ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ପୁରୁଣାପାଣି ଗ୍ରା.ପର ୩ଟି ଗ୍ରାମ ନିକଟରେ ରୁଙ୍ଗଟା ଷ୍ଟିଲ୍ କମ୍ପାନି ସ୍ଥାପନା କରାଯିବା ନେଇ ଆଜି ପୁରୁଣାପାଣି ଉ.ପ୍ରା ବିଦ୍ୟାଳୟ ପାର୍ଶ୍ବ ପଡ଼ିଆରେ ଗ୍ରାମପଂଚାୟତ ପକ୍ଷରୁ ଏକ ଗ୍ରାମସଭା ଡକାଯାଇଥିଲା। ଉକ୍ତ ସଭାରେ ରାଇରଙ୍ଗପୁର ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଟାଉନଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ, ପୁରୁଣାପାଣି ସରପଞ୍ଚ ବାଲ୍ହିମଣୀ ଟୁଡୁ, ପୁରୁଣାପାଣି ଆରଆଇ ସୁନାରାମ୍ ମାଝୀଙ୍କ ସମେତ ପୁରୁଣାପାଣି ପଂଚାୟତର କନ୍ଟାବଣୀ, ଆନନ୍ଦପୁର ଓ ଦାଣ୍ଡବୋଷ ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
ତେବେ ଉପସ୍ଥିତ ଥିବା ଗ୍ରାମବାସୀମାନଙ୍କ ମଧ୍ୟରୁ କିଛି ଗ୍ରାମବାସୀ ରୁଙ୍ଗଟା ଷ୍ଟିଲ୍ କମ୍ପାନି ସ୍ଥାପନା କରିବା ପାଇଁ ଚାହୁଁଥିବା ବେଳେ କିଛି ଲୋକେ ତାହାକୁ ବିରୋଧ କରୁଥିଲେ। ତେବେ ସେହି ସମୟରେ କିଛି ବିରୋଧୀ ସଭାକୁ ଭଣ୍ଡୁର କରିବା ପାଇଁ ଗଣ୍ଡଗୋଳ କରିଥିବା ନେଇ ରାଇରଙ୍ଗପୁର ଟାଉନଥାନାରେ ଆନନ୍ଦପୁର ଗ୍ରାମର ରାଉଦେ ବାସ୍କେ ଅଭିଯୋଗ କରିଛନ୍ତି। ସେହି ସମୟରେ ରୁଙ୍ଗଟା ଷ୍ଟିଲ୍ କମ୍ପାନୀକୁ ବିରୋଧ କରୁଥିବା ଦାଣ୍ଡବୋଷ ଗ୍ରାମର ମାନୁ କିସ୍କୁ, ଆନନ୍ଦପୁର ଗ୍ରାମର କାହ୍ନୁ ହାଁସଦାଃ, ରୁପାଇ ମୁର୍ମୁ, ଆରସୁ ମୁର୍ମୁ ପ୍ରମୁଖ ହଠାତ୍ ଗ୍ରାମ ସଭାକୁ ଆସି ପାଟିତୁଣ୍ଡ କରି କରିବା ସହିତ ଟେକା, ପଥର ଫିଙ୍ଗିଥିଲେ। ଟେକା ପଥର ମାଡ଼ରେ କିଛି ଗ୍ରାମବାସୀ, ପୁଲିସ ପ୍ରଶାସନ, ବ୍ଲକ୍ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି।
ଗଣ୍ଡଗୋଳ ସମୟରେ ମାନୁ କିସ୍କୁ, କାହ୍ନୁ ହାଁସଦାଃ ଓ ରୁପାଇ ମୁର୍ମୁ ମିଶି ରାଉଁଦେଙ୍କୁ ମାଡ଼ ମାରିବା ସହିତ ପିନ୍ଧିଥିବା ସାଢ଼ି ଓ ବ୍ଲାଉଜକୁ ସର୍ବସାଧାରଣ ସମ୍ମୁଖ୍ୟରେ ଛିଣ୍ଡାଇବା ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ, ଯାହାକୁ ତାଙ୍କ ଇଜ୍ଜତ୍ ହାନି ଘଟିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହାବ୍ୟତିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି। ରାଉଁଦେଙ୍କୁ ଆକ୍ରମଣ ସମୟରେ ପୁଲିସ ତାଙ୍କୁ ଉଦ୍ଧାର କରିଛି। ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ କେସ୍ ନଂ ୬୮/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଆଜି କିଛି ଗ୍ରାମବାସୀ ଗ୍ରାମସଭା ସମୟରେ ଘଟଣାସ୍ଥଳରେ ୪ ଘଣ୍ଟା ଧରି ଚାପା ତତ୍ତେଜନା ସୃଷ୍ଟି ହୋଇଥିଲା। ଏପରିକି କିଛି ଗ୍ରାମବାସୀ କୋର୍ଟ ଭ୍ୟାନକୁ ମଧ୍ୟ ଅଟକ ରଖିଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ ରୁଙ୍ଗଟା କମ୍ପାନି ପ୍ରତିଷ୍ଠାକୁ ବିରୋଧ କରି ୨୩ ଜୁନ୍ ୨୦୨୩ରେ ପେସା ଆକ୍ଟ ପକ୍ଷରୁ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ପେସା ଆକ୍ଟ ପକ୍ଷରୁ ରାଇରଙ୍ଗପୁରରରେ ରୁଙ୍ଗଟା ଷ୍ଟିଲ୍ କମ୍ପାନି ପ୍ରତିଷ୍ଠାକୁ ବିରୋଧ କରି ଆଗତ ରିଟ୍ ପିଟିସନକୁ ୨୧ ଡିସେମ୍ବର ୨୦୨୩ରେ ଉଚ୍ଚତମ ନ୍ୟାୟଳୟ ଖାରଜ କରିଥିଲେ।