେଲେ ମନ୍ତ୍ରୀ କିଭଳି ନଜର ରଖିଥିଲେ, କାହା ସହିତ ଆଲୋଚନା କଲେ, ଏକଥା କେହି ଜାଣିପାରିଲେ ନାହିଁ।

ସେହିଭଳି ଆଜିର ଘଟଣାରେ ଖୋଦ୍ ଗଜପତି ମହାରାଜ ଦିବ୍ୟସିଂହ ଦେବ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ଅଗଣିତ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାନଯାଉ। ଶ୍ରୀମନ୍ଦିରର ମହାନ୍ ପରମ୍ପରାରେ କଳଙ୍କ ନ ଲାଗୁ। ମହାପ୍ରଭୁଙ୍କ ସେବା ଠାରୁ ଆଉ କୌଣସି ପ୍ରସଙ୍ଗ ବଡ଼ ନୁହେଁ। ଏହି ପ୍ରସଙ୍ଗରେ ସରକାର ହସ୍ତକ୍ଷେପ କରନ୍ତୁ। ମହାପ୍ରଭୁଙ୍କ ନୀତି ଯଥାଶୀଘ୍ର ଆରମ୍ଭ କରିବା ପାଇଁ ଆହ୍ୱାନ ଦେଇଥିଲେ ଗଜପତି ମହାରାଜା। ହେଲେ ଏହାର ମଧ୍ୟ କୌଣସି ପ୍ରଭାବ ସରକାର ବା ବଡ଼ ବାବୁମାନଙ୍କ ଉପରେ ପଡ଼ିନଥିଲା। ବରଂ ବିନା ଆଲୋଚନାରେ ସେବକମାନେ ବାଧ୍ୟ ‌ହୋଇ ଦ୍ବାର ଖୋଲିଥିଲେ। ବାବୁମାନଙ୍କ ଜିଦ୍ ରହିଲା ବୋଲି ସେମାନେ ଉତଫୁଲ୍ଲିତ ହେଉଥିଲେ ହେଁ ସରକାରଙ୍କ ଭାବମୂର୍ତିରେ ଆଜିର ଘଟଣା ଢେର୍ ପ୍ରଭାବ ପକାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ପହିଲି ଭୋଗ ନୀତି ଚାଲିଥିବା ବେଳେ ସ୍ବାଭାବିକ ଭାବେ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି ପାଇଁ ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି େହାଇଥିଲା। ଏହି କ୍ରମରେ ଆଜି ଶ୍ରୀମନ୍ଦିରରେ ଭୋର ୩ଟାରେ ଦ୍ବାର ଫିଟା ଯିବା କଥା। କିନ୍ତୁ ଆଜି ସକାଳୁ ସେମିତି ଘଟିନଥିଲା। ଶ୍ରୀମନ୍ଦିର ବ୍ୟବସ୍ଥା ଅନୁଯାୟୀ ଭିତରଚ୍ଛୁ ସେବାୟତ ଦ୍ବାର ଫିଟା ନୀତି ସଂପନ୍ନ କରିବା କଥା। ମାତ୍ର ଗତକାଲିର ଗ‌ଣ୍ଡଗୋଳକୁ କେନ୍ଦ୍ରକରି ଆଜି ସକାଳୁ ଭିତରଚ୍ଛୁ ସେବାୟତ ଧାରଣାରେ ବସିଯାଇଥିଲେ। ତାଙ୍କୁ ସମର୍ଥନ କରି ଅନ୍ୟ େସବାୟତମାନେ େବହରଣ ଦ୍ବାର ଆଗରେ ଧାରଣାରେ ସାମିଲ େହାଇଥିଲେ। ଫଳରେ ଆଜି ନୀତି ବିଭ୍ରାଟର ସବୁ ସୀମା ଟପିଯାଇଥିଲା।

ଅପରପକ୍ଷେ, ପରିସ୍ଥିତିରୁ ଫାଇଦା ଉଠାଇ ସେବକମାନେ ପୁରୁଣା ଦାବି ଉଠାଇଲେ। ଗତକାଲି ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ନିଲମ୍ବନ, ପୁରୀ ଏସପିଙ୍କ ବଦଳି, ପୁରୀ ହିଂସ‌ାକାଣ୍ଡ ଘଟଣାରେ ସଂପୃକ୍ତ ସେବାୟତଙ୍କ ଉପରୁ ମାମଲା ପ୍ରତ୍ୟାହାର, ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା ଆଦି ସବୁ ସ୍ଥାନ ପାଇଲା ଏଥିରେ। ଏ ନେଇ ଜିଲ୍ଲାପାଳ, ଏସପି ଓ ଉପଜିଲ୍ଲାପାଳ ଆନ୍ଦୋଳନରତ ସେବାୟତଙ୍କ ସହ ଦୁଇ ଦୁଇ ଥର ଆ‌ଲୋଚନା କରିଥିଲେ ବି ବୈଠକ ସଫଳ ହୋଇନଥିଲା। ସେବକମାନେ ନିଜ ଜିଦରେ ଅଟଳ ରହି ଧାରଣା ଜାରି ରଖିଥିଲେ। ପ୍ରଶାସନ ଦାବିଗୁଡ଼ିକୁ ଅଯୌକ୍ତିକ ଦର୍ଶାଇ ମାନିନଥିଲା। ଫଳରେ ଭୋର ୩ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଠାକୁର ଅପୂଜା, ଅଖିଆ ରହିଥିଲେ। ବଡ଼ଦାଣ୍ଡରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିନପାରି ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିଲେ। ପୁଲିସ ସେମାନଙ୍କୁ େରାକିବାକୁ େଚଷ୍ଟା କରିବାରୁ ଭକ୍ତ-ପୁଲିସଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି େହାଇଥିଲା। ଶେଷରେ ନିଜ ଆଡ଼ୁ ପରମ୍ପରା କ୍ଷୁଣ୍ଣ ଭୟରେ ଭିତରଚ୍ଛୁ ସେବକ ଅପରାହ୍ନ ୫ଟାରେ ଦ୍ବାର ଫିଟାଇ ଦେଇଥିଲେ। ତରବରିଆ ଭାବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ୟାନ୍ୟ ନୀତି ଜାରି ରହିଛି।

ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର କହିଛନ୍ତି, ସେବାୟତମାନେ ଯେଉଁ ଦାବି ରଖିଛନ୍ତି, ତାହା ଅଯୌକ୍ତିକ। ସେମାନେ ନିଜ ନିଜ ଭିତରେ ଆଲୋଚନା କରି ଦ୍ବାର ଖୋଲିଛନ୍ତି। ନୀତି ବନ୍ଦ ନ ରଖିବାକୁ ସକାଳୁ ଅନୁରୋଧ କରି ଆସିଛୁ। ଦୁଇ ଦୁଇ ଥର ‌ଆଲୋଚନା ପାଇଁ ଡକାଯାଇଥିଲେ ବି ସେବାୟତମାନେ ନିଜ ଜିଦରେ ଅଟଳ ରହିଥିଲେ। ଗତକାଲି ଏ ସଂପର୍କରେ ଆଲୋଚନା ହୋଇଥିଲା। ତଥାପି ଆଜି ନୀତିକାନ୍ତି ବନ୍ଦ ରଖିବା ଦୁର୍ଭାଗ୍ୟଜନକ ବୋଲି ‌ସେ କହିଥିଲେ।

ପ୍ରକାଶଥାଉ କି, ନୀତି ବନ୍ଦ ଯୋଗୁଁ ଆଜି ଦିନତମାମ ରୋଷଘର ଚୁଲି ଜଳିନି। ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ମହାପ୍ରସାଦ ଟିକିଏ ପାଇବାରୁ ବଞ୍ଚିତ ହୋଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶ କ୍ରମେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଭିତରକାଠ ଦର୍ଶନ ବ୍ୟବସ୍ଥା କରାଯାଇଛି। ନୂଆ ବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଏଭଳି ବିଶୃଙ୍ଖଳା ପ୍ରତି ସରକାର ସତର୍କ ନ ରହିଲେ, ଆଗକୁ ସ୍ଥିତି ଭୟଙ୍କର େହାଇପାରେ େବାଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।