କରୋନା ମାଡରେ ବୁଡିଲା ଟେଣ୍ଟହାଉସ୍‌ ବେପାର, ହାତବାନ୍ଧି ବସିଛନ୍ତି ୧୫ ହଜାରରୁ ଅଧିକ ଶ୍ରମିକ

ସ୍ବତନ୍ତ୍ର ପ୍ୟାକେଜ୍‌ ପାଇଁ ସରକାରଙ୍କୁ ଗୁହାରି ଜଣାଇଲା ସଂଘ, ୧୫ କୋଟିରୁ ଅଧିକ କ୍ଷତି ସହିବେ ମାଲିକ

ରାଉରକେଲା: କରୋନା ଲକ୍‌ଡାଉନ୍‌ ପାଇଁ ବାହାଘର, ବ୍ରତ, ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତିରେ ଲାଗିଛି କଟକଣା। ଏଥିପାଇଁ ସହରର ଓ ଏହାର ଆଖପାଖ ସମସ୍ତ କଲ୍ୟାଣ ମଣ୍ଡପ, ବିବାହ ମଣ୍ଡପ ଆଦିରେ ଝୁଲୁଛି ତାଲା। ଗତ ମାର୍ଚ୍ଚ ୨୨ରୁ ଲକ୍‌ଡାଉନ୍ ଜାରି ରହିଥିବାରୁ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଶ୍ରମିକ। ଅନିଶ୍ଚିତତା ମଧ୍ୟ ଠେଲି ହୋଇଯାଇଛି ଟେଣ୍ଟ ହାଉସ୍‌ ଓ ଡେକୋରେଟର୍‌ ବ୍ୟବସାୟ। ଭାଙ୍ଗି ଯାଇଛି ମାଲିକଙ୍କ ଆର୍ଥିକ ମେରୁଦଣ୍ଡ। ଭଲକି ଅଣ୍ଟା ସଳଖି ଛିଡା ହୋଇ ପାରୁ ନଥିବା ମାଲିକମାନେ ଆଗାମି ଦିନରେ ବ୍ୟବସାୟକୁ ଚଳାଇ ପାରିବେ କି ନାହିଁ ଚିନ୍ତାରେ ପଡିଛନ୍ତି। ସବୁଠୁ ବେଶି ପ୍ରଭାବିତ ହୋଇଛନ୍ତି ଟେଣ୍ଟ ହାଉସ, ଡେକୋରେଟର ଉପରେ ନିର୍ଭରଶୀଳ ଶ୍ରମିକଙ୍କ ପରିବାର। କୁଶଳୀ ଓ ଅଣକୁଶଳୀ କାରିଗରମାନେ ଜୀବିକା ହରାଇଛନ୍ତି। ଏମିତି ଭାବେ ଉଭୟ ଟେଣ୍ଟ ହାଉସ୍‌ ଓ ଡେକୋରେଟ୍‌ର ମାଲିକଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ୧୫ ହଜାରରୁ ଅଧିକ ଶ୍ରମିକ ଏବେ ହାତବାନ୍ଧି ବସିଛନ୍ତି। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କପଡା ସାଜସଜ୍ଜା, ରୋଷେଇ, ଖାଦ୍ୟ ବଣ୍ଟନ, ଗାଡି ଚାଳକ, ରିକ୍ସା ଚାଳକ, ଫୁଲ ଓ ଲାଇଟ୍‌ ସାଜ୍ଜସଜ୍ଜା କରୁଥିବା ଶ୍ରମିକ। ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍‌ ୨୦ ରଥ ଯାତ୍ରା ପର୍ଯ୍ୟନ୍ତ ବିବାହ ଋତୁ ଆରମ୍ଭ ହୋଇଥାଏ। ଟେଣ୍ଟ, ଡେକୋରୋଟର ମାଲିକମାନେ ବେଶ୍‌ ଦି ପଇସା ରୋଜଗାର କରନ୍ତି। କେବଳ ମାଲିକ ନୁହେଁ କାମ କରୁଥିବା ଶ୍ରମିକମାନେ ମଧ୍ୟ ସେହି ଅନୁପାତରେ ଭଲ୍‌ ରୋଜଗାର କରନ୍ତି। କିନ୍ତୁ କରୋନା ଦାଉ ଏବେ ସେମାନଙ୍କ ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଦେଇଛି। ଲକ୍‌ଡାଉନ୍‌ ପରେ ପରେ କିଛି ଶ୍ରମିକ ନିଜ ନିଜ ଗାଁକୁ ଚାଲି ଯାଇଛନ୍ତି। ଯେଉଁମାନେ ପରିବାର ସହ ରହୁଛନ୍ତି ଚଳିବାକୁ ସେମାନେ ମାଲିକଙ୍କ ସହାୟତାକୁ ଚାହିଁ ରହିଛନ୍ତି। ମାଲିକ ଯେନତେନ ପ୍ରକାରରେ ଶ୍ରମିକ ପରିବାରଙ୍କ ଭୋକ ମେଣ୍ଟାଉଛନ୍ତି। ଚଳିତ ବର୍ଷ ମାଲିକଙ୍କୁ ପ୍ରାୟ ୧୫ କୋଟିରୁ ଅଧିକ କ୍ଷତି ସହିବାକୁ ପଡିବ। ଶ୍ରମିକମାନଙ୍କ ପାଉଣା ଦେବା ତ ଦୂରର କଥା ବ୍ୟାଙ୍କ ‌ଋଣ ସୁଝିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇ ପଡିବ। ଏଭଳି ସଙ୍କଟସ୍ଥିତିରୁ ମୁକୁଳି ଭଲକି ଅଣ୍ଟା ସଳଖି ଛିଡା ହେବେ ଓ ସେମାନଙ୍କ ବ୍ୟବସାୟଙ୍କୁ ଚାଲୁ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ରାଉରକେଲା ଡେକୋରେଟର ଓ ଟେଣ୍ଟ ଓନର୍‌ ୱେଲଫେୟାର୍‌ ଆସୋସିଏସନ ଦାବି କରିଛନ୍ତି। ସଂଘର ସାଧାରଣ ସମ୍ପାଦକ ଅଶୋକ କୁମାର ପତିହାରୀ କହିଛନ୍ତି କରୋନା ମାଡ ଉଭୟ ଟେଣ୍ଟ ଓ ଡେକୋରେଟର ମାଲିକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ସେମାନଙ୍କ ବ୍ୟବସାୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଲିକଙ୍କ ଓ ସେମାନଙ୍କ ଉପରେ ନିର୍ଭରଶୀଳ ଶ୍ରମିକଙ୍କ ଦୁଃଖକୁ ହୃଦଙ୍ଗମ କରିବା ଦରକାର। ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା ସହ ଆଗାମି ୪/୫ ବର୍ଷ ପାଇଁ ଜିଏସ୍‌ଟି ଛାଡ କରିବାର ଆବଶ୍ୟକତା ରହିଛି। ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ଅଧିକାଂଶ ଟେଣ୍ଟ ଓ ଡେକୋରେଟର ମାଲିକ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେବେ। କାମ କରି ପରିବାର ପ୍ରତିପୋ‌ଷଣ କରୁଥିବା ହଜାର ହଜାର ଶ୍ରମିକ କର୍ମସଂସ୍ଥାନ ହରାଇବେ, ଏଥିରେ ଦ୍ବିମତ ନାହିଁ। ସ୍ମାର୍ଟ ସିଟି ରାଉରକେଲାର ଟେଣ୍ଟ ହାଉସ, ଡେକୋରେଟର ବେଶ୍‌ ଚାହିଦା ଥିବାରୁ ୧୮୦ରୁ ଅଧିକ ଟେଣ୍ଟ ହାଉସ୍‌, ଡେକୋରେଟର ସମେତ ୧୦୦ରୁ ଅଧିକ କଲ୍ୟାଣ, ବିବାହ ମଣ୍ଡପ ରହିଛି। ରାଉରକେଲାର ପାନପୋଷ, ଉଦିତନଗର, ବାସନ୍ତି କଲୋନି, ଉଦିତନଗର କଚେରୀ ରୋଡ, ବିଶ୍ରା ରୋଡ, ଗୁରୁଦ୍ବାରା ରୋଡ, ଛେଣ୍ଡ କଲୋନି, କଳିଙ୍ଗ ବିହାର ଆଦିରେ ୫୦ରୁ ଅଧିକ ଟେଣ୍ଟ ହାଉସ ରହିଛି। ଇସ୍ପାତ ସହରାଞ୍ଚଳର ସେକ୍ଟର-୧ରୁ ଆରମ୍ଭ କରି ସେକ୍ଟର-୧୩ ମଧ୍ୟରେ ପାଖାପାଖି ୮୦ ଟେଣ୍ଟ ହାଉସ୍‌ ବ୍ୟବସାୟ ଚାଲୁଛି। ଦକ୍ଷିଣ ରାଉରକେଲାର ସାରନଗରୀ, ଜଲଦା, ବାଲିଜୁଡି, ମଡର୍ଣ୍ଣ ଇଣ୍ଡିଆ, କନଷ୍ଟ୍ରକ୍ସନ କଲୋନି, ଲାଲ ଟାଙ୍କି, ନୟାଡେରା, ବାଲି ରୋଡି ପ୍ରାୟ ୨୦ରୁ ଅଧିକ ଟେଣ୍ଟ ହାଉସ୍‌ ରହିଥିଲାବେଳେ ବନ୍ଧମୁଣ୍ଡା, ବୀରମିତ୍ରପୁର, କୁଆରମୁଣ୍ଡା, ବେଦବ୍ୟାସ ଆଦିରେ ଅଞ୍ଚଳରେ ୩୦ଟି ଟେଣ୍ଟ ହାଉସ୍‌ ଓ ଡେକୋରେଟର୍‌ ରହିଛି।

ସମ୍ବନ୍ଧିତ ଖବର