ନିର୍ବାଚନ ପ୍ରଚାର ‌‌‌ବେଳେ କୋଟିଆରେ ଉତ୍ତେଜନା: ପ୍ରାର୍ଥୀଙ୍କୁ ଡରାଉଛି ଆନ୍ଧ୍ର, ଏଜେଣ୍ଟମାନେ ମଧ୍ୟ ଧମକ ଦେଉଛନ୍ତି

ଆନ୍ଧ୍ର ପୁଲିସ ପଶି ପ୍ରାର୍ଥୀଙ୍କ ବିବରଣୀ ମାଗୁଛି

କୋରାପୁଟ: କୋଟିଆରେ ଫୋର୍ସ ପୂରାଇ ନିର୍ବାଚନ କଲା ଆନ୍ଧ୍ର ପ୍ରଶାସନ। ଓଡ଼ିଶା ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଭଣ୍ଡୁର କରିବା ଲାଗି ପୂରା ଦମ୍‌ରେ ଲାଗିପଡ଼ିଛି। ପୁଲିସ ପୂରାଇ ପ୍ରାର୍ଥୀମାନଙ୍କୁ ଧମକ ଦେଉଛି। କିଏ ସବୁ ପ୍ରାର୍ଥୀ ହୋଇଛନ୍ତି, ତାହାର ବିବରଣୀ ଓଡ଼ିଶା ପ୍ରଶାସନକୁ ମାଗୁଛି। ଆନ୍ଧ୍ର ଏଜେଣ୍ଟମାନେ ମଧ୍ୟ ଉତ୍ପାତ କରିବା ଆରମ୍ଭ କରିଦଲେଣି। ଘର ଘର ବୁଲି ଲୋକଙ୍କୁ ମତଦାନରୁ ଦୂରେଇ ରହିବାକୁ ମତାଉଛନ୍ତି। ଏହାକୁ ନେଇ ସଂପୃକ୍ତ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲାଣି।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସୀମା ଡେଇଁ ଆଜି ଆନ୍ଧ୍ର ପୁଲିସ ଓଡ଼ିଶାରେ ପ୍ରବେଶ କରିଥିଲା। ଆନ୍ଧ୍ରପ୍ରଦେଶ ସାଲୁର ପୁଲିସ ସିଆଇ ଡି. ରୋହିଣୀ ପତି, ରାମା ରାଓ, ଈଶ୍ବର ରାଓ ପ୍ରମୁଖ ପୂର୍ବ ସୂଚନା ନ ଦେଇ ହଠାତ୍‌ ପଟାଙ୍ଗିରେ ପହଞ୍ଚିଥିଲେ। ପଟାଙ୍ଗି ଥାନା ଏବଂ ବ୍ଲକ୍‌ କାର୍ଯ୍ୟାଳୟରୁ ପଞ୍ଚାୟତ ନିର୍ବାଚନ ସଂପର୍କିତ ତଥ୍ୟ ମାଗିଥିଲେ। କୋଟିଆରେ କେତେ ଜଣ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ପ୍ରାର୍ଥୀଙ୍କ ନାମ, ଠିକଣା ସହ ସଂପୂର୍ଣ୍ଣ ବିବରଣୀ ଦେବାକୁ କହିଥିଲେ। ଏହି ତଥ୍ୟ ମାଗିବା ପଛର କାରଣ ସଂପର୍କରେ ସ୍ପଷ୍ଟ ରୂପେ କିଛି କହି ନଥିଲେ। କେବଳ ଆଇନ ଶୃଙ୍ଖଳା ପରିସ୍ଥିତିର ଦ୍ବାହି ଦେଇଥିଲେ। ତେବେ ପଟାଙ୍ଗି ବ୍ଲକ୍‌ ପ୍ରଶାସନ କୌଣସି ତଥ୍ୟ ଦିଆଯିବ ନାହିଁ ବୋଲି ସଫାସଫା କହିଥିଲା।

କେବଳ ଏତିକି ନୁହେଁ, ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବା ଲାଗି ଆନ୍ଧ୍ର ଏଜେଣ୍ଟମାନେ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି। ଗାଁ ଗାଁ ବୁଲି ଲୋକଙ୍କୁ ମତଦାନରୁ ଦୂରେଇ ରହିବାକୁ ମତାଉଛନ୍ତି। ଯଦି କେହି ସେମାନଙ୍କ କଥା ଶୁଣୁନାହିଁ ତେବେ ପରୋକ୍ଷରେ ଧମକ ଦେଉଛନ୍ତି। ଗତକାଲି ତ ଏହି ଏଜେଣ୍ଟମାନେ ବିଶୃଙ୍ଖଳାର ସବୁ ସୀମା ଡେଇଁ ଯାଇଥିଲେ। କୋଟିଆରେ ପ୍ରଚାର କରୁଥିବା ବେଳେ କିଛି ପ୍ରାର୍ଥୀଙ୍କୁ ରାସ୍ତାରେ ଅଟକାଇ ଧମକ ଦେବାକୁ ପଛାଇ ନଥିଲେ। ଜିଲ୍ଲା ପରିଷଦ ପ୍ରାର୍ଥୀ ଟିକାଇ ଗେମେଲ ଏବଂ ସରପଞ୍ଚ ପ୍ରାର୍ଥୀ
ବିଶ୍ବନାଥ ଖିଲଙ୍କ ସହ ଯୁକ୍ତିତର୍କ କରିଥିଲେ। ପ୍ରଚାର କରିବାକୁ ବି ବାରଣ କରିଥିଲେ। ଆସନ୍ତା ୧୮ତାରିଖରେ କୋଟିଆରେ ମତଦାନ ହେବ। ଆଉ ସପ୍ତାହେ ରହିଥିବା ବେଳେ ଏହା ପୂର୍ବରୁ ଆନ୍ଧ୍ରର ଏଭଳି ଆଚରଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏସଂପର୍କରେ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ କେହି ବି ଚାହିଁଲେ ଏବଂ କୌଣସି ପରିସ୍ଥିତିରେ କୋଟିଆରେ ନିର୍ବାଚନ ବନ୍ଦ ହେବନାହିଁ। ସମ୍ବିଧାନ ଅନୁଯାୟୀ ଏଠାରେ ନିର୍ବାଚନ କରିବାକୁ ପ୍ରଶାସନ ପଦକ୍ଷେପ ନେଉଛି। ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଏସ୍‌ପି ଉତ୍କଳ କେଶରୀ ଦାସ କହିଛନ୍ତି, କୋଟିଆରେ କେହି ଅଶାନ୍ତି ସୃଷ୍ଟି କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର