ପରୀକ୍ଷା ଫଳକୁ ନେଇ ଖଡ଼ିଆଳ ପବ୍ଲିକ୍‌ ସ୍କୁଲରେ ଉତ୍ତେଜନା

ଖଡ଼ିଆଳ : ଖଡ଼ିଆଳ ପବ୍ଲିକ୍‌ ସ୍କୁଲରେ ଉତ୍ତେଜନା ଦେଖାଦେଇଛି। ସିବିଏସ୍‌ଇ ପରୀକ୍ଷା ଫଳ ଜାଲିଆତି କରାଯାଇଥିବା ଅଭିଯୋଗ କରି ବୁଧବାର ଅଭିଭାବକ ମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ପ୍ରି ଟେଷ୍ଟ ପରୀକ୍ଷାରେ ଠିକ୍‌ ମାର୍କ ରଖିଥିଲେ ମଧ୍ୟ ବର୍ତ୍ତମାନର ସିବିଏସ୍‌ଇ ଫାଇନାଲ୍‌ରେ କମ୍‌ ମାର୍କ ପାଇଛନ୍ତି। ପୂର୍ବରୁ କମ୍‌ ମାର୍କ ପାଇଥିବା ଛାତ୍ରଛାତ୍ରୀ ଅଧିକ ମାର୍କ ପାଇଥିବା ଅଭିଯୋଗ ହୋଇଛି।

ଖଡ଼ିଆଳ ନିବାସୀ ତେଜପାଲ ସିଂହଙ୍କର ଓ ପ୍ରଭୁଜିତ କରଙ୍କ ଝିଅ ଯଶ କିରନ କର ୬୪ % ମାର୍କ ରଖିଛନ୍ତି। ୭୫ % ରୁ ଅଧିକ ମାର୍କ ଝିଅ ରଖିବା କଥା ବୋଲି ବାପା-ମା’ ଅଭିଯୋଗ କରିଛନ୍ତି। ସେହିପରି ବରଗାଁ ନିବାସୀ ଅଜିତ ପଣ୍ଡାଙ୍କ ପୁଅ ଅଖିଲେଶ ପ୍ରି ଟେଷ୍ଟ ପରୀକ୍ଷାରେ ୯୪ % ମାର୍କ ରଖିଥିବା ବେଳେ ସିବିଏସ୍‌ଇ ଫାଇନାଲ୍ ପରୀକ୍ଷାରେ ୭୦ % ମାର୍କ ରଖିଛନ୍ତି। ଏହିପରି କିଛି ଅଭିଭାବକ ଅଭିଯୋଗ କରିବା ସହ ସବୁ ଛାତ୍ରଛାତ୍ରୀଙ୍କର ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି। ଏନେଇ ସ୍କୁଲ ଅଧ୍ୟକ୍ଷ ଏସ୍‌ ଶ୍ରୀନିବାସଙ୍କୁ ପଚାରିବାରୁ ସିବିଏସ୍‌ଇର ନିର୍ଦ୍ଦେଶନାମା ଅନୁଯାୟୀ ମାର୍କ ଦିଆଯାଇଛି ଓ କୌଣସି ପକ୍ଷପାତିତା କରାଯାଇ ନାହିଁ ବୋଲି କହିଛନ୍ତି। କିନ୍ତୁ ଅଧ୍ୟକ୍ଷଙ୍କ ଏହି ମତାମତକୁ ଅଭିଭାବକମାନେ ଗ୍ରହଣ ନକରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର