ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚକିିତ୍ସାଳୟରେ ରୋଗୀମୃତ୍ୟୁକୁ ନେଇ ଉତ୍ତେଜନା

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚକିିତ୍ସାଳୟରେ ଆଜି ସଂଧ୍ୟାରେ ଜଣେ ଯୁବକଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ କରି ତାଙ୍କ ପରିବାର ସଦସ୍ୟମାନେ ଡାକ୍ତରଙ୍କୁ ମାଡ ମାରିବା ସହ ଭଙ୍ଗାରୁଜା କରିଥିଲେ। ଆଇନଶୃଙ୍ଖଳା ପାଇଁ ଟାଉନ୍‌ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ସୂଚନା ଅନୁଯାୟୀ, ସହରର ଖମାର ବିଲସାହିର ନରେନ୍ଦ୍ର ନାଏକ(୨୮) ଆଜି ସକାଳେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ। ମଧ୍ୟାହ୍ନରେ ଘରକୁ ଫେରି ଶୋଇଥିଲେ। ହଠାତ୍‌ ତାଙ୍କ ଦେହ ଜଳାପୋଡା କରି ଅସୁସ୍ଥ ହୋଇପଡିବାରୁ ଘରେ ଉପଚାର କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ସଂଧ୍ୟାରେ ପରିବାର ଲୋକେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଦାୟିତ୍ୱରେ ଥିବା ଡାକ୍ତର ତୁଷାରକାନ୍ତ ରଥ ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ହୋଇଥିବା ଘୋଷଣା କରିବା ସହ ବର୍ହିଃବିଭାଗ ଭିତରୁ ବାହାରକୁ ନେଇଯିବାକୁ କହିଥିଲେ। ପରିବାର ଲୋକେ ତାଙ୍କୁ ବାହାରକୁ ଆଣିବା ପରେ ଛାତିକୁ ବାରମ୍ବାର ଚାପିଥିଲେ ଫଳରେ ତାଙ୍କ ପାଟି ଭିରକୁ କିଛି ତରଳ ପଦାର୍ଥ ବାହାରକୁ ବାହାରିଥିଲା । ରୋଗୀ ବଂଚିଛି ଏବଂ ବାନ୍ତିକଲା ବୋଲି ଦର୍ଶାଇ ପରିବାର ଲୋକେ ଡାକ୍ତରଙ୍କୁ ଦୋଷାରୋପ କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରମାନେ ଚିକିତ୍ସା ନକରି ଏପରି ଉପର ଠାଉରିଆ ଭାବେ ମୃତ ଘୋଷଣା କରିଛନ୍ତି ବୋଲି ଆରୋପ କରି କେତେକ ଡାକ୍ତରଙ୍କୁ ମାଡମାରିବା ସହ ଭଙ୍ଗାରୁଜା କରିଥିଲେ।

ଗଣ୍ଡଗୋଳ ଖବର ପାଇ ଟାଉନ୍‌ ଥାନା ଅଧିକାରୀ ନମିତା ନାୟକ, ପୁଲିସ୍‌ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଡାକ୍ତର ଶ୍ରୀ ରଥ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରି ସଂପୃକ୍ତ ରୋଗୀଙ୍କୁ ୧୦ ମିନିଟ୍‌ ଧରି ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ଏହା ପରେ ମଧ୍ୟ ତାଙ୍କୁ ବିନା କାରଣରେ ଦୋଷାରୋପ କରାଯାଇ ମାଡ ମରାଯାଇଥିବା ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଡାକ୍ତରଙ୍କ ଅବହେଳା ପାଇଁ ନରେନ୍ଦ୍ରଙ୍କ ଜୀବନ ଚାଲିଯାଇଥିବା ମୃତକର ଭାଇ ପରଶୁ ଗଣମାଧ୍ୟମକୁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର