୪ଟି ଦମକଳ, ୪୦ ଅଗ୍ନିଶମ କର୍ମଚାରୀ ୫ ଘଣ୍ଟା ନାକେଦମ
ଅଚଳ ‌ହୋଇଯାଇଥାନ୍ତା ସାମୁଦ୍ରିକ ଜାହାଜ ସିଗନାଲିଂ ସିଷ୍ଟମ୍‌

Advertisment

ବାଲେଶ୍ବର : ବାଲେଶ୍ୱର ସହରର ଆଇଟିଆଇ ଛକ ଠାରେ ଥିବା ବାଲେଶ୍ବର ନେଭଟେକ୍ସ ଷ୍ଟେସନ ପରିସରରେ ଗତକାଲି ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଏଯାଏ ଜଣା ପଡ଼ିନଥିଲେ ବି ୩୫ ଏକର ପରିମିତ ଏହି ଷ୍ଟେସନଟି ଦୀର୍ଘଦିନ ଧରି ଅନାବନା ଗଛରେ ଭର୍ତ୍ତି ହୋଇଯାଇଥିଲା। ସଂଧ୍ୟା‌ ସମୟରେ ପଡ଼ିଆର ଗୋଟିଏ ପାର୍ଶ୍ବରୁ ହଠାତ୍‌ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ଚାହୁଁ ଚାହୁଁ ସମଗ୍ର ପଡ଼ିଆକୁ ବ୍ୟାପି ଯାଇଥିଲା ନିଆଁ। ଷ୍ଟେସନ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ତୁରନ୍ତ ଜିଲ୍ଲା ଦମକଳ କେନ୍ଦ୍ରକୁ ଖବର ଦେବା ପରେ ବାଲେଶ୍ବର, ରେମୁଣା ଓ ନୀଳଗିରିରୁ ଘଟଣାସ୍ଥଳରେ ୪ଟି ଦମକଳ ଏବଂ ୪୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ। ଅଗ୍ନିକାଣ୍ଡରେ ନେଭଟେକ୍ସ ଷ୍ଟେସନର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ପଡ଼ିଆ ଚାରିପାଖରେ ଥିବା ଜନବସତି ମଧ୍ୟ ଅ‌ଳ୍ପକେ ବର୍ତ୍ତିଯାଇଛି।

publive-image
ବାଲେଶ୍ବରରେ ଭାରତ ସରକାରଙ୍କ ପତ୍ତନ, ପୋତ ପରିବହନ ଓ ଜଳମାର୍ଗ ମନ୍ତ୍ରଣାଳୟ ଅଧୀନ ଓ କୋଲକାତା ସ୍ଥିତ ଦ୍ବୀପସ୍ତମ୍ଭ, ଦ୍ବୀପପୋତ ନିର୍ଦେଶାଳୟ ଦ୍ବାରା ପରିଚାଳିତ ଏହି ନେଭଟେକ୍ସ ଷ୍ଟେସନ ବ୍ରିଟିଶ ସରକାରଙ୍କ ସମୟରୁ ଏଠାରେ ରହିଛି। ଗଭୀର ସମୁଦ୍ରରେ ଯାତାୟାତ କରୁଥିବା ଜାହାଜ ଗୁଡ଼ିକୁ ଏହା ସିଗ୍‌ନାଲ ଯୋଗାଇଥାଏ। ସାରା ଭାରତରେ ୭ଟି ସ୍ଥାନରେ ଏଭଳି ଷ୍ଟେସନ ରହିଛି। ବାଲେଶ୍ବରରେ ରହିଥିବା ଏହି ନେଭଟେକ୍ସ ଷ୍ଟେସନ ପ୍ରାୟ ୭୦୦ କିମି ରେଡିୟସ ମଧ୍ୟରେ ସିଗ୍‌ନାଲ ଯୋଗାଉଛି। ୨୦୧୬ ମସିହାରୁ ଏହି ପରିସରକୁ ସମ୍ପୂର୍ଣ୍ଣ ଭାବେ ସୌରଚାଳିତ କରାଯାଇଛି। ଏଠା‌ରେ ଏବେ ଜଣେ ଷ୍ଟେସନ ଇନଚାର୍ଜଙ୍କ ସମେତ ୮ଜଣ କର୍ମଚାରୀ କାମ କରୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ବି ଏହି ନେଭଟେକ୍ସ ଷ୍ଟେସନରେ ଅଧିକାଂଶ ଯାନ୍ତ୍ରିକ ଉପକରଣ ଗୁଡ଼ିକ ବ୍ରିଟିଶ ସମୟରୁ ରହିଛି। ଯାହା ଅଚଳ କିମ୍ବା ନଷ୍ଟ ହେଲେ ଏବେ ମିଳିବା ମଧ୍ୟ ସମ୍ଭବ ନୁହେଁ। ସେଥିପାଇଁ କୌଣସି ପରିସ୍ଥିତିରେ ସେଠାରେ ଯେପରି କିଛି ଅଘଟଣ କିମ୍ବା କ୍ଷତି ନପହଞ୍ଚିବ ଆବଶ୍ୟକ ସାବଧାନତା ଅବଲମ୍ବନ କରାଯାଇଛି। ତଥାପି ଗତକାଲି ଯେଉଁଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ସମୟ ପୂର୍ବରୁ ଯଦି ଦମକଳ ବାହିନୀ ପହଞ୍ଚି ନଥା‌ନ୍ତା ତାହାହେଲେ କୋଟି କୋଟି ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଥାନ୍ତା ବୋଲି ଷ୍ଟେସନ ଇନ୍‌ଚାର୍ଜ ସ୍ନେହାଶିଷ ବେହେରା କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ପରାନ୍‌ ସୋରେନ୍‌ଙ୍କ କହିବା ଅନୁଯାୟୀ, ପଡ଼ିଆଟି ପ୍ରବଳ ଅନାବନା ଓ ଶୁଖିଲା ଗଛରେ ପରିପୂର୍ଣ୍ଣ ହୋଇ ରହିଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ନିୟମିତ ସଫା ରଖାଯିବା ଆବଶ୍ୟକ। ଯଦିଓ କେଉଁ କାରଣରୁ ନିଆଁ ଲାଗିଛି ଜଣାପଡ଼ିନାହିଁ, ପଡ଼ିଆ ବାହାରୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଥାଇପାରନ୍ତି ବୋଲି ଷ୍ଟେସନ କର୍ତ୍ତୃପକ୍ଷ ଅଭିଯୋଗ କରିଥିବା ସେ କହିଛନ୍ତି। ‌ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସଂସ୍ଥା ପରିସରରେ କିପରି ଏହି ଅଗ୍ନିକାଣ୍ଡ ଘଟିଲା ତାର ତଦନ୍ତ ଦାବି କରିଛନ୍ତି ବାଲେଶ୍ବର ସହରବାସୀ।