ଶିଶୁ ମୃତ୍ୟୁ ନେଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ରୁପ୍‌ସା/ବସ୍ତା-୨/ଗାନ୍ଧୀଛକ: ବସ୍ତା ଥାନା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଏକ ନବଜାତ  ଶିଶୁ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ସୂଚନା ଅନୁଯାୟୀ, ବାଲିଆପାଳ ଥାନା ବଡ଼ାଶ ଗ୍ରାମର ବଳରାମ ମାହାନ୍ନାଙ୍କ ସ୍ତ୍ରୀଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକେ ଗତକାଲି ସକାଳେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡ୍ୟୁଟିରେ ଥିବା ଡାକ୍ତର ପରୀକ୍ଷା କରି ପେଟ ଭିତରେ ପିଲାଟି ଓଲଟା ଥିବା କହିବା ସହ ପ୍ରସୂତିଙ୍କୁ  ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାର ଲୋକେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ହସପିଟାଲକୁ ପଠାଇବା ସମୟରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ  ଏକ ଶିଶୁପୁତ୍ର ଜନ୍ମ ନେଇଥିଲା। ମାତ୍ର ପୁତ୍ର ସନ୍ତାନ ଜନ୍ମ ନେବା ପରେ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଆସି ନଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ଯାହା ଫଳରେ ଆଜି ସକାଳେ ନବଜାତ ଶିଶୁ ପୁତ୍ରଟିର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିବା ସହ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳା ଓ ଅଧିକ ଅର୍ଥ ଦାବିରେ ଉଦ୍ଦେଶ୍ୟମୂଳକ ଭାବେ ଡାକ୍ତର ଏଭଳି କାର୍ଯ୍ୟ କରିଥିବା ନେଇ ପରିବାର ଲୋକ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି। ତେବେ ଘଟଣା ସମ୍ପର୍କରେ ପଚାରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର