କାର୍‌ ଦୁର୍ଘଟଣାରେ ଟେଣ୍ଟ ହାଉସ ସଂଘ ସଭାପତିଙ୍କ ମୃତ୍ୟୁ

ହରିଚନ୍ଦନପୁର : ନରଣପୁର-ଡୁବୁରୀ ରାସ୍ତାର ରଙ୍ଗମାଟିଆ ଗ୍ରାମ ନିକଟରେ ଆଜି ଅପରାହ୍ଣରେ ଏକ ବ୍ରିଜା ( ଓଡ଼ି – ୦୨ ଏଜି ୦୬୨୦ ) କାର ଭାରସାମ୍ୟ ହରାଇ ରାସ୍ତାର ୪୦ ଫୁଟ ତଳକୁ ଖସି ପଡ଼ିଥିବାରୁ କେନ୍ଦୁଝର ଜିଲ୍ଲା ଟେଣ୍ଟ ହାଉସ ସଂଘର ସଭାପତି  ସମାଜସେବୀ ଚିନ୍ମୟ କୁମାର ସାହୁ (୪୭) ଙ୍କ ମୃତ୍ୟୁ ଘଟିଛି।

ଶ୍ରୀ ସାହୁ କାର ଚଲାଇ କଟକ-ଅଭିମନ୍ୟୁ ଯାଇଥିବା ବେଳେ ରଙ୍ଗମାଟିଆ ପୋଲ ନିକଟରେ କାରର ଆଗ ଡାହାଣ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ କାରଟି ୩ ପଲଟ ମାରି ଓଲଟି ପଡ଼ିଥିଲା। ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଡାକ୍ତରଖାନାକୁ ଆଣାଯାଇଥିଲା।  ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଖବର କେନ୍ଦୁଝରରେ ପ୍ରସାରିତ ହେବାପରେ ଜିଲ୍ଲା ପ୍ରେସ୍‌ କ୍ଲବ୍‌ର କେନ୍ଦୁଝର ସମ୍ପାଦକ ଜିତେନ୍ଦ୍ର କୁମାର ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡି ଉପ-ସଭାପତି ସୌମ୍ୟଶଙ୍କର ଚକ୍ର, ରାଜ୍ୟ ଯୁବ ବିଜେଡି ସହ – ସମ୍ପାଦକ ଅମର କୁଅଁର, ବ୍ଲକ ବିଜେଡି ସଭାପତି ପାଦାମ୍ବୁଜ ସାହୁ, ବ୍ଲକ ଛାତ୍ର ବିଜେଡି ସଭାପତି ଚିନ୍ମୟ କୁମାର ସାହୁ, ରୋଟାରିଆନ ବସନ୍ତ କୁମାର ପୃଷ୍ଟିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେଡି କର୍ମୀ ହରିଚନ୍ଦନପୁର ମେଡିକାଲକୁ ଆସି ଶେଷଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଥିଲେ। ସ୍ବର୍ଗତ ସାହୁ କେନ୍ଦୁଝର ଶଙ୍କର ସ୍ପୋର୍ଟିଂ କ୍ଲବ୍‌ର ସାଧାରଣ ସମ୍ପାଦକ ଥିବା ସହ ଯୁବ ବିଜେଡିର ବରିଷ୍ଠ ସଦସ୍ୟ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ତାଙ୍କ ବିୟୋଗରେ କେନ୍ଦୁଝର ଜିଲ୍ଲାରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର