ପୁରୀ: ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗକୁ ନେଇ ତନାଘନା କରିଛି ଶ୍ରୀମନ୍ଦିର ପ୍ରଶାସନ। ଗତକାଲି ଆଇନ ମନ୍ତ୍ରୀ ଲୋଡ଼ିଥିବା ରିପୋର୍ଟ ଆଧାରରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ବାଡ଼ଗ୍ରାହୀ, ବିଶ୍ବକର୍ମା ମହାରଣାଙ୍କ ସମେତ ବରିଷ୍ଠ ସେବକ ଓ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି। ବିଶେଷ କରି ନବକଳେବର ସମୟରେ ବଳକା ଥିବା ଦାରୁରେ ସେଠାରେ ବିଗ୍ରହ ନିର୍ମାଣ ହେବା ଓ ସେହି ସ୍ଥାନକୁ ‘ଜଗନ୍ନାଥ ଧାମ’ ନାମିତ କରିବା ଉପରେ ତନାଘନା ହୋଇଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଦଇତାପତି ନିଯୋଗ ସଭାପତି, ସମ୍ପାଦକଙ୍କ ସହ ଆଲୋଚନା ହେବ। ନିଜେ ରାମକୃଷ୍ଣ ମହାପାତ୍ର ଉପସ୍ଥିତ ରହି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବେ।
ବୈଠକରେ ଚାରି ବାଡ଼ଗ୍ରାହୀଙ୍କ ମଧ୍ୟରୁ ତିନି ବାଡ଼ଗ୍ରାହୀ ଉପସ୍ଥିତ ଥିଲେ। ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ପୁରୀ ଜଗନ୍ନାଥ ଧାମ ଛଡ଼ା ଆଉ କେଉଁଠି ଜଗନ୍ନାଥ ଧାମ ହେବା ଅସମ୍ଭବ। ଏହାକୁ ଆମେ ଘୋର ବିରୋଧ କରିଛୁ। କୋଇଲି ବୈକୁଣ୍ଠରେ ଦାରୁ ଘର ରହିଛି। ଏହା ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ। ଏଠାରୁ ବଳକା ଦାରୁ କିଏ ଏବଂ କିଭଳି ନେଲା ଆମେ କିଛି କହିପାରିବୁ ନାହିଁ। ସିଧାସଳଖ ସମ୍ପାଦକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁ। ଦୀଘାରେ ଥିବା ପଥରମୂର୍ତ୍ତିକୁ ଆମେ ନିନ୍ଦା କରିଥିଲୁ। ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ପରମ୍ପରା, ସଂସ୍କୃତିକୁ ଏମିତି ବିକୃତ କରା ନଯାଉ। ତିନି ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା ବେଳେ ବଳକା ଦାରୁକୁ ନେଇ ବୈଠକ ସରଗରମ ହୋଇଥିଲା। ବଳକା ଥିବା ଦାରୁରେ ୩ ଫୁଟ ମୂର୍ତ୍ତି ନିର୍ମାଣ ସମ୍ଭବ ନୁହେଁ ବୋଲି ସେମାନେ ମତ ଦେଇଥିଲେ। ଯଦି ରାମକୃଷ୍ଣ ଦାସମହାପାତ୍ର ଏ କଥା କହୁଛନ୍ତି ତେବେ ମିଛ କହୁଛନ୍ତି ବୋଲି ସେମାନେ ମତ ରଖିଥିଲେ। ଏ ପରିପ୍ରେକ୍ଷୀରେ ଆସନ୍ତାକାଲି (ରବିବାର) ଅପରାହ୍ଣ ୫ଟା ସୁଦ୍ଧା ସବୁ ନିଯୋଗକୁ ଲିଖିତ ପରାମର୍ଶ ଦେବାକୁ କୁହାଯାଇଛି। ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି।
ଦୀଘାକୁ ‘ଜଗନ୍ନାଥ ଧାମ’ କହିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ। ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ ଦାଶ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହା ପଛରେ ଭୟଙ୍କର ଷଡ୍ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି। ଯେଉଁ ସେବାୟତ ଆମ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଯୋଜନା କରିଛନ୍ତି ସେମାନଙ୍କୁ ଚିହ୍ନଟ କରି ମୁଖ୍ୟ ପ୍ରଶାସକ ଏତଲା ଦିଅନ୍ତୁ। ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ତତ୍ତ୍ବ, ସଂସ୍କୃତି ଓ ଐତିହ୍ୟ ନଷ୍ଟ କରିବା ଓ ଗୁପ୍ତନୀତିକୁ ପଦାରେ ପକାଇବା ଅଭିଯୋଗରେ ଦଇତାପତି ନିଯୋଗର ସମ୍ପାଦକଙ୍କୁ ବହିଷ୍କାର କରିବା ତଥା ଗିରଫ କରିବାକୁ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ। ଏ ନେଇ ଶ୍ରୀ ଦାସମହାପାତ୍ରଙ୍କ ନାମରେ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି।
ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର କହିଛନ୍ତି, ଦୀଘାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମକୁ ଆମେ ଆଧ୍ୟାତ୍ମିକ ବା ଧାର୍ମିକ କାର୍ଯ୍ୟକ୍ରମ ମନେ କରୁନାହୁଁ। ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ। ଏଠାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କିମ୍ବା ଶ୍ରୀମନ୍ଦିର ଛତିଶା ନିଯୋଗକୁ ନିମନ୍ତ୍ରଣ ମିଳି ନ ଥିଲା। ‘ଜଗନ୍ନାଥ ଧାମ, ଶବ୍ଦ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ତୁରନ୍ତ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖନ୍ତୁ। ଆଗାମୀ ଦିନ ପାଇଁ ମାର୍ଗଦର୍ଶିକା ଜାରି କରାଯାଉ।