ଆତଙ୍କବାଦୀ ଲିଙ୍କ୍‌: ଅବଦୁର ରହେମାନ ମାମଲାରେ ଆଇଆଇସିଙ୍କ ସାକ୍ଷ୍ୟ ଗ୍ରହଣ

କଟକ : ଉଗ୍ରବାଦୀ ସଂଗଠନ ଅଲ୍‌ କଏଦାର ସଦସ୍ୟ କୁହାଯାଉଥିବା ଅବଦୁର୍‌ ରହେମାନ୍‌କୁ ଆଜି କଟକ ଜିଲ୍ଲା ଓ ଦୌରା ଜଜ୍‌ ସତ୍ୟ ନାରାୟଣ ମିଶ୍ରଙ୍କ ଇଜିଲାସରେ ହାଜର କରାଯାଇଛି। ରହେମାନଙ୍କ ବିରୋଧରେ ବିଚାରାଧୀନ ମାମଲାରେ ଆଜି ଏତଲାକାରୀ ତଥା ତତ୍କାଳୀନ ଜଗତପୁର ଥାନା ଅଧିକାରୀ ରଞ୍ଜିତ ପୃଷ୍ଟି ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୨୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆଜି କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରହେମାନକୁ ଚୌଦ୍ୱାର ଜେଲରୁ ଅଣାଯାଇ ଅଦାଲତରେ ହାଜର କରାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ମାମଲାରେ ପୂର୍ବରୁ ଜଗତପୁର ଗୁଜରପୁର ଅଞ୍ଚଳର ସଲିମ ଖାନ୍‌ ଓରଫ ରମଜାନୀ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରି ସାରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର କ୍ଷେତ୍ରମୋହନ ବେହେରା ମାମଲା ପରିଚାଳନା କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ରହେମାନକୁ ଦିଲ୍ଲୀ ପୁଲିସ କମିସନରେଟ୍‌ ପୁଲିସ ସହାୟତାରେ ୨୦୧୫, ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର