ଚାଷ ଓ ଚାଷୀ ବିରୋଧରେ ଭୀଷଣ ଷଡ଼୍‌ଯନ୍ତ୍ର: ୧ଲକ୍ଷ ୩୫ହଜାର କୋଟିର ଲାଭ କିଏ ନେଲା

୨୦୧୩-୧୪ରୁ ସ୍ବତନ୍ତ୍ର କୃଷି ବଜେଟ୍ ହେଲାଣି
୨୦୨୨ ସୁଦ୍ଧା କୃଷକର ଆୟ ଦୁଇଗୁଣା ସ୍ବପ୍ନ ଫୁସ୍
ଚାଷୀର ଆୟ ବୃଦ୍ଧିରେ ଓଡ଼ିଶା ଢେର୍ ପଛରେ
ଚାଉଳ, ଡାଲି, ଆଳୁ ସବୁଥିରେ ଉତ୍ପାଦକତା କମ୍

ଭୁବନେଶ୍ବର : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ କହିଥିଲେ, ‘ଅନ୍ୟ ସବୁ କଥା ପଛରୁ ରହିପାରେ, କୃଷି ନୁହେଁ।’ ଓଡ଼ିଶାର ଗର୍ବ ଗୌରବର ପ୍ରତୀକ ମଧୁବାବୁ କୃଷି ଓ କୃଷି ଭିତ୍ତିକ ଶିଳ୍ପର ବିକାଶ ଉପରେ ଗୁରୁତ୍ବ ଦେଇ କହିଥିଲେ, ‘କୃଷି ହେଉଛି ଭୂମିର ସଂସ୍କୃତି ଓ ହସ୍ତର ସଂସ୍କୃତି େହଉଛି ଶିଳ୍ପ (କୁଟୀର ଶିଳ୍ପ)।’ କୌଟିଲ୍ୟ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ କୃଷି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। କୃଷି ଉପଯୋଗୀ ଜମି ଖଣିଠାରୁ ମହତ୍ବପୂର୍ଣ୍ଣ। କାରଣ ଖଣି ରାଜକୋଷ ପୂର୍ଣ୍ଣ କରିପାରେ କିନ୍ତୁ କୃଷି ଉତ୍ପାଦନ ଉଭୟ ରାଜକୋଷ ଓ ଶସ୍ୟ ଭଣ୍ଡାର ପରିପୂର୍ଣ୍ଣ କରିଥାଏ।

ବିଧାନସଭା ପଟଳ ଉପରେ ଏମିତି କିଛି କଥା କହି ତଥା ପରମ୍ପରାର ବ୍ୟତିକ୍ରମ କରି ଓଡ଼ିଶା ସରକାର ରାଜ୍ୟ ବଜେଟ୍‌କୁ ଦୁଇଭାଗ କରିଦେଲେ। ଦେଶର ଦ୍ବିତୀୟ ରାଜ୍ୟ (କର୍ଣ୍ଣାଟକ ପ୍ରଥମ) ଭାବେ ୨୦୧୩-୧୪ ଆର୍ଥିକ ବର୍ଷରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କୃଷି ପାଇଁ ସ୍ବତନ୍ତ୍ର ବଜେଟ୍ ଆଗତ କଲେ। ଉଦ୍ଦେଶ୍ୟ ଅତ୍ୟନ୍ତ ମହତ୍ ଥିଲା। ରାଜ୍ୟରେ କୃଷିର ଅଭିବୃଦ୍ଧି ହେବ, ଚାଷୀର ଆୟ ଦୁଇଗୁଣା ସହିତ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦକୁ କୃଷି କ୍ଷେତ୍ରର ଯୋଗଦାନ ଅଧିକ ରହିବ।

Jansatta

ଗୋଟିଏ ଦଶନ୍ଧି ପରେ କିନ୍ତୁ ଯେଉଁ ଚିତ୍ର ଆସୁଛି, ତାହା ଆନ୍ଦୋଳିତ କଲାଭଳି। ୨୦୧୨-୧୩ରୁ ୨୦୨୧-୨୨, ଏହି ୧୦ବର୍ଷ ଭିତରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିକାଶ ପାଇଁ ପାଞ୍ଚ କି ଦଶହଜାର ନୁହେଁ, ରାଜ୍ୟରେ ୧ଲକ୍ଷ ୩୫ହଜାର ୭୦୨ କୋଟି ୪୪ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ହେଲେ ଯେଉଁ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏଭଳି ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଥିଲେ, ତାହା କେଉଁଠି ନା କେଉଁଠି ବାଟ ହୁଡ଼ି ଗଲାଣି। ବିଦ୍ୟୁତ କ୍ଷେତ୍ରରେ କେଳେଙ୍କାରୀ ଠାରୁ ଆହୁରି ବିଶାଳ ଦୁର୍ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ସବୁଠାରୁ ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ କୃଷି ଓ ଏହା ସହିତ ସଂଲଗ୍ନ ବିଭାଗମାନେ ମୋ଼ଡ଼ିମକଚି ଦେଇଛନ୍ତି। ଓଡ଼ିଶାର ୪୮ ପ୍ରତିଶତରୁ ଅଧିକ ଲୋକଙ୍କୁ ସିଧାସଳଖ ନିଯୁକ୍ତି ଦେଉଥିବା ଏହି କ୍ଷେତ୍ରଟିରେ ଚାଷୀର ଆୟ ଜାତୀୟ ହାର ତୁଳନାରେ ବଢ଼ିବା ବଦଳରେ କମିଛି, ଉତ୍ପାଦକତା ବି। କେବଳ ସେତିକି ନୁହେଁ,ଚାଷ ଜମିର ପରିମାଣ ମଧ୍ୟ ଦ୍ରୁତ ମାତ୍ରାରେ ହ୍ରାସ ପାଇଛି। ଚାଷୀ ବା ଚାଷ ପାଇଁ ଆଶ୍ବସ୍ତିର ଖବର ନାହିଁ।

ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଚିପିବା ଭଳି କିଛି ଉଦାହରଣ ନେଲେ, ଓଡ଼ିଶାର ସ୍ବତନ୍ତ୍ର କୃଷି ବଜେଟ୍ ଏବଂ ରାଜ୍ୟରେ ଚାଷ ଓ ଚାଷୀର ବିକାଶ ଲକ୍ଷ୍ୟ କେେତ ସାଧିତ ହୋଇଛି, ତାହା ଯେ କେହି ବୁଝିପାରିବେ। ଏନଏସ୍‌ଓ ରିପୋର୍ଟ ଅନୁସାରେ, ୨୦୧୨-୧୩ରୁ ୨୦୧୮-୧୯ ମଧ୍ୟରେ ଓଡ଼ିଶା କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟ ମାନଙ୍କ ମଧ୍ୟରେ ତଳଆଡୁ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଏହି ସମୟରେ ଚାଷୀର ମାସିକ ଆୟ ୫୯% ବଢ଼ିଥିବା ବେଳେ ଓଡ଼ିଶାରେ ମାତ୍ର ୩% ବୃଦ୍ଧି ପାଇଛି। ୨୦୧୨-୧୩ରେ ରାଜ୍ୟରେ ଚାଷୀର ମାସିକ ଆୟ ଥିଲା ୪୯୭୬ ଟଙ୍କା। ୨୦୧୮-୧୯କୁ ଏହା ୫୧୧୨ ଟଙ୍କାରେ ରହିଛି। ଜାତୀୟସ୍ତରରେ ଚାଷୀର ମାସିକ ଆୟ କିନ୍ତୁ ଏହି ସମୟ ମଧ୍ୟରେ ମାସିକ ୬ହଜାର ୪୨୬ ଟଙ୍କାରୁ ବଢ଼ି ୧୦ ହଜାର ୨୧୮ ଟଙ୍କା ଛୁଇଁଛି।

ଆହୁରି ଉଦ୍‌ବେଗଜନକ କଥା ହେଲା, କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ରିପୋର୍ଟ ପୂର୍ବରୁ କହିସାରିଛି ଯେ ୨୦୧୫-୧୬ରେ ଓଡ଼ିଶାରେ ଚାଷୀର ଆୟ ମାସିକ ୭୭୩୧ ଟଙ୍କାକୁ ବୃଦ୍ଧି ପାଇଥିଲା। ହେଲେ ପରେ କିନ୍ତୁ ଏହା ପୁଣି ୫୧୧୨ ଟଙ୍କାକୁ ଖସିଆସିଛି। ଅର୍ଥାତ୍ ଚାଷୀର ଆୟ ତଳମୁହାଁ ଏବଂ ମାସିକ ୨୬୧୯ ଟଙ୍କା କମିଛି।

The News Minute

କେବଳ ଏ କ୍ଷେତ୍ରଟି ନୁହେଁ, ଉତ୍ପାଦକତା ଦୃଷ୍ଟିରୁ ଓଡ଼ିଶାର ସ୍ଥିତି ଆହୁରି ଗମ୍ଭୀର। ରାଜ୍ୟ ସରକାର ନିଜ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସ୍ବୀକାର କରିଛନ୍ତି ଯେ ଓଡ଼ିଶାରେ ପ୍ରତି ହେକ୍ଟରରେ ୧୮୨୧ କିଲୋଗ୍ରାମ୍ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବା ବେଳେ ଜାତୀୟସ୍ତରରେ ଏହା ୨୮% ଅଧିକ ଅର୍ଥାତ୍ ୨୩୨୫ କିଲୋଗ୍ରାମ୍। ଓଡ଼ିଶା ଭଳି ରାଜ୍ୟ, ଯେଉଁଠାରେ ଧାନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ, ଉତ୍ପାଦକତାକୁ ମାନକ ଭାବେ ନିଆଗଲେ ଜାତୀୟ ହାର ତୁଳନାରେ ଓଡ଼ିଶା ଢେର୍ ପଛରେ। ଓଡ଼ିଶାରେ ପ୍ରତି ହେକ୍ଟରରେ ୨୦୬୮ କେଜି ଚାଉଳ ଉତ୍ପାଦନ ହେଉଥିବା ବେଳେ ଜାତୀୟସ୍ତରରେ ଏହା ୩୧% ଅଧିକ ଅର୍ଥାତ୍ ୨୭୦୫ କେଜି। ଡାଲି କ୍ଷେତ୍ରରେ ଓଡ଼ିଶା ପ୍ରତି ହେକ୍ଟରରେ ୫୭୨ କେଜି ଉତ୍ପାଦନ କରୁଥିବା ବେଳେ ଜାତୀୟସ୍ତରରେ ୪୩% ଅଧିକ (୮୧୭ କେଜି) ଉତ୍ପାଦନ ହେଉଛି। ତୈଳଜାତୀୟ ଫସଲ ଉତ୍ପାଦନ ପ୍ରତି ହେକ୍ଟରରେ ୬୯୩ କେଜି ହୋଇଥିବା ବେଳେ ଜାତୀୟସ୍ତରରେ ଏହା ୭୮% (୧୨୩୬ କେଜି) ଅଧିକ। ଆଖୁକୁ ଅର୍ଥକାରୀ ଫସଲ ଭାବେ ଓଡ଼ିଶା ବିଚାର କରୁଛି। ଓଡ଼ିଶାର ପାଣିପାଗ ବି ଏହି ଚାଷ ପାଇଁ ବେଶୀ ଉପଯୋଗୀ। ହେଲେ ଜାତୀୟସ୍ତର ତୁଳନାରେ ରାଜ୍ୟର ଉତ୍ପାଦନ କମ୍। ଆ​ଳୁ ଓ ପିଆଜ କଥା ନ କହିବା ଭଲ। ଓଡ଼ିଶାରେ ହେକ୍ଟର ପିଛା ୧୨ ହଜାର ୨୫୫ କେଜି ଆଳୁ ଉତ୍ପାଦନ ହେଉଥିବା ବେଳେ ଜାତୀୟସ୍ତରରେ ଏହାର ପରିମାଣ ୨୩ ହଜାର ୬୭୦ (୯୩% ଅଧିକ) କେଜି। ସେହିଭଳି ପିଆଜ ହେକ୍ଟର ପିଛା ୧୦ ହଜାର ୬୧୩ କେଜି ଉତ୍ପାଦନ ହେଉଥିବା ବେଳେ ଜାତୀୟସ୍ତରରେ ଏହା ୧୬ ହଜାର ୮୭୫ (୫୯% ଅଧିକ) କେଜି।

ଏଠାରେ ପ୍ରଶ୍ନ ଉଠୁଛି, ଏହି ଦଶବର୍ଷରେ ଯେଉଁ ହଜାର ହଜାର ହେକ୍ଟର ଜମିରେ ଜଳସେଚନ ହେଲା, ରାଜ୍ୟ ସରକାର କୋଟି କୋଟି ଟଙ୍କାର ସବ୍‌ସିଡି ପ୍ରଦାନ କଲେ; ସାର, କୀଟନାଶକ ଦିଆଗଲା; ସର୍ବୋପରି କାଳିଆ ଠାରୁ ଆରମ୍ଭ କରି ବଳରାମ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆଦି କାର୍ଯ୍ୟକାରୀ ହେଲା, ତାର ଲାଭ କାହା ପାଖକୁ ଗଲା?

Sabrang India

ସେହିଭଳି ରାଜ୍ୟ ସରକାର ବିକାଶ ସଂପର୍କରେ ବାରମ୍ବାର ସୁନେଲି ଚିତ୍ର ଆଙ୍କୁଥିଲେ ବି ଓଡ଼ିଶାର ୬୦ ଭାଗ ଲୋକ ନିର୍ଭର କରୁଥିବା କୃଷି ଓ ଆନୁସଙ୍ଗିକ ବା ସହଯୋଗୀ କ୍ଷେତ୍ରଟି ଚିନ୍ତାଜନକ ସ୍ଥିତିରେ ରହିଛି। ଗତବର୍ଷ ଭଳି ଏବର୍ଷ ମଧ୍ୟ ଦେଶ ତୁଳନାରେ ଓଡ଼ିଶାର ପ୍ରଦର୍ଶନ କୃଷି କ୍ଷେତ୍ରରେ ଅତ୍ୟନ୍ତ ଖରାପ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି। ସ୍ମରଣଥାଉକି, ୨୦୨୧-୨୨ ବର୍ଷରେ ମଧ୍ୟ କୃଷି କ୍ଷେତ୍ରର ବିକାଶ ଘଟିନି ବରଂ ୩.୪% ସଙ୍କୁଚିତ ହୋଇଯାଇଥିଲା। ସରକାର ଏଥିପାଇଁ ମରୁଡି, ଅନିୟମିତ ବୃଷ୍ଟିପାତ, ଜଵାଦ୍, ଗୁଲ୍ଲାବ, ୟାସ୍ ଭଳି ବାତ୍ୟାକୁ ଦାୟୀ କରିଥିଲେ। ହେଲେ କୃଷି ବିଶେଷଜ୍ଞଙ୍କ ମତ ହେଲା, ଏହା ଏକମାତ୍ର କାରଣ ନୁହେଁ। ଚାଷୀକୁ ଠିକ୍ ସମୟରେ ବିହନ ଯୋଗାଣ ହୋଇପାରୁନାହିଁ। ସାର, କୀଟନାଶକ, ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗ ସବୁକିଛି ଚାଷୀ ନିକଟରେ ପହଞ୍ଚାଇବାରେ ଆମେ ପଛୁଆ। ଆହୁରି ଚାଞ୍ଚଲ୍ୟକର କଥା ହେଉଛି, ବିଜୁଳି ଭଳି ଏକ୍ଷେତ୍ରକୁ ବି ଅନିୟମିତତା ଛୁଇଁଛି। ସେହିଭଳି ଫସଲ କିସମର ଚୟନ ଠାରୁ ଆରମ୍ଭ କରି କୃଷି ପଦ୍ଧତିର ଅବଲମ୍ବନ, କୃଷକଙ୍କୁ ପ୍ରଶିକ୍ଷଣ ଆଦି କ୍ଷେତ୍ର ବାଟ ହୁଡ଼ିଛି।

 

ଏଠାରେ ଉଲ୍ଲେଖଥାଉକି, ବ୍ରାଜିଲ୍, ଋଷିଆ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍‌ସ ରାଷ୍ଟ୍ର ସମୂହ ରିପୋର୍ଟ କହିଛି ଯେ କୃଷି କ୍ଷେତ୍ରରେ ୧ ପ୍ରତିଶତ ଅଭିବୃଦ୍ଧି ଅର୍ଥ ଏହା ଦ୍ରାରିଦ୍ର୍ୟ ହ୍ରାସ ଦିଗରେ ୨ରୁ ୩ ପ୍ରତିଶତ ସହାୟକ ହୋଇଥାଏ।
ଏହା ସତ୍ତ୍ବେ ବି ରାଜ୍ୟ ସରକାର ଚେତୁନାହାନ୍ତି କାହିଁକି?

ସମ୍ବନ୍ଧିତ ଖବର