ବାଲିମେଦରେ ଭୟାବହ ଅଗ୍ନିକାଣ୍ତ : ୨୨ ପରିବାରର ୪୬ ବଖରା ଭସ୍ମୀଭୂତ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ମହାନ୍ତି ସାହିରେ ବୁଧବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ମହାନ୍ତି ସାହିର ୨୨ଟି ପରିବାରର ୪୬ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ହରାଇ ବିପନ୍ନ ପରିବାର ସର୍ବହରା ହୋଇ ଯାଇଛନ୍ତି। ଖୋଲା ଆକାଶ ତଳେ ସମସ୍ତ ବିପନ୍ନ ପରିବାର ଆଶ୍ରୟ ନେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ମହାନ୍ତିସାହି ଗାଁ ମୁଣ୍ଡରୁ ନିଆଁ ଲାଗି ତୀବ୍ର ଗତିରେ ସାହି ଚାରିପାଖକୁ ବ୍ୟାପି ଯାଇଥିଲା। ଘରେ ଖାଇପିଇ ଶୋଇଥିବା ଲୋକମାନେ କୋଳାହଳ ଓ ପାଟିତୁଣ୍ଡ ଶୁଣି ଉଠି ପଡ଼ିଥିଲେ। ନିଜେ ଓ ପିଲାମାନଙ୍କୁ ବଞ୍ଚାଇବା ପାଇଁ ପରିବାର ସହ ପଦାକୁ ପଳାଇ ଆସିଥିଲେ। ନିଆଁ ପ୍ରକୋପରେ ଆଖପାଖ ଅଞ୍ଚଳ ତାତି ଉଠିଥିଲା। ଗ୍ରାମବାସୀ ରାତିତମାମ ଉଜାଗର ରହି ଉଦ୍ଧାର କାମରେ ଲାଗିଥିବା ବେଳେ ତିନିଟି ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିଲା। ତେବେ ନିଆଁ ଆଁରୁ କିଛି ରକ୍ଷା​ ପାଇନଥିଲେ। ଚାହୁଁ ଚାହୁଁ ୨୨ ପରିବାରର ୪୬ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶଗଦା ପାଲଟି ଯାଇଥିଲା। ବିପନ୍ନ ଚିନ୍ତାମଣି ସାହୁ, ନିତ୍ୟାନନ୍ଦ ସାହୁ, ତାରାକାନ୍ତ ବାରିକ, ସଞ୍ଜିବ ମହାନ୍ତି, ଖଗେଶ୍ବର ସାହୁ, ରମାକାନ୍ତ ବାରିକ, ପଦ୍ମଲୋଚନ ସାହୁ, ଦିବ୍ୟ ମହାନ୍ତି, ଯଦୁମଣି ସାହୁ, ରାଜୀବ ମହାନ୍ତି, ନୀଳମଣି ସାହୁ, ଗୌତ୍ତମ ସାହୁ, ଭଗବାନ ସାହୁଙ୍କ ସ​ମେତ ଅନ୍ୟମାନେ ସର୍ବସ୍ବ ହରାଇ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି।

ସମ୍ବନ୍ଧିତ ଖବର