ଦଶପଲ୍ଲା: ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଛି ଭୟାବହ ଅଗ୍ନିକାଣ୍ତ। ଆଜି ଅପରାହ୍ନରେ ଘଟିଥିବା ଏହି ଘଟଣାରେ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜଳିପୋଡ଼ି ନଷ୍ଟ ହୋଇପଡ଼ିଛି। ଏହି ଅଗ୍ନିକାଣ୍ତ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା, ତା’ର କୌଣସି ଠିକ୍ ସୂଚନା ମିଳିନାହିଁ। ପାରିପାର୍ଶ୍ବିକ ଅବସ୍ଥାକୁ ଲକ୍ଷ୍ୟ କଲେ, ଘଟଣାକୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଅଗ୍ନିକାଣ୍ତ ପୂର୍ବରୁ ଅନ୍ୟ ଏକ ରୁମ୍‌ରୁ ଏକ କମ୍ପ୍ୟୁଟର୍ ଉଭାନ ହେବାସହ ଘର ସମ୍ମୁଖସ୍ଥ ଏକ କବାଟରେ ଲାଗିଥିବା ରକ୍ତଛିଟା ଘଟଣାକୁ ସନ୍ଦେହଘେରକୁ ଟାଣି ଆଣିଛି। ଯାହାକି ସ୍ବାସ୍ଥ୍ୟକେନ୍ଦ୍ରର କିଛି ଦୁର୍ନୀତିକୁ ଘୋଡ଼ାଇବାକୁ ଯାଇ କେହି ଏଭଳି କାଣ୍ତ ଭିଆଇ ଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନବକିଶୋର ସାହୁ ଘଟଣାର ତଦନ୍ତ ହେଲେ ଜଣାପଡ଼ିବ ବୋଲି କହିଛନ୍ତି।

Advertisment

ରକ୍ତ ସଂରକ୍ଷଣ ଗୃହର ଉପର ମହଲାରେ ଜାତୀୟ ସ୍ବାସ୍ଥ୍ୟ ମିସନ (ଏନ୍ଏଚ୍ଏମ୍) ଏବଂ ଆର୍‌ଏନ୍‌ଟିସିପି ବା ଯକ୍ଷ୍ମା ବିଭାଗ ଦସ୍ତାବିଜ୍ ସହ ଅନ୍ୟାନ୍ୟ ବହୁ କାଗଜପତ୍ର ରହିଥିଲା। ଆଜି ଗୁଡ୍ ଫ୍ରାଇଡେ ପାଇଁ କାର୍ଯ୍ୟାଳୟ ବନ୍ଦ ରହିଥିଲା। ମାତ୍ର, ଅପରାହ୍ନ ସାଢ଼େ ୩ଟା ସମୟରେ ହଠାତ୍ କାର୍ଯ୍ୟାଳୟ ଉପରୁ ଧୂଆଁ ବାହାରୁଥିବାନେଇ ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କ ସମେତ କିଛି କର୍ମଚାରୀ ଦେଖିବାକୁ ପାଇଥିଲେ। ଖବର ପାଇବା ପରେ ଦମକଳ ବାହିନୀ ପହଞ୍ଚି ପ୍ରାୟ ଅଢ଼େଇ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଥିଲା। ଏହାପରେ ଦେଖିବା ବେଳକୁ ଘରଭିତରେ ଥିବା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ପୋଡ଼ି ନଷ୍ଟ ହୋଇଯାଇଥିଲା। ମାତ୍ର, ଏକ ରୁମ୍‌ରେ ଲାଗିଥିବା ‌େଗାଟିଏ କମ୍ପ୍ୟୁଟର ଦେଖିବାକୁ ମିଳିନଥିଲା। ଏନେଇ ଯକ୍ଷ୍ମା ସୁପରଭାଇଜର୍ ବିଜୟ ପ୍ରଧାନଙ୍କ କହିଛନ୍ତି, ସେହି କମ୍ପ୍ୟୁଟର୍‌ରେ ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ ରହିଥିଲା। ଗତକାଲି କାର୍ଯ୍ୟାଳୟ ବନ୍ଦ ସମୟରେ ଦୁଇଟି କମ୍ପ୍ୟୁଟର ରହିଥିଲା। ମାତ୍ର ଆଜି ଅଗ୍ନିକାଣ୍ତ ସମୟରେ ନୟାଗଡ଼ରୁ ଖବର ପାଇ ଆସିବାବେଳକୁ ଏହି କମ୍ପ୍ୟୁଟରଟି ଖୋଲାଯାଇ ନିଆଯାଇଥିବା ଦେଖିବାକୁ ମିଳିଛି। ଯାହାକି, ଏହି ଅଗ୍ନିକାଣ୍ତ ନେଇ ସନ୍ଦେହ ଅଧିକ ଘନୀଭୂତ ହେଉଛି।

ରକ୍ତ ସଂରକ୍ଷଣ ଗୃହ ଉପର ମହଲାରେ ଲାଗିଛି ନିଆଁ
ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ପୋଡ଼ି ଧ୍ବଂସ
ଅଗ୍ନିକାଣ୍ତ ପୂର୍ବରୁ କମ୍ପ୍ୟୁଟର ଉଭାନ୍‌
ଘର ସମ୍ମୁଖରେ ରକ୍ତଛିଟା ନେଇ ସନ୍ଦେହ

ଏପଟେ ଘର ସମ୍ମୁଖରେ ଥିବା ଏକ କବାଟରେ ମଧ୍ୟ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି। ଦୁର୍ନୀତିକୁ ଚାପିବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଏସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ସାହୁ କହିଛନ୍ତି, ତଦନ୍ତ ପ‌ରେ ଘଟଣା ସମ୍ପର୍କରେ ଜଣାପଡ଼ିବ। ଏପଟେ ସର୍ଟସର୍କିଟ୍‌ ହେତୁ ଅଗ୍ନିକାଣ୍ତ ଘଟିଥିବା ନେଇ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଥାନାରେ ଏକ ଅଭିଯୋଗ କରାଯାଇଛି। ବାହାରେ ଲାଗିଥିବା ସିସିଟିଭି ଯାଞ୍ଚ୍‌ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି। ହେଲେ, ଏହି ଅଗ୍ନିକାଣ୍ତ ଯୋଜନାବଦ୍ଧ ନା ଆକସ୍ମିକ ତାହା ଅଧିକ ତଦନ୍ତ ହେଲେ ଜଣାପଡ଼ିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପରିଦର୍ଶନରେ ଆସିଥିବା କାୟାକଳ୍ପ ଟିମ୍‌କୁ ଆବଶ୍ୟକୀୟ କାଗଜପତ୍ର ଦେଖାଇବାରେ ଅସମର୍ଥ ହୋଇଥିଲେ। ଏନେଇ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ କିଛି ଦସ୍ତାବିଜ୍‌ର ଫଟୋ ଉଠାଇ ନେଇ ଫେରିଯାଇଥିବା କୁହାଯାଉଛି।