କୋରାପୁଟ: ସ୍ଥାନୀୟ ବନଭାରତୀ କଲୋନୀରେ ସନିଆଁ ପୂଜାରୀ ଓରଫ ତେରେନାମ୍ଙ୍କୁ ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ପୁଲିସ। ଘଟଣାର ଦିନକ ପରେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ରବିବାର ୪ଜଣଙ୍କୁ ବାନ୍ଧିଥିବାବେଳେ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ଜଣେ ନାବାଳକଙ୍କୁ ଜୁଭେନାଇଲ କୋର୍ଟଙ୍କୁ ପଠାଇଛି। ଗିରଫମାନେ ହେଲେ ବନଭାରତୀ କୋଲାନୀର ଇ.ନାଗରାଜୁ (୪୪), ରତ୍ନା ଡଙ୍ଗାୟତ (୩୫), ଢେପସାହିର କରିଣ କୁମାର ଖୋରା (୨୯) ଓ ସୁନୀଲ କୁମାର ଗରଡା (୩୮)। ଏଏସପି ଉତ୍କଳ କେଶରୀ ଦାସ, ଏସଡିପିଓ ମନୋଜ ପୂଜାରୀ, ଆଇଆଇସି ଧୀରେନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଏଏସପି ଶ୍ରୀ ଦାସ କହିଛନ୍ତି ଯେ, କୋରାପୁଟ ସହର ପରଜା ସାହିର ସନିଆଁ ପୂଜାରୀ(୩୫)ଙ୍କ ଶବ ଶନିବାର ଭୋରୁ ବନଭାରତୀ କଲୋନୀ ନିକଟରେ ପଡିଥିଲା। ସନିଆଁଙ୍କ ସ୍ତ୍ରୀ ଦୀର୍ଘ ଦିନ ଧରି ନିଖୋଜ ରହିଥିବାରୁ ସେ ତାଙ୍କ ଶାଳୀଙ୍କ ଘରକୁ ସ୍ତ୍ରୀଙ୍କୁ ଖୋଜିବାକୁ ଯାଇଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରତ୍ନାଙ୍କୁ ଶାଳୀଙ୍କ ବିଷୟରେ ପଚାରିବାରୁ ସେ ଇଆଡୁସିଆଡୁ କହିଥିଲେ। ପ୍ରଥମେ ବଚସା ଓ ପରେ କଥା କଟାକଟି ଉଗ୍ର ହେବାରୁ ରତ୍ନା ତାଙ୍କ ନାବାଳକ ପୁଅ ସନିଆଁ ପୂଜାରୀଙ୍କୁ ମାଡ ମାରିଥିଲେ।
ପରେ ଫୋନ ଯୋଗେ ରତ୍ନା ତାଙ୍କ ସ୍ୱାମୀ ନାଗରାଜୁଙ୍କୁ ଡାକିଥିଲେ । ପରେ ନାଗରାଜୁ ଏବଂ ନାଗରାଜୁଙ୍କ ଦୁଇ ବନ୍ଧୁ କିରଣ କୁମାର ଖରା ଓ ସୁନିଲ କୁମାର ଗରଡା ସଂଘବଦ୍ଧ ଭାବେ ଠେଙ୍ଗା ଓ ପଥରରେ ମାଡ ମାରିଥିଲେ । ଅତ୍ୟଧିକ ରକ୍ତସ୍ରାବ ହେତୁ ସନିଆଁର ମୃତ୍ୟୁ ଘଟିଥିବା ପୁଲିସ କହିଛି। ଘଟଣାକୁ ଅନ୍ୟରୂପ ଦେବା ନିମନ୍ତେ ଅନତି ଦୂରରେ ସେମାନେ ସନିଆଁଙ୍କୁ ଫିଙ୍ଗି ଦେଇଥିବା ବି ପୁଲିସ ଜାଣିବାକୁ ପାଇଛି। ପୁଲିସ ରାଜେଶ ସାମନ୍ତରାୟଙ୍କ ରିପୋର୍ଟ ଆଧାରରେ ନଂ. ୩୨୪/୨୧ରେ ମାମଲା ରୁଜୁ କରିବା ସହ ଏସପିଙ୍କ ନିର୍ଦ୍ଦେଶରେ ତଦନ୍ତ କାର୍ଯ୍ୟ ଆଗକୁ ବଢ଼ାଇଛି।
ଘଟଣାସ୍ଥଳରୁ ଏକ ଠେଙ୍ଗା, ରକ୍ତ ଭିଜା ପଥର ମଧ୍ୟ ପୁଲିସ ଜବତ କରିଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ଉତ୍ତ୍ୟକ୍ତ କିଛି ଲୋକ ଘଟଣାସ୍ଥଳରେ ଏକ ବାଇକ ପୋଡିଦେବା ଏବଂ ନାଗରାଜୁର ସେଲୁନ ଭାଙ୍ଗି ଦେଇଥିବାରୁ ପୁଲିସ ତରଫରୁ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ,ଟାଉନ ଥାନା ଆଇଆଇସି ଧିରେନ ପଟ୍ଟନାୟକ, ଇନସପେକ୍ଟର ଶଙ୍କର ପ୍ରସାଦ ମାଝୀ ଓ ଏସଆଇ ସୁଦର୍ଶନ ଅଧିକାରୀ ଉପସ୍ଥିତ ଥିଲେ ।