ହାତୀ ପାଇଁ ଚିନ୍ତା ବଢ଼ୁଛି

ଆକ୍ରମଣରେ ଶିକ୍ଷକ ଗୁରୁତର, ବେଲଘରରେ ଯନ୍ତ୍ରଣାରେ ଛଟପଟ

ଖୁଣ୍ଟୁଣୀ/ତୁମୁଡ଼ିବନ୍ଧ : କଟକ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟୁଣୀଠାରେ ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଅପରପକ୍ଷେ, କନ୍ଧମାଳ ଜିଲ୍ଲା ବେଲଘର ଫରେଷ୍ଟ ରେଞ୍ଜରେ ପୁଣି ଏକ ହାତୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଠଗଡ଼ ବ୍ଲକ୍‌ ତଥା ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ ଅଧୀନ ଓରନ୍ଦା ପଞ୍ଚାୟତର ବାଳି ରାଧାପ୍ରିୟାପୁର ଶାସନ ଗ୍ରାମରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେ ହେଉଛନ୍ତି ଦୟାନିଧି ମିଶ୍ର (୮୦)। ଆଜି ସକାଳ ୬ଟାରେ ଶ୍ରୀ ମିଶ୍ର ଘର ନିକଟ ନଳକୂଅକୁ ମୁହଁ ଧୋଇବା ପାଇଁ ଯାଇଥିଲା ବେଳେ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଧରି ଫୋପାଡ଼ି ଦେଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲା ବେଲଘର ଫରେଷ୍ଟ ରେଞ୍ଜରେ ଏବେ ହାତୀ ମୋଟେ ସୁରକ୍ଷିତ ନୁହନ୍ତି। ବନ ବିଭାଗର ନିଷ୍କ୍ରିୟତାକୁ ଆଜି ଦାୟୀ କରିଛନ୍ତି ଅଂଚଳବାସୀ। କିଛିଦିନ ତଳେ ସିକ୍‌କି ଗ୍ରାମରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥିବା ବେଳେ ଏବେ ଦୁଇ ଦିନ ହେଲା ଲଙ୍କାଗଡ ଜଙ୍ଗଲର ବାରିଙ୍ଗିଲି ନିକଟ ଜଙ୍ଗଲରେ ଏକ ହାତୀ  ଯନ୍ତ୍ରଣାରେ ଛଟପଟ ହୋଇ ଗର୍ଜନ କରୁଥିବା ଗ୍ରାମବାସୀ କହିଛନ୍ତି। ଅସୁସ୍ଥ ହାତୀ ଚାରିପଟେ କିଛି ହାତୀ ଜଗି ରହିଛନ୍ତି। ତେଣୁ ହାତୀ ଭୟରେ ସେହି ସ୍ଥାନକୁ କେହି ଯାଇପାରୁ ନାହାନ୍ତି। ନିକଟସ୍ଥ ଗ୍ରାମବାସୀ ଏବେ ଏବେ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର