ସାଇନ୍‌ ଡାଏ ଉଠିଲା : ବାଣୀବିହାର ପୁଣି ଅଶାନ୍ତ

ପୁଣି ନିର୍ବାଚନ ଦାବି ତେଜିଲା

ଭୁବନେଶ୍ୱର : ସାଇନ୍‌ ଡାଏ ଉଠିବା କ୍ଷଣି ପୁଣିଥରେ ଅଶାନ୍ତ ହୋଇଉଠିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ନିର୍ବାଚନ ଦାବିରେ ଛାତ୍ର ବିଜେଡିର ଆଶାୟୀ ସଭାପତି ପ୍ର୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଓ ସମର୍ଥକମାନେ ଆଜି ପୂର୍ବାହ୍ନରେ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଘେରାଉ କରିବାରୁ କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଛି। ଅପରାହ୍ନରେ ପ୍ରାୟ ଏକ ଘଣ୍ଟା ଧରି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏବଂ ଛାତ୍ରଙ୍କ ମଧ୍ୟରେ ଆଲୋଚନା ପରେ ନିର୍ବାଚନ କରିବା ନେଇ ୪ଟି ପ୍ରସ୍ତାବ ରଖାଯାଇଛି। ଯଦି ସେଗୁଡ଼ିକୁ ଅନୁମତି ମିଳେ ତେବେ ନିର୍ବାଚନ ହେବ ବୋଲି ଆନ୍ଦୋଳନରତ ଛାତ୍ରଙ୍କୁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ଅନ୍ୟପକ୍ଷରେ ଏବିଭିପି ପକ୍ଷରୁ ମଧ୍ୟ କ୍ୟାମ୍ପସ୍‌ରେ ନିର୍ବାଚନ କରିବା ଏବଂ ଅନ୍ୟାନ୍ୟ ଦାବି ନେଇ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଜୟନ୍ତ ପରିଡ଼ା କହିଛନ୍ତି ଯେ, ନିର୍ବାଚନ କରିବାକୁ ଛାତ୍ରମାନେ ଯେଉଁ ଦାବି କରୁଛନ୍ତି ସେନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ସମେତ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ। ଯଦି ପୁଣିଥରେ ନିର୍ବାଚନ କରିବାକୁ ସେମାନେ ଅନୁମତି ଦିଅନ୍ତି ତେବେ ନିର୍ବାଚନ କରାଯିବାର ସମ୍ଭାବନା ରହିଛି। ଏଥିସହ ସୁରକ୍ଷା ଦୃଷ୍ଟିରୁ ପୁଲିସର ମଧ୍ୟ ଅନୁମତି ଦରକାର। ବିଶ୍ୱବିଦ୍ୟାଳୟର ଆଇନ ପରାମର୍ଶଦାତାଙ୍କଠାରୁ ମଧ୍ୟ ଏନେଇ ପରାମର୍ଶ ନିଆଯିବ। ଏଥିସହ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ୩ଟି ଯାକ ଛାତ୍ର ସଙ୍ଗଠନର ପ୍ରାର୍ଥୀମାନଙ୍କ ବୈଠକ ଡକାଯାଇଛି। ଏ ନେଇ ସେମାନଙ୍କ ମତାମତ ବି ନିଆଯିବ। ଯଦି ଏହି ୪ଟି ଯାକ ପ୍ରସ୍ତାବକୁ ଅନୁମତି ମିଳିବ ତେବେ ପିଜି କାଉନସିଲ୍‌ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ସାଇନ୍‌ ଡାଏ ଉଠିବା ପରେ ଆଜି ସକାଳୁ କ୍ୟାମ୍ପସରେ ପରିସ୍ଥିତି ସ୍ୱାଭାବିକ ରହିଥିଲା। ଛାତ୍ରଛାତ୍ରୀ ମୁଖ୍ୟ ଫାଟକରେ ସେମାନଙ୍କ ପରିଚୟପତ୍ର ଦେଖାଇ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଛାତ୍ର ବିଜେଡିର ସଭାପତି ପ୍ରାର୍ଥୀଙ୍କ ସମେତ ସମର୍ଥକମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଆଲୋଚନା ପାଇଁ କୁଳପତି କାର୍ଯ୍ୟାଳୟ ବାହାରକୁ ଆସିବା କ୍ଷଣି ଛାତ୍ରମାନେ ତାଙ୍କୁ ଗାଳିଗୁଲଜ ବି କରିଥିଲେ। ଏତିକିବେଳେ ପୁଲିସ ଛାତ୍ରମାନଙ୍କୁ ଅଟକାଇବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଅପରାହ୍ନରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅନ୍ୟପକ୍ଷରେ ଏବିଭିପିର ସଭାପତି ପ୍ରାର୍ଥୀ ରତନ କୁମାର ଦିଗଲ୍‌ଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ କୁଳପତିଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର