ବାମରା : ବାମରା ରେଳ ଷ୍ଟେସନରେ ବିଭିନ୍ନ ଟ୍ରେନ୍ ପୁନଃରହଣି ଦାବିରେ ଗତ ବୁଧବାର ଦୀର୍ଘ ପ୍ରାୟ ୧୧ ଘଣ୍ଟା ରେଳରୋକ ଆନ୍ଦୋଳନ କରା ଯାଇଥିଲା। ରେଳ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦାବି ମୁତାବକ ଟ୍ରେନ୍ ଅଟକିବ ବୋଲି ଅଞ୍ଚଳବାସୀ ଆଶ୍ବସ୍ତ ହୋଇଥିଲେ। ଗୁରୁବାର ସକାଳୁ କିନ୍ତୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ରେଳ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯିବାରୁ ଅଞ୍ଚଳବାସୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ଏହାକୁ ନେଇ ଆର୍ପିଏଫ୍ ଓ ଜନତା ମୁହାଁମୁହିଁ ହୋଇଥିଲେ। ଆର୍ପିଏଫ୍ ପକ୍ଷରୁ ଲାଠିଚାର୍ଜ ହୋଇଥିବାବେଳେ ଛିଡ଼ା ହୋଇଥିବା ଟ୍ରେନ୍ର କିଛି ଯାତ୍ରୀ ମଧ୍ୟ ପଥର ମାଡ଼ କରିଥିଲେ। ଏଥିରେ ପ୍ରାୟ ୧୫ ଜଣ ଆନ୍ଦୋଳନକାରୀ ଓ ୯ ଜଣ ଯବାନ ଆହତ ହୋଇଥିବା ଜଣାଯାଇଛି।
ପୂର୍ବରୁ ଅଟକୁଥିବା ୪ଟି ଏକ୍ସପ୍ରେସ ଟ୍ରେନ୍ ବ୍ୟତୀତ ଅନ୍ୟ ୩ଟି ଟ୍ରେନ ଧନବାଦ-ଆଲେପ୍ପି ଏକ୍ସପ୍ରେସ, ଟିଟିଲାଗଡ଼-ହାୱଡ଼ା ଇସ୍ପାତ ସୁପରଫାଷ୍ଟ ଓ ଟାଟାନଗର-ବିଳାସପୁର ପାସେଞ୍ଜର ଟ୍ରେନର ବାମରାରେ ରହଣି ହେବ ବୋଲି ବୁଧବାର ଆନ୍ଦୋଳନସ୍ଥଳରେ ରେଲ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଗୁରୁବାର ସକାଳୁ ପ୍ରତିଦିନ ଭଳି ବହୁ ସଂଖ୍ୟକ ଗରିବ ଆଦିବାସୀ ପୁରୁଷ, ମହିଳା ପନିପରିବା ବିକ୍ରି କରିବା ଓ ବିଭିନ୍ନ ଜାଗାକୁ କାମ ପାଇଁ ଯିବାକୁ ବାମରା ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଟିକଟ କାଉଣ୍ଟରର ସମସ୍ତ ସିଷ୍ଟମ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ତା’ ପରେପରେ ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ (ଯାହାର ପୂର୍ବରୁ ବାମରାରେ ରହଣି ଅଛି) ବାମରା ଷ୍ଟେସନରେ ନ ଅଟକି ସିଧାସଳଖ ଚାଲି ଯାଇଥିଲା। ଅପେକ୍ଷାରତ ମହିଳାମାନେ ଷ୍ଟେସନ ମ୍ୟାନେଜରଙ୍କ ଅଫିସକୁ ବୁଝିବାକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ମ୍ୟାନେଜର ଟିକନାଥ ନାଏକ ଚକ୍ରଧରପୁର ଡିଭିଜନର ଡିଆରଏମ୍ଙ୍କ ଆଦେଶ ମତେ ଗୁରୁବାର ବାମରା ଷ୍ଟେସନରେ କୌଣସି ଟ୍ରେନ୍ ରହିବ ନାହିଁ ବୋଲି ପ୍ରକାଶ କରିଥିଲେ। ସକାଳ ପ୍ରାୟ ୬ଟା ପରେ ଏନେଇ ମାଇକରେ ମଧ୍ୟ ଘୋଷଣା କରା ଯାଇଥିଲା। ଏହାପରେ ମହିଳାମାନେ ଉତ୍ତ୍ୟକ୍ତ ହୋଇ ପାଟିତୁଣ୍ଡ କରିବା ସହିତ ଷ୍ଟେସନ ମ୍ୟାନେଜରଙ୍କୁ ତାଙ୍କ ଅପରେଟିଂ ପ୍ୟାନେଲ ଅଫିସ୍ରୁ ବଳ ପୂର୍ବକ ତଡ଼ିଦେଇ ଉକ୍ତ ରୁମକୁ ବାହାର ପଟୁ ତାଲା ପକାଇ ଦେଇଥିଲେ।
