ନାଚୁଣୀ, : ‘ଛାତ୍ରଛାତ୍ରୀମାନେ ନିରନ୍ତର ଅଧ୍ୟୟନଶୀଳ ହୋଇ ମା’ ଓ ମାଟିର ସମ୍ମାନରକ୍ଷା ପାଇଁ ସଦାସର୍ବଦା ଚେଷ୍ଟା କରନ୍ତୁ। ଅନ୍ୟମାନଙ୍କୁ ମଧ୍ୟ ଏଥିଲାଗି ପ୍ରେରିତ କରନ୍ତୁ। ସେହିଭଳି ବୟସ ନିର୍ବିଶେଷରେ ଆବାଳ ବୃଦ୍ଧବନିତା ବିନୟୀ ହୁଅନ୍ତୁ। କାରଣ ବିନୟ ଭାବ ରହିଲେ ପ୍ରଭୁ ଜଗନ୍ନାଥ ମଧ୍ୟ ନିଜ ଅସୀମ ଆଶିଷ ଅଜାଡ଼ି ଦିଅନ୍ତି। ଛାତ୍ରଛାତ୍ରୀମାନେ ଚାହିଲେ ଏଭଳି ହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଲାଭ କରି ନିଜ ଜୀବନକୁ ସାର୍ଥକ କରିବା ସହ ସମାଜ ପାଇଁ ବହୁତ କିଛି କରିପାରିବେ।’ ଚିଲିକା ବ୍ଲକ୍ର ହାଟବରଡିହ ପଞ୍ଚାୟତ ଅଧୀନ ତରାପିସ୍ଥିତ ତରାପି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଏହା କହିଛନ୍ତି।
ଜୀବନରେ ସଫଳ ହେବାକୁ ହେଲେ ପାଞ୍ଚଟି ‘ନ’ ଓ ପାଞ୍ଚଟି ‘ମ’କୁ ଆନ୍ତରିକତାର ସହ ପାଳନ କର: ସୌମ୍ୟ
ଆଜି ସନ୍ଧ୍ୟାରେ ଏହି ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଜୀବନରେ ସଫଳତା ଲାଭ କରିବା ସହ ବ୍ୟକ୍ତିତ୍ବ ବିକାଶ ଲାଗି ସମସ୍ତେ ‘ମ’ ଓ ‘ନ’ ଅକ୍ଷର ସମ୍ବଳିତ ପଞ୍ଚସୂତ୍ରୀ ମନ୍ତ୍ରକୁ ଅନୁସରଣ କରିବା ଉଚିତ। ମା’ର ସମ୍ମାନ , ମାଟିର ସମ୍ମାନ, ମାତୃଭାଷାକୁ ଭଲପାଇବା, ଆଧୁନିକ ଯୁଗର ପ୍ରତୀକ ମୋବାଇଲ୍ର ସଠିକ୍ ଉପଯୋଗ କରିବା, ଘରେ ଯେଭଳି ମଦ ନପଶେ, ସେ ସଂକଳ୍ପ ନେବା ଭଳି ପାଞ୍ଚଟି ‘ମ’ ଏବଂ ନିରୋଗ ରହିବା, ଯାହା ବି କରିବା ନିଷ୍ଠାପର ଭାବେ କରିବା, ନିରହଂକାର ରହିବା, ନିଡର ହେବା ଓ ନିଶାଠାରୁ ଦୂରେଇ ରହିବା ଭଳି ପାଞ୍ଚଟି ‘ନ’କୁ ଅନୁସରଣ କରିବାକୁ କହିଥିଲେ। ସେହିଭଳି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସେ ଆହ୍ବାନ କରିଥିଲେ।
ମୋବାଇଲ୍ର ସଦୁପଯୋଗ କରିବାକୁ ପରାମର୍ଶ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋବାଇଲ୍କୁ ଜ୍ଞାନ ଆହରଣର ମାଧ୍ୟମ କର। ଏହାକୁ ବ୍ୟବହାର କରି ସଂପ୍ରତି ସାରା ବିଶ୍ବରେ ଚାଲିଥିବା ଡିଜିଟାଲ୍ କ୍ରାନ୍ତିର ଅଂଶବିଶେଷ ହୁଅ। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ୧୦୦ବର୍ଷ ତଳର ଏହି ବିଦ୍ୟାଳୟର ଉଜ୍ଜ୍ବଳ ଭବିଷ୍ୟତ କାମନା କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଡ. ମୃତ୍ୟୁଞ୍ଜୟ ରଥ ସଭା ସଞ୍ଚାଳନ କରିଥିବା ବେଳେ ବିଦ୍ୟାଳୟର ପୁରାତନ ଛାତ୍ର ତଥା କିଟ୍ କଲେଜର ପ୍ରଫେସର ଡ. ରବି ନାରାୟଣ ସୁବୁଦ୍ଧି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ ପାଳନ କମିଟି ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶଙ୍କର୍ଷଣ ମଙ୍ଗରାଜ, ଉପଦେଷ୍ଟା ବିଷ୍ଣୁ ମୋହନ ଛୋଟରାୟ, ସଭାପତି କେଳୁଚରଣ ସିଂହ, ଉପସଭାପତି ଉମାକାନ୍ତ ଶ୍ରୀଚନ୍ଦନ, ଗୋଲଖ ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ସାମନ୍ତସିଂହାର, ଜୟନ୍ତୀ ପାଇକରାୟଙ୍କ ସହ କମିଟିର ସମସ୍ତ ସଦସ୍ୟ, ବିଦ୍ୟାଳୟର ବର୍ତ୍ତମାନ ଓ ପ୍ରାକ୍ତନ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ, ଶୁଭେଛୁ ଏବଂ ତରାପି ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/K-60.jpg)