ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଭୟ, ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା କେନ୍ଦ୍ର

ପୁରୀ: ଆତଙ୍କବାଦୀଜନିତ କୌଣସି ଅଘଟଣ ଘଟିଲେ ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ସମ୍ଭବ ହେବନି। ଏଠାରେ ଥିବା ଅବ୍ୟବସ୍ଥା ହିଁ ସାଜିବ ବାଧକ। ତେଣୁ ଶ୍ରୀମନ୍ଦିର ଭିତରେ ଓ ଚାରିପାଖରେ ଥିବା ଅବ୍ୟବସ୍ଥା ହଟାଇ ଶ୍ରୀମନ୍ଦିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଚିଠି ଦେଇଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଉପରେ ରହିଛି ଆତଙ୍କବାଦୀଙ୍କ ନଜର। ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ପକ୍ଷରୁ ବାରମ୍ବାର ରିପୋର୍ଟ ଦିଆଯାଉଛି। ଏମିତିକି ଏନଏସ୍‌ଜିଠାରୁ ଆରମ୍ଭ କରି କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ଆସି ଏଠାରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ୨୦୧୮ରେ ‌ଶେଷ ଥର ପାଇଁ ମନ୍ଦିରର ସୁରକ୍ଷା ସ୍ଥିତି ଯାଞ୍ଚ କରାଯାଇଥିଲା। ଏହାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେଇଥିଲେ ଜାତୀୟ ସୁରକ୍ଷା ସଂସ୍ଥା। ସେହି ରିପୋର୍ଟକୁ ଭିତ୍ତି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଶ୍ରୀମନ୍ଦିର ସୁରକ୍ଷାକୁ ସୁବ୍ୟବସ୍ଥିତ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରଠାରୁ ନିର୍ଦ୍ଦେଶ ପାଇବା ପରେ ଗତ ୧୫ ତାରିଖରେ ଆଇନ୍‌ ବିଭାଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି (ନଂ ଜେଟିଏ-୦୯/୨୦୧୯-୧୭୩୮) ଲେଖି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧିତ ଖବର