ଏହି ଘଟଣା ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଶହଶହ ସ୍ଥାନୀୟ ଲୋକ ଷ୍ଟେସନ୍କୁ ମାଡ଼ି ଆସିଥିଲେ। ତାଲା ପକାଇବାର ଠିକ୍ ପରେ ହାଓଡ଼ା-ପୁନେ ଆଜାଦ ହିନ୍ଦ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ବାମରା ଷ୍ଟେସନରେ ପହଞ୍ଚିଥିଲା। ହେଲେ ଷ୍ଟେସନ୍ ମାଷ୍ଟର୍ଙ୍କୁ ବାହାର କରି ଦିଆ ଯାଇଥିବାରୁ ଅପରେଟିଂ ସିଗ୍ନାଲ ନ ପାଇ ସେଠାରେ ଛିଡ଼ା ହୋଇ ରହିଥିଲା। ଦିନ ୧୦ଟା ସୁଦ୍ଧା ବାମରା ଷ୍ଟେସନରେ ୩ ହଜାରରୁ ଅଧିକ ଲୋକ ରୁଣ୍ଡ ହୋଇ ବିକ୍ଷୋଭ ଆରମ୍ଭ କରି ଦେଇଥିଲେ। ଖବର ପାଇ କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ଅତିରିକ୍ତ ଏସ୍ପି ତପନ ମହାନ୍ତି, କୁଚିଣ୍ଡା ଏସ୍ଡିପିଓ ରାଜ କିଶୋର ମିଶ୍ର, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ବାମରା ତହସିଲଦାର ଅନିଲ କୁଲୁ, କୁଚିଣ୍ଡା ତହସିଲଦାର ପ୍ରସନ୍ନ ଟେଟେ ଏବଂ ବାମରା ବିଡିଓ ପୁଷ୍ପକ ପ୍ରଧାନ ପ୍ରମୁଖ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ। କିଛି ଘଣ୍ଟା ପରେ ରେଲବାଇ ପକ୍ଷରୁ ଏଆର୍ଏମ୍ ଅଜିତ ପଣ୍ଡା, ଚକ୍ରଧରପୁର ଡିଭିଜନର ଆର୍ପିଏଫ୍ କମାଣ୍ଡାଣ୍ଟ ଓମ୍କାର ସିଂହ, ସହକାରୀ କମାଣ୍ଡାଣ୍ଟ ରାଜୀବ ଉପାଧ୍ୟାୟ, ଜିଆର୍ପି ଡିଏସ୍ପି ପବିତ୍ର କିସାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପହଞ୍ଚି ଆଲୋଚନା ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲେ। ପରିସ୍ଥିତି ବିଗିଡ଼ିବା ଦେଖି ଦିନ ୨.୪୦ଟାରେ ଚକ୍ରଧରପୁର ଡିଆରଏମ୍ ଅରୁଣ ଜେ. ରାଠୋର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ପୂର୍ବରୁ ରହଣି ଥିବା ୭ ଯୋଡ଼ି ଏକ୍ସପ୍ରେସ ଓ ୪ ଯୋଡ଼ି ପାସେଞ୍ଜର ଟ୍ରେନ ନିୟମିତ ରହିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପୂର୍ବରୁ ଅନେକ ଥର ଲିଖିତ ପ୍ରତିଶ୍ରୁତି ଦେଇ ରେଳ କର୍ତ୍ତୃପକ୍ଷ ବାରମ୍ବାର ଠକୁଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ ଜିଦ୍ରେ ଅଡ଼ି ବସିଥିଲେ।
