ଭୁବନେଶ୍ବର: ଅଫିସ୍‌ରେ ପଶିଲେ। କଲର୍‌ ଧରି ଚେୟାରରୁ ଘୋଷାରି ଆଣିଲେ। ଧକ୍କା ମାରି ତଳେ ପକାଇଲେ। ଚପଲରେ ପିଟିଲେ। ଅତି ଅମାନୁଷିକ ଭାବେ ମୁହଁ, ଛାତି ଓ ପେଟକୁ ବିଧା ଗୋଇଠା ମାରି ଚାଲିଲେ। ବିଏମ୍‌ସି କାର୍ଯ୍ୟାଳୟ ଭିତରେ ଖୋଦ୍‌ ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକାର ସାହୁଙ୍କୁ ଏଭଳି ମାଡ଼ ଓ ଦୁର୍ବ୍ୟବହାର ଆଜି ଓଡ଼ିଶାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।  ଏହି ଘଟଣାକୁ ନେଇ ବିଜେଡି କର୍ପୋରେଟରଙ୍କ ସମେତ ବରିଷ୍ଠ ନେତା ବିଏମ୍‌ସି କାର୍ଯ୍ୟାଳୟ ଆଗରେ ପ୍ରାୟ ୨ ଘଣ୍ଟା ରାସ୍ତାରୋକ ସହ ପ୍ରକୃତ ଦୋଷୀକୁ ଗିରଫ ଦାବି କରିଥିଲେ। ଅନ୍ୟପଟେ ଖାରବେଳନଗର ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର୍‌ ଜୀବନ ରାଉତ, ରଶ୍ମି ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଛି।

Advertisment

ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ କହିବା ଅନୁସାରେ କମିସନରଙ୍କ ଅନୁପସ୍ଥିତିରେ ସେ ଅଭିଯୋଗ ଶୁଣାଣି କରୁଥିଲେ। ପ୍ରାୟ ସାଢ଼େ ୧୧ଟା ବେଳକୁ କର୍ପୋରେଟର ଜୀବନ ରାଉତ ଓ ୫ରୁ ୬ ଜଣ ବ୍ୟକ୍ତି ଅଭିଯୋଗ ପ୍ରକୋଷ୍ଠକୁ ପଶିଲେ। ‘ଜଗା ଭାଇ’ଙ୍କୁ କାହିଁକି ଖରାପ ବ୍ୟବହାର କରିଛ ବୋଲି ପଚାରିଲେ। ଏତିକି ବେଳେ ଅତର୍କିତ ଭାବେ ପ୍ରାଣାନ୍ତକ ଆକ୍ରମଣ କଲେ। ଚେୟାରରୁ ଟାଣି ଆଣି ତଳେପକାଇ ମାଡ଼ ମାରିଲେ। ବିଏମ୍‌ସି କର୍ମଚାରୀ ଓ ସାଧାରଣ ଲୋକଙ୍କ ସାମନାରେ ଘୋଷାରି ତାଙ୍କ ଗାଡ଼ିରେ ନେଇଯିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ କିଛି କର୍ପୋରେଟର୍‌ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବିଏମ୍‌ସି ମେୟର ସୁଲୋଚନା ଦାସ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ‘ଜଗନ୍ନାଥ ପ୍ରଧାନଙ୍କୁ କାହିଁକି କିଏ ବୋଲି ପଚାରିଲେ, କିଛି ଶୁଣା ଯିବନି, ଅଲବତ ମାଡ଼ ହେବ’ ବୋଲି କହିଥିଲେ ଆକ୍ରମଣକାରୀ। ମାଡ଼ମାରି ଘଟଣାସ୍ଥଳରୁ ଆକ୍ରମଣକାରୀମାନେ ଚାଲିଯାଇଥିଲେ।

କଲର ଧରି ଘୋଷାରିଲେ, ତଳେ ପକାଇ ମାରିଲେ
ବିଜେପି କର୍ପୋରେଟର୍‌ଙ୍କ ସମେତ ୩ ଗିରଫ
ଧାରଣାରେ ବସିଲେ ବିଏମ୍‌ସି କର୍ମଚାରୀ
ରାସ୍ତା ଅବରୋଧ କଲା ବିଜେଡି

ଏହି ଘଟଣା ପ୍ରତିବାଦରେ ବିଏମ୍‌ସି କର୍ମଚାରୀମାନେ କାମ ବନ୍ଦ କରି ଆନ୍ଦୋଳନରେ ବସିଥିଲେ। କିଛି ସମୟ ପରେ ବିଜେଡି କର୍ପୋରେଟର୍‌ମାନେ ବିଏମ୍‌ସି ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ସନ୍ଧ୍ୟାରେ ଏହି ଘଟଣା ବଡ଼ ଆନ୍ଦୋଳନ ରୂପ ନେଇଥିଲା। କର୍ପୋରେଟର୍‌ମାନଙ୍କ ସହ ବିଜେଡି ନେତା ଏକାଠି ହୋଇ ବିଏମ୍‌ସି ଅଫିସ୍‌ ସମ୍ମୁଖ ରାସ୍ତା ଉପରେ ବସି ରହିଥିଲେ