ସମ୍ବଲପୁର: ସମଲେଇ ଯୋଜନାରେ ଉଚ୍ଛେଦ ପ୍ରକ୍ରିୟା ସମୟରେ ପ୍ରଶାସନ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି। ମଙ୍ଗଳବାର ସମ୍ବଲପୁର ଘୁନଘୁଟିପଡ଼ାରେ ଉତ୍ତେଜନା ଦେଖାଦେଇଛି। କୋର୍ଟରେ ମାମଲା ଚାଲିଥିବା ବେଳେ ଶୁଣାଣି ପୂର୍ବରୁ ୨ଟି ଘର ଭଙ୍ଗାଯିବାକୁ ନେଇ ପଡ଼ାବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଘୁନଘୁଟିପଡ଼ା ବାସିନ୍ଦା ଘର ଭଙ୍ଗା ଯିବାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ବଳ ପୂର୍ବକ ଅଟକାଇଥିଲା। ଏହି କାରଣରୁ ପୁଲିସ ଓ ପଡ଼ାବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଜଣେ ମହିଳା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ଯାଏ ପଡ଼ାବାସୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ରହିଛନ୍ତି।
ସୂଚନାଯୋଗ୍ୟ, ସମଲେଇ ପ୍ରକଳ୍ପ କାମ ଆରମ୍ଭ ହୋଇସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଚ୍ଛେଦ ଶେଷ ହୋଇନାହିଁ। ଉଚ୍ଛେଦ ପାଇଁ ନୋଟିସ୍ ମିଳିଥିବା ୮୦ ପରିବାର ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ସେମାନଙ୍କର ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ହେବାର ଅଛି। ଏହା ସତ୍ତ୍ବେ ମଙ୍ଗଳବାର ପ୍ରଶାସନ ପକ୍ଷରୁ କାହା କଥା ଶୁଣାଯାଇ ନଥିଲା ଏବଂ ପୁଲିସ ଫୋର୍ସ ମୁତୟନ କରାଯାଇ ବିଚାରାଧୀନ ଥିବା ଘୁନଘୁଟିପଡ଼ାର ଶିବ ଭୋଇ ଓ ରାଜାରାମ ଗୌଡ଼ଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏହାକୁ ବିରୋଧ କରୁଥିବା ବେଳେ ପୁଲିସ ପଡ଼ାର ୩ ଜଣଙ୍କୁ ଉଠାଇ ନେଇଥିଲା।
ଶୁଣାଣି ପୂର୍ବରୁ କାହିଁକି ଘର ଭଙ୍ଗା ଯାଉଛି ବୋଲି ପଡ଼ାବାସୀକୁ ପ୍ରଶ୍ନ କରିବା ସହିତ ସେଠାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି, ପୁଲିସ ଗାଡ଼ି ସମ୍ମୁଖରେ ବସିପଡ଼ି ଅନେକ ସମୟ ପର୍ଯ୍ୟନ୍ତ ଯିବାକୁ ଦେଇନଥିଲେ। ପରେ ଉତ୍ୟକ୍ତ ପଡ଼ାବାସୀ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନ ସବୁ ଜାଣିଶୁଣି ପାତରଅନ୍ତର କରୁଛି ବୋଲି ଅଭିଯୋଗ ଆଣିବା ସହ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ।
ସେମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଯିବାକୁ ଦିଆନଯିବାରୁ ସେମାନେ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ। ଫଳସ୍ବରୂପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ଓ ପଡ଼ାବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଏହାପରେ ବୁଝାସୁଝା ହୋଇ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍) ଅଜାମ୍ବର ମହାନ୍ତିଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ତେବେ, ସମ୍ବଲପୁର ମହାନଦର ନିଗମ(ଏସ୍ଏମ୍ସି) ସହ ଆଲୋଚନା କରିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ଏହାପରେ ପଡ଼ାବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପାତରଅନ୍ତର ନକରି ଉପଯୁକ୍ତ ଥଇଥାନ କରିବାକୁ ଦାବି କରି ଜିଲ୍ଲାପାଳଙ୍କ ସହ ଆଲୋଚନା ନହେବା ଯାଏ ଏବଂ ପୁଲିସ ଗିରଫ କରିଥିବା ପଡ଼ାର ୩ ଜଣଙ୍କୁ ନ ଛାଡ଼ିବା ଯାଏ ହଟିବୁ ନାହଁ ବୋଲି ପଡ଼ାବାସୀ ଅଡ଼ି ବସିଥିଲେ। ପଡ଼ାବାସୀଙ୍କ ଅଭିଯୋଗ ଅନୁସାରେ, ଯେଉଁ ଧାରା ଆଧାରରେ ପ୍ରଶାସନ ଆମ୍ଭମାନଙ୍କ ଘର ଉଚ୍ଛେଦ କରୁଛି, ସେହି ନିୟମ ଆଧାରରେ ନିକଟରେ ଥଇଥାନ କରାଯାଉ। ସମଲେଇ ଯୋଜନାକୁ ସମସ୍ତେ ସ୍ବାଗତ କରୁଥିବା କହିବା ସହ ଉପଯୁକ୍ତ ଥଇଥାନ ଦାବି କରିଛନ୍ତି।