ଅପରାହ୍ଣ ପ୍ରାୟ ୩.୩୦ ବେଳକୁ ଆନ୍ଦୋଳନକାରୀ ଓ ରେଳବାଇ ପୁଲିସ ମଧ୍ୟରେ ପଟିତୁଣ୍ଡ, ବଚସା ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ପରିସ୍ଥିତି ଆୟତ୍ତ କରିବାକୁ ରେଳ ସୁରକ୍ଷା ବଳ ପକ୍ଷରୁ ସମସ୍ତେ ଚାଲିଯିବାକୁ ଚେତାବନୀ ଦିଆ ଯାଇଥିଲା। ଏଥିରେ ପୁଲିସ-ଜନତା ଧସ୍ତାଧସ୍ତି ହେବାରୁ ଅଚାନକ ଆର୍ପିଏଫ୍ ପକ୍ଷରୁ ଲାଠି ଚାର୍ଜ ଆରମ୍ଭ ହୋଇଥିଲା। ଏଥିରେ ପ୍ରାୟ ୧୫ ଜଣ ଆହତ ହୋଇଥିଲେ। ଏହି ସମୟରେ ସେଠାରେ ଠିଆ ହୋଇଥିବା ଟ୍ରେନ୍ର କିଛି ଯାତ୍ରୀ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ପଥର ମାଡ଼ କରିଥିଲେ। ପୁଲିସ-ଜନତା ଖଣ୍ଡଯୁଦ୍ଧରେ ଆରପିଏଫ୍ (ସ୍ପେଶାଲ ଫୋର୍ସ)ର ୬ ଜଣ ଯବାନଙ୍କ ମୁଣ୍ଡ ଫାଟିଥିବା ବେଳେ ୩ ଜଣ ମହିଳା ଯବାନଙ୍କୁ ମିଶାଇ ମୋଟ ୯ ଜଣ ଆହତ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ସ୍ଥାନୀୟ ଡାକ୍ତରଖାନା ଓ ରେଲୱେ ଯବାନମାନଙ୍କୁ ପ୍ଲାଟଫର୍ମରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପଥର ମାଡ଼ରେ ଜିଆର୍ପି ଡିଏସ୍ପିଙ୍କ ଚାରିଚକିଆ ଗାଡି, ରିଜର୍ଭ ପୁଲିସ ଭ୍ୟାନ ଏବଂ ଜନ ସାଧାରଣଙ୍କ କେତେକ ବାଇକ ଭାଙ୍ଗିରୁଜି ଯାଇଥିବା ଜଣାପଡିଛି। ଉତ୍ତ୍ୟକ୍ତ ଲୋକେ ବାମରାର ବିଭିନ୍ନ ଛକରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାସ୍ତା ଅବରୋଧ କରିଥିଲେ। ସେମାନେ ରେଳ ଅଧିକାରୀଙ୍କ ଯିବାଆସିବାକୁ ବିରୋଧ କରିଥିଲେ। ଏହାପରେ ଲୋକଙ୍କ ଅସନ୍ତୋଷ ଆହୁରି ଉଗ୍ର ହୋଇଥିଲା।
ଜନସାଧାରଣ ପଶ୍ଚିମ କ୍ୟାବିନ ରେଳ ଫାଟକ ଭଙ୍ଗାରୁଜା କରି ରେଳ ଧାରଣା ଉପରେ କେବୁଲ ଓ ଟାୟାର ଜଳାଇଥିଲେ। ସଂଧ୍ୟା ୪.୩୦ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ବେଳେ ନିଆଁକୁ ଅଗ୍ନିଶମ ବିଭାଗ ପହଞ୍ଚି ଆୟତ୍ତ କରିଥିଲା। ଅଟକି ରହିଥିବା ଆଜାଦ ହିନ୍ଦ୍ ଏକ୍ସପ୍ରେସ ଟ୍ରେନ ସଂଧ୍ୟା ୪ଟା ୨୦ରେ ଗନ୍ତବ୍ୟପଥ ଅଭିମୁଖେ ଯାତ୍ରା କରିଥିଲାବେଳେ ସଂଧ୍ୟା ୫ଟା ପରେ କେତେକ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିଥିଲା। ହେଲେ ନିଆଁ ଲଗାଯିବା କାରଣରୁ ପୁଣି ରେଳ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାତି ୮ ଟାରେ ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ, ଜଣେ ଏସ୍ଡିପିଓ, ତହସିଲଦାର ତଥା ମାଜିଷ୍ଟ୍ରେଟ୍ ଶ୍ରୀ କୁଲୁ ଷ୍ଟେସନବସ୍ତି କାଳୀମଣ୍ଡପରେ ଏକ ବୈଠକ କରିଥିଲେ। ବୈଠକରେ ଉପସ୍ଥିତ ଶତାଧିକ ଲୋକଙ୍କୁ ବୁଝାଶୁଝା କରାଯିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରା ଯାଇଥିଲା। ବର୍ତ୍ତମାନ ଘଟଣାକୁ ନେଇ ବାମରାରେ ଉତ୍ତେଜନା ଲାଗିରହିଛି। ରେଳବାଇ ଫୋର୍ସ ଓ ସାଧାରଣ ପୁଲିସ୍ ବଳ ପରିସ୍ଥିତି ଆୟତ୍ତ କରିବାକୁ ବାମରାରେ ଜଗି ରହିଛନ୍ତି।