କାକଟପୁର : କାକଟପୁର ନିକଟସ୍ଥ ବାଉରିଆକଣଠାରେ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବିପଦ ସଂକେତ ଠାରୁ ପ୍ରାୟ ୧ମିଟର ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ଚିହ୍ନ ୪.୯୩ ମିଟର ଥିବାବେଳେ, ଗତ ୧୬ ତାରିଖ ସଂଧ୍ୟାରେ ବନ୍ୟାଜଳ ୫.୮୫ ମିଟରରେ ପ୍ରବାହିତ ହେଉଥିଲା। ମାତ୍ର ଆଜି ଭୋର ୪ଟା ଠାରୁ ଏଠାରେ ବନ୍ୟାଜଳ ବୃଦ୍ଧି ପାଇ ୫.୯୬ ମିଟରରେ ପହଁଚିଥିଲା। ଦୀର୍ଘ ୮ ଘଣ୍ଟା ଧରି ଏହି ସମାନସ୍ଥିତିରେ ଏଠାରେ ବନ୍ୟାଜଳ ପ୍ରବାହିତ ହେବାପରେ, ୧୭ ତାରିଖ ଅପରାହ୍ନ ୫ଟାଠାରୁ ବନ୍ୟାଜଳ କମିବା ଆରମ୍ଭ କରିଛି। ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନଭାବେ ପରିଚିତ ବାଉରିଆକଣଠାରେ ବନ୍ୟାଜଳ ବୃଦ୍ଧିକୁ ନେଇ ସମଗ୍ର କାକଟପୁର ଅଂଚଳବାସୀ ପ୍ରାୟ ୧୨ ଘଂଟା ଧରି ଆତଙ୍କିତ ଅବସ୍ଥାରେ ରହିଥିବାବେଳେ, ଦେବୀରେ ବନ୍ୟାଜଳ କମିବାପରେ ଏବେ ଆଶ୍ବସ୍ତ ଅନୁଭବ କରିଛନ୍ତି।
ପିପିଲି: ପାଣି ଘେରରେ ୪୦ ଗାଁ
ଦୟାନଦୀର ଭାରତୀପୁର ଓ କଣ୍ଟିକାଜ ଦେଇ ବନ୍ୟାଜଳ ପିପିଲି ବ୍ଲକ୍ର ଭାରତୀପୁର, କଣ୍ଟି, ବାରିମୂଳ, କେରୁଣ୍ଡେଇ, ନାରଣଖେତା, ହାଟସାହି, ଜମ୍ବିଲା, ଭୋଇଗୁଣ, ପୋଡ଼ାଗଣ, ମିର୍ଜାପୁର, ହୁଙ୍କେଇପୁର, କଣ୍ଠପୁର, ମାଧିପୁର, ଡେଲାଙ୍ଗ ବ୍ଲକର ମଳିଗାଁ, ଚାଇଁପୁର, ଅରିଶଲ, ସୁଜନପୁର, କୋଠବାଡ଼, ମୁନିନ୍ଦା ଆଦି ପଞ୍ଚାୟତର ୪୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ସେହିପରି ଶବର ସାହି, ମୁଣ୍ତାସାହି ଓ ପାଚଲପୁର ଗାଁ ଦୁଇଦିନ ହେବ ବୁଡ଼ି ରହିଥିଲେ ମଧ୍ୟ ସେମାନେ ରିଲିଫ ପାଇ ନଥିବା ଅଭିଯୋଗ କରିଛନ୍ତି। ପନିପରିବା ଓ ଧାନ ଫସଲ ଉଜୁଡ଼ି ଯାଉଛି।