ବାଲିପାଟଣା/ବାଲିଅନ୍ତା: ସମୟ ଅପରାହ୍ଣ ପ୍ରାୟ ୫ଟା ପାଖାପାଖି। ଶୀତ ଆଗମନର ପ୍ରଭାବରେ ଭାର୍ଗବୀ ନଦୀପଠା ଅଞ୍ଚଳର ପରିବେଶ ଥିଲା ଶାନ୍ତ। ହଠାତ୍ ଢୋ ଢୋ ଶବ୍ଦରେ ଥରି ଉଠିଲା ଅଞ୍ଚଳ। ଶୁଣିବା ଲୋକ ଆଶ୍ଚର୍ଯ୍ୟଚକିତ, ଭୟଭୀତ ହୋଇଗଲେ। ଗଛର ପତ୍ରଗହଳରେ ରାତି ପାଇଁ ଆଶ୍ରୟ ନେଉଥିବା ଚଢ଼େଇମାନେ ଭୟରେ ଉଡ଼ି ପଳାଇଲେ। କାରଣ ଥିଲା ପଠା ଅଞ୍ଚଳରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ନଦୀପଠାରେ ସେ ସମୟରେ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଶୁଦ୍ଧିକ୍ରିୟା ଚାଲିଥିଲା। ସେଠାରେ ଉପସ୍ଥିତ ଲୋକେ ମଧ୍ୟ ଭୟରେ ଦୌଡ଼ି ପଳାଇ ଥିଲେ। ତେବେ କିଛି ସମୟ ମଧ୍ୟରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। କିନ୍ତୁ ବିସ୍ଫୋରଣ ଭୟରେ କେହି ପାଖକୁ ଯାଇ ନ ଥିଲେ କି ନିଆଁ ଲିଭାଇବାକୁ ସାହସ କରିନଥିଲେ। ସେହି ସମୟରେ ଆହତ ଅବସ୍ଥାରେ ଜଣେ ବାଣ କାରିଗର ଜଳୁଥିବା ଘରୁ ବାହାରକୁ ଦୌଡ଼ି ଆସି ତଳେ ପଡ଼ି ଯାଇଥିଲେ। ଖବର ପାଇ ବାଲିପାଟଣା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। ସେଠାରେ କାମ କରୁଥିବା ୪ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଅନ୍ୟ ୨ ଜଣଙ୍କ ସୁସ୍ଥ ଥିବା ପୁଲିସ କହିଛି। ଗୁରୁତର ଆହତ ଯୁବକ ବାଳକାଟି ଫାଣ୍ଡି ଅଧୀନ ଶିଶିଲୋ ବୋଧଖଣ୍ଡି ଗ୍ରାମର ରଘୁନାଥ ପଣ୍ଡାଙ୍କ ଏକମାତ୍ର ପୁଅ ରମାକାନ୍ତ ପଣ୍ଡା ଓରଫ ବୁଟୁ (୩୦) ବୋଲି ଜଣାପଡ଼ିଛି। ବାଣ ତିଆରି ସମୟରେ ବିସ୍ଫୋରଣ ଘଟିଥିବା ଆଲୋଚନା ହେଉଛି।
ଏହି ବାଣ ଗୋଦାମ ବାଣଭିଡ଼ିବା ଲାଗି ମଧ୍ୟ ସରକାରୀ ସ୍ୱୀକୃତିପ୍ରାପ୍ତ ବୋଲି ପୁଲିସ ସୂଚନା ଦେଇଛି। ବିଜୟ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏହି ବାଣ ଗୋଦାମ ରହିଛି। ଗତ ମାର୍ଚ୍ଚ ୪ ତାରିଖରୁ ୨ ବର୍ଷ ପାଇଁ ଏହି ବାଣ ଗୋଦାମର ସରକାରୀ ଅନୁମତି ଥିବା ପୁଲିସ କହିଛି।
ସୂଚନା ଅନୁସାରେ, ବାଲିପାଟଣା ଥାନା ଝିଣ୍ଟିଶାସନ ଜଇନାବାଦ ଗ୍ରାମରେ ଭାର୍ଗବୀ ନଦୀ ପଠାରେ ଥିବା ସରକାରୀ ବାଣ ଗୋଦାମରେ ବାଣ ପ୍ରସ୍ତୁତି ଚାଲିଥିଲା। ଭିଡାବାଣ ଓ ବିସ୍ଫୋରକ ଘରେ ମହଜୁଦ ଥିଲା। ୪ ଜଣ କାରିଗର ବାଣ ଭିଡୁଥିଲେ। ଅସାବଧାନତା ଯୋଗୁଁ ହଠାତ୍ ବିସ୍ଫୋରଣ ଘଟିଥିଲା। ଚାହୁଁ ଚାହୁଁ ଗୋଦାମରେ ନିଆଁ ବ୍ୟପି ଯାଇଥିଲା। କଞ୍ଚାମାଲରେ ନିଆଁ ଲାଗି ଗଚ୍ଛିତ ବାଣ ଫୁଟିବାରେ ଲାଗିଥିଲା। ପ୍ରାୟ ୨ ଘଣ୍ଟା କାଳ ବାଣ ଫୁଟିଥିଲା। ଗୋଦାମ ଘରର ଛାତ ବିସ୍ଫୋରଣରେ ଫାଟି ଯାଇଥିବା କୁହା ଯାଉଛି। ବିସ୍ଫୋରଣର ଶବ୍ଦରେ କିଛି ବୁଝି ନପାରି ଭୟରେ ନଦୀପଠାରେ ଥିବା ଲୋକେ ପ୍ରାଣ ବିକଳରେ ଯିଏ ଯୁଆଡ଼େ ପାରିଲେ ଦୌଡ଼ି ପଳେଇ ଯାଇଥିଲେ। ବାଣର ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ନଦୀବନ୍ଧରେ ଯାତାୟାତ ଠପ୍ ହୋଇ ଯାଇଥିଲା। ଗୁରୁତର ଆହତ ବୁଟୁଙ୍କ ହାତ ଗୋଡ଼ ଓ ପେଟ ଭାଗ ଜଳି ଯାଇଛି। ସେ ଆଜି ପ୍ରଥମ ଥର ପାଇଁ ବାଣ ଭିଡିବାକୁ ଯାଇଥିଲେ ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟଜଣେ କାରିଗରଙ୍କ ହାତରେ ଆଘାତ ଲାଗିଥିବା ପୁଲିସ ସୂଚନା ଦେଇଛି। ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ବୁଟୁ ବିବାହିତ। ରୋଷେଇ ସହାୟକ ଓ ମୂର୍ତ୍ତି କାରିଗରଙ୍କ ପାଖରେ ଶ୍ରମିକ ଭାବେ କାମ କରନ୍ତି। ଏହି କାରଖାନାରେ ତାଙ୍କ ସମେତ ଅନ୍ୟ ୩ ଜଣ ଶ୍ରମିକ ହାବିଳି, ରକେଟ, ଶୂନଫଟକା, କୁମ୍ପି, ଗଡ଼ମ୍ବା, ଲଙ୍କା, ବକ୍ସ, ତାଳ ଫଟକା, ଝୁରଝୁରି ଆଦି ବାଣ ତିଆରି କରୁଥିଲେ। ବୁଟୁ ଆଜି କୁମ୍ପିରେ ବାରୁଦ ଖୁନ୍ଦୁଥିବା ବେଳେ ହଠାତ୍ କୁମ୍ପି ଫୁଟି ଯାଇଥିଲା। ସେ ନିଆଁ ଘରେ ଥିବା ବାଣଗଦାକୁ ବ୍ୟାପୀ ଯାଇଥିଲା।
ବାରୁଦ ଗଦାରେ ବାଲିପାଟଣା
ଦୁର୍ଘଟଣାରେ ଗଲାଣି ଅନେକ ଜୀବନ
ଲାଇସେନ୍ସକୁ ନେଇ ସନ୍ଦେହ
ଦୀପାବଳି ପାଖେଇ ଆସୁଥିବାରୁ ବାଲିପାଟଣା ଅଞ୍ଚଳର ବାଣ ବ୍ୟବସାୟୀ ଓ କାରିଗର ସକ୍ରିୟ ହୋଇ ଉଠିଛନ୍ତି। ସ୍ଥାନୀୟ ବାଣ ପ୍ରତି ଲୋକଙ୍କର ଆକର୍ଷଣ ଥିବାରୁ ବାଣ କାରଖାନା ମାଲିକମାନେ ଭଲ ବ୍ୟବସାୟ କରିଥାଆନ୍ତି। ବାଲିପାଟଣା ଅଞ୍ଚଳରେ ବାଣ ବିସ୍ପୋରଣ ଘଟଣା କିଛି ନୂଆକଥା ନୁହେଁ। ବାଣ ବିସ୍ପୋରଣରେ ପୂର୍ବରୁ ଅନେକ ଲୋକଙ୍କ ପ୍ରାଣ ଯାଇଥିବାବେଳେ ଆଉ କିଛି ଆଜୀବନ ଅକର୍ମଣ୍ୟ ହୋଇଥିବା ନଜିର ରହିଛି। ଏ ଅଞ୍ଚଳରେ ହାତ ଗଣତି ସ୍ବୀକୃତିପ୍ରାପ୍ତ ବାଣ କାରଖାନା ଥିବାବେଳେ ଅନେକ ସ୍ଥାନରେ ବେଆଇନ ବାଣଭିଡା ଚାଲିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ସବୁବେଳେ ଆଶଙ୍କାରେ ରହୁଛନ୍ତି। ପୁଲିସ ମଝିରେ ମଝିରେ ଚଢ଼ାଉ କରୁଛି ଅବଶ୍ୟ, କିନ୍ତୁ ବିଭିନ୍ନ କାରଣରୁ ଚୋରା ବାଣ ବେପାର ଓ ବାଣଭିଡ଼ା ବନ୍ଦ ହେଉନାହିଁ। ୨୦୧୮ରେ ବାଣ ବିସ୍ଫୋରଣରେ ନୂଆସାହି ଗ୍ରାମର ଜ୍ଞାନେନ୍ଦ୍ର ମିଶ୍ରଙ୍କ ପତ୍ନୀ ରଶ୍ମିତା ମିଶ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ସେହିଦିନୁ ଜ୍ଞାନେନ୍ଦ୍ରଙ୍କ ପତ୍ତା ମିଳୁନାହିଁ। ୧୯୯୯ ମସିହା ପହିଲି ରଜ ଦିନ ଜ୍ଞାନେନ୍ଦ୍ରଙ୍କ ଭାଇ ତଥା ନୃସିଂହ ମିଶ୍ରଙ୍କ ବଡ଼ ପୁଅ ନଗେନ୍ଦ୍ରଙ୍କର ମଧ୍ୟ ବାଣ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ସେହିପରି ଚଳିତ ବର୍ଷ ଜାନୁଆରିରେ ନରିଶୋ ହାଟୁଆ ସାହିରେ ଚୋରା ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୩ ବଖରା ପୋଡ଼ି ପାଉଁଶ ହୋଇଥିଲା।
ବାଣୁଆ ବୃଦ୍ଧ ପୁର୍ଣଚନ୍ଦ୍ର ଦାସ ଗୁରୁତର ଆହତ ହୋଇ କିଛି ଦିନର ଚିକିତ୍ସା ପରେ ଆଖି ବୁଜିଥିଲେ। ସେହିପରି ବନମାଳୀପୁର ବାଲିକୁଦା ଅଞ୍ଚଳରେ ବାଣ କାରଖାନାରେ ବିସ୍ଫୋରଣରେ ଜଣେ କାରିଗରଙ୍କ ମୃତ୍ୟୁ ଘଟିଥିଲା। କିଛି ବର୍ଷ ତଳେ ନରିଶୋ ଗ୍ରାମରେ ଦୋଳ ମେଳଣ ଜମାଣ ଚାଲୁଥିବା ବେଳେ କାଠଚକ୍ରୀ ବାଣ ଫୁଟି ଆହତ ହୋଇଥିବା ସ୍ଥାନୀୟ ଅଞ୍ଚଳର ସୁଶାନ୍ତ ଷଢ଼ଙ୍ଗୀଙ୍କ ଏକମାତ୍ର ପୁଅ ସ୍ମୃତି ରଞ୍ଜନ ଷଢ଼ଙ୍ଗୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିପରି ଗତ ଦୋପଟି ମେଳଣ ଜମାଣ ଚାଲିଥିବା ବେଳେ ବାଲିପାଟଣା ଶିଶୁ ମଠ ସାହିର ସୁଶିଲ କୁମାର ନାୟକ ନାମକ ଜଣେ ଯୁବକ ବାଣ ବିସ୍ଫୋରଣରେ ଗୋଟିଏ ହାତ ହରାଇ ଥିଲେ। ବାଲିପାଟଣାର ବିଭିନ୍ନ ସ୍ଥାନରେ ଚୋରା ବାଣଭିଡା ଚାଲିଛି। ସେଭିତରୁ ମାତ୍ର ୨ଟି ଲାଇସେନ୍ସ ପ୍ରାପ୍ତ ବୋଲି ଆଇଆଇସି ଓମ ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ବାଣ ଭିଡ଼ିବାଲାଗି ଅନୁମତି ଦେବାବେଳେ କେଉଁ ଦିଗକୁ ବିଚାର କରା ଯାଇଥିଲା? ଅନୁମତି ଦେଇଥିବା ବିଭାଗ ବା ପୁଲିସ ଏହି ଗୋଦାମର ସୁରକ୍ଷା ବ୍ୟବସ୍ତାକୁ ଯାଞ୍ଚ କରିଥିଲେ କି? ନିକଟ ଅତୀତରେ ଏହାର ଯାଞ୍ଚ କେବେ ହୋଇଥିଲା? ଯଦି ନିୟମିତ ଯାଞ୍ଚ ହେଉଛି, ତେବେ ଦୁର୍ଘଟଣା ଘଟିଲା କେମିତି?