ଇନ୍ଦ୍ରାବତୀରେ ବିଭୀଷିକାମୟ ଜୀବନଗାଥା : ପ୍ରକୃତିର ସନ୍ତାନଙ୍କ ଏବେ ଜଳବନ୍ଦୀ ଜୀବନ

କାଠଡଂଗା ବଞ୍ଚାଇଛି, ଜୀବନ ବି ନେଉଛି, ସେତୁ ନିର୍ମାଣ ପାଇଁ ସରକାରୀ ଉଦ୍ୟମ ନାହିଁ

ଜୟପାଟଣା, (ଶେଷଦେବ ବେହେରା): ଯେଉଁମାନେ ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ କୌଣସି ଦ୍ବିଧା ନ ରଖି ନିଜ ଭିଟାମାଟି, ଘରଦ୍ୱାର, ସୁନାର ଫସଲ ଦେଉଥିବା ଦୁଇଫସଲି କ୍ଷେତ ଅଜାଡ଼ି ଦେଲେ, ସେମାନଙ୍କୁ ମିଳିଲା କ’ଣ? ଇନ୍ଦ୍ରାବତୀ ଜଳଭଣ୍ଡାରର ୧୧୦ ବର୍ଗ କିମି ପ୍ରଶସ୍ତ ଜଳରାଶି ମଧ୍ୟରେ ବିଲୀନ ହୋଇଗଲା ସେମାନଙ୍କ ୭୪ ଖଣ୍ଡ ଗାଁ। ବିସ୍ଥାପିତ ହୋଇଗଲେ ୬୧୩୩ ପରିବାର। ଏକଦା ପ୍ରକୃତିର ଗନ୍ତାଘର ପାଲଟିଥିବା ୨୬୩୦ ବର୍ଗ କିମି ଭୌଗୋଳିକ ପରିସୀମାର କ୍ଷେତ୍ର ଜଳଭଣ୍ଡାରରେ ବିଲୀନ ହୋଇଗଲା। ପ୍ରକଳ୍ପ ଆରମ୍ଭ ବେ‌ଳେ ଲୋକେ ଆଶା ରଖିଥିଲେ, ଇନ୍ଦ୍ରାବତୀରୁ ବିଜୁଳି ଉତ୍ପାଦନ ସାଙ୍ଗକୁ ଜଳସେଚନ ହୋଇ ଅବଶିଷ୍ଟ କଳାହାଣ୍ଡି ବିକଶିତ ହୋଇ ଉଠିବ। ଖାଦ୍ୟ ନିରାପତ୍ତା ଓ ବିଜୁଳି ଉତ୍ପାଦନ କ୍ଷେତ୍ରରେ କଳାହାଣ୍ଡି ଆତ୍ମନିର୍ଭରଶୀଳ ହେବ। ଆର୍ଥିକ ପରିଚୟ ଦ୍ବିଗୁଣିତ ହେବ। ଏବେ ବି ଏହି ସ୍ବପ୍ନ ସ୍ବପ୍ନରେ ରହିଛି। ବରଂ ଯେଉଁମାନେ ପୁରୁଷ ପୁରୁଷ ଧରି ପ୍ରକୃତିର ବେଷ୍ଟନୀ ମଧ୍ୟରେ ରହି ସରଳ ସହଜ ଜୀବନ ବଞ୍ଚୁଥିଲେ ସେମାନେ ନିଃସ୍ବ ହୋଇଗଲେ। ବିସ୍ଥାପିତ ପରିବାର ଭାବରେ ସେମାନଙ୍କୁ ମିଳିଥିବା ସହାୟତା ରାଶି ସେମାନଙ୍କ ନୂତନ ଜୀବନଚର୍ଯ୍ୟା ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ହୋଇଗଲା।

ବିସ୍ଥାପନ ପରେ କିଛି ପରିବାର ଇତସ୍ତତଃ ଭାବରେ ଅନ୍ୟତ୍ର ଚାଲିଯାଇ ଥିଲେ। ଆଉ କିଛି ପୁରୁଣା ସ୍ମୃତିକୁ ଜାବୁଡ଼ି ଧରି ଜଳଭଣ୍ଡାର ପରିଧିର ଉଚ୍ଚ ସ୍ଥାନରେ ଗାଁ ବସାଇ ଜୀବନଧାରଣ ଆରମ୍ଭ କରିଦେଲେ। କିନ୍ତୁ ଜଳଭଣ୍ଡାର ପୂର୍ଣ୍ଣାଙ୍ଗ ହେବାପରେ ସେମାନଙ୍କର ଦୁର୍ଦଶା ବଢ଼ିବାରେ ଲାଗିଲା। ପରିଚୟ ମଧ୍ୟ ବଦଳିଗଲା। ଲୋକେ ଜାଣି ନଥିଲେ ଯେ ଜଳଭଣ୍ଡାର ଏମିତି କାୟାବିସ୍ତାର କରିବ। ପ୍ରକୃତି କୋଳରେ ବଞ୍ଚି ଆସିଥିବା ଲୋକଙ୍କ ପାଇଁ ଜଳଭଣ୍ଡାର ମଧ୍ୟ ଏକ ପରୀକ୍ଷା ଭାବରେ ସାମ୍ନାକୁ ଆସିଲା। ପରବର୍ତୀ ସମୟରେ ଏମାନଙ୍କୁ ଜଳବନ୍ଦୀର ମଣିଷ ଭାବରେ ଚିତ୍ରଣ କରାଗଲା। ଏମାନଙ୍କ ପାଇଁ ଜୀବନରେଖା ପାଲଟିଗଲା କାଠ ଡ଼ଙ୍ଗା। ଜଳବନ୍ଦୀର ଜୀବନ ବିତାଉଥିବା ଅଞ୍ଚଳବାସୀଙ୍କ ଜୀବନ ଧାରଣ ପାଇଁ ଏହି କାଠ ଡ଼ଙ୍ଗାହିଁ ଭରସା ପାଲଟିଲା। ପୁଣି ଏହି କାଠଡଙ୍ଗା ହିଁ ବେଳେବେଳେ ମୃତ୍ୟୁର ବିଭୀଷିକା ଆଣିଲା। କପୁର, ମୂରାନ, ପୋଡ଼ାଗଡ଼ ଓ ଇନ୍ଦ୍ରାବତୀ ଭଳି ଚିରସ୍ରୋତା ନଦୀମାନଙ୍କୁ ନେଇ କାୟା ମେଲାଇଥିବା ଜଳଭଣ୍ଡାର ଯୋଗୁ ଥୁଆମୂଳ ରାମପୁର ବ୍ଲକ୍‌ର ମହୁଲପାଟଣା, ଅଡରି, ଗୋପୀନାଥପୁର, ମାଳିଗାଁ, ପାଡ଼େପଦର, ତଳନାଗି, ଓଏବର ପୋଡ଼ାପଦର ପଂଚାୟତର ଅଧିବାସୀଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିଲା। ଏହିସବୁ ଅଂଚଳର ସାମାଜିକ ସମ୍ପର୍କ, ବ୍ୟବସାୟିକ ଅର୍ଥନୀତି, ସ୍ଵାସ୍ଥସେବା ପ୍ରଭାବିତ ହେଲା। ରାସନ୍‌ଠାରୁ ଆରମ୍ଭ କରି ଚିକିତ୍ସା ସୁବିଧା ପର୍ଯ୍ୟନ୍ତ ସବୁପାଇଁ କାଠଡଙ୍ଗା ଉପରେ ନିର୍ଭର କରିବାକୁ ଲୋକେ ବାଧ୍ୟ ହେଲେ। ଏଥିସହ କାଠଡଙ୍ଗାଜନିତ ଦୁର୍ଘଟଣା ସଂଖ୍ୟା ବି ବଢ଼ି ବଢ଼ି ଚାଲିଲା।

ଉଦାହରଣ ସ୍ୱରୂପ ୨୦୦୩ ମସିହା ଏପ୍ରିଲ ୧୦ ତାରିଖରେ ଦଳଗୁଡ଼ାର ତିନି ଅବିବାହିତ ଝିଅ ପିର, ବୃନ୍ଦା, ଜାନକୀ ଡଙ୍ଗାରେ ଚାଉଳ ନେଇ ଯାଉଥିବା ବେଳେ ଡ଼ଙ୍ଗା ବୁଡ଼ିଯିବାରୁ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଣି ୨୦୦୪ ମସିହା ମେ ୪ ତାରିଖରେ ଅଡରି ପଂଚାୟତର ୨୪ଜଣ ଏକ କାଠ ଡଙ୍ଗାରେ ଯାଉଥିବା ବେଳେ ଡ଼ଙ୍ଗା ଓଲଟି ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଣି ୨୦୧୧ ଏପ୍ରିଲ ୩୦ ତାରିଖ ଦିନ କୋଡ଼ିକୋଡା ଚେପଟା ଘାଟର ମଦେଇ ମାଝୀ ଓ ଶିଶୁପୁତ୍ର ଗାଧୋଉଥିଲା ଥିବା ଅବସ୍ଥାରେ ବୁଡ଼ି ଯାଇଥିଲେ। ପୁଣିଥରେ ପୋଡ଼ାପଦରରୁ ରାୟଗଡ଼ା କର୍ମସଂସ୍ଥାନ ପାଇଁ କାଠ ଡ଼ଙ୍ଗାରେ ୨୦୧୪ ଅଗଷ୍ଟ ୨୦ ତାରିଖରେ ଯାତ୍ରା କରୁଥିବା ବେଳେ ଡ଼ଙ୍ଗା ବୁଡ଼ିଯିବାରୁ ଜୟତି ମାଝୀ, ରମେଶ ମାଝୀ, ଅନ୍ତ ମାଝୀ, ଭୁବନ ସାହୁ ଜୀବନ ହରାଇଥିଲେ। ଏହାବାଦ୍‌ ଇନ୍ଦ୍ରାବତୀ ପରିସରରେ ଝାଡ଼ାବାନ୍ତି ଓ ମ୍ୟାଲେରିଆରେ ମଧ୍ୟ ଅନେକ ଜୀବନ ଯାଇଛି। ୨୦୦୭ରେ ଏହିସବୁ ଅଞ୍ଚଳରେ ଝାଡ଼ାବାନ୍ତିରେ ୮୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା। ସେହି କରୁଣ ଦୃଶ୍ୟକୁ ଆଜିବି ଅନେକ ମନେ ପକାଉଛନ୍ତି। ଏମାନଙ୍କ ଗମନାଗମନ ସୁବିଧା ପାଇଁ କେନ୍ଦୁଗୁଡ଼ା ଘାଟରେ ଏକ ସେତୁର ସ୍ବପ୍ନ ଲୋକେ ଦେଖି ଆସୁଥିବା ବେଳେ ଘୁଟରୁଖାଲଲିଙ୍କକଟ ଠାରେ ଆଉ ଏକ ସେତୁ ପାଇଁ ଦାବି ହେଉଛି। ସେତୁ ହୋଇପାରିଲେ ଜଳ ବନ୍ଦୀର ଜୀବନଯାତ୍ରାରେ କିଛିଟା ଲାଘବ ହୋଇ ପାରନ୍ତା ବୋଲି ଆଲୋଚନା ହେଉଛି। ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଲେ ଏକ ବିଭୀଷିକାମୟ ଜୀବନ ଶୈଳୀର ଅବସାନ ଘଟିବ ବୋଲି ଅନେକ ସମାଜସେବୀ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର