ପାଇଖାନା ଆଗରେ ପଡ଼ି ଜୀବନ ଯାଉଛି
ସତ୍ୟାସତ୍ୟ ସମ୍ପର୍କରେ ତଦନ୍ତ ହେବ: ଜିଲ୍ଲାପାଳ
ସୋସିଆଲ୍ ମିଡିଆରେ ଘୂରି ବୁଲୁଛି
ବାରିପଦା : ପାଇଖାନା ପାଖରେ ଉଲଗ୍ନ ଅବସ୍ଥାରେ ପଡ଼ିଛନ୍ତି କୋଭିଡ୍ ଆକ୍ରାନ୍ତ ରୋଗୀ। କିଏ ନିଜ ବେଡ୍ ତଳେ ତ ଆଉ କିଏ ଅଇଁଠା ଖାଦ୍ୟ ପାଖରେ ଗଡ଼ୁଛନ୍ତି। ସୋସିଆଲ୍ ମିଡିଆରେ ଏବେ ଘୂରି ବୁଲୁଥିବା ଏହି ଚିତ୍ର ଓ ଭିଡିଓ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାସ୍ଥିତ ବାରିପଦା କୋଭିଡ୍ ହସ୍ପିଟାଲର ବୋଲି କୁହାଯାଉଛି। ଯଦିଓ ଏହି ସବୁ ଫଟୋ ଓ ଭିଡିଓର ସତ୍ୟତାକୁ ନେଇ କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି, କିନ୍ତୁ ଏହା ସତ ବୋଲି ଦାବି କରିଛନ୍ତି ଭଞ୍ଜସେନାର କାର୍ଯ୍ୟକାରୀ ଉପାଧ୍ୟକ୍ଷ ରାକେଶ ସିଂ।
ନିଜ ଅସୁସ୍ଥ ପିତାଙ୍କ ଚିକିତ୍ସା ପାଇଁ ଉକ୍ତ କୋଭିଡ୍ ହସ୍ପିଟାଲରେ ଥିବାବେଳେ ଜଣେ ଯୁବକ ଏହି ଫଟୋ ଓ ଭିଡିଓ ନିଜ ମୋବାଇଲରେ ଉଠାଇଥିଲେ, ଯାହା ଏବେ ପଦାକୁ ଆସିଛି। ଭାଇରାଲ ଫଟୋ ଯଦି ସତ ହୋଇଥାଏ, ତେବେ ସରକାରଙ୍କ କୋଭିଡ୍ ପରିଚାଳନା ଉପରେ ଖାଲି ପ୍ରଶ୍ନଚିହ୍ନ ଲାଗିବନି, ହସ୍ପିଟାଲର ଅବ୍ୟବସ୍ଥା ସଂପର୍କରେ ସାଧାରଣରେ ଯାହାସବୁ ଆଲୋଚନା ହେଉଛି, ତାହା ସତ ବୋଲି ପ୍ରମାଣିତ ହେବ। ସୋସିଆଲ୍ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାରିପଦା ବାଙ୍କିଶୋଳଠାରେ ଥିବା ଏହି କୋଭିଡ୍ ହସ୍ପିଟାଲ ପୂର୍ବରୁ ମଧ୍ୟ ଅକ୍ସିଜେନ୍ ଅଭାବ ଓ ଅନ୍ୟାନ୍ୟ ଅବ୍ୟବସ୍ଥା କାରଣରୁ ବିବାଦ ଘେରକୁ ଆସିଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସିଂ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା କୋଭିଡ୍ ହସ୍ପିଟାଲର ନୋଡାଲ୍ ଅଧିକାରୀ ତଥା ଏଡିଏମ୍ଓ ଡାକ୍ତର ଏନ୍ଆର ଦାସଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ତାଙ୍କ ନିକଟରେ ଏ ବିଷୟରେ କିଛି ସୂଚନା ନଥିବା କହିଛନ୍ତି। ମେଡିକାଲ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏହି ଫଟୋ, ଭିଡିଓ ସମ୍ପର୍କରେ ତଦନ୍ତ ହେବା ବୋଲି କହିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ହସ୍ପିଟାଲର ଏହି ସବୁ ଫଟୋ ଓ ଭିଡିଓର ସତ୍ୟତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜବାବ ମଗାଯାଇଛି। କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ହସ୍ପିଟାଲର ଏଭଳି ସମ୍ବେଦନଶୀଳ ଦୃଶ୍ୟ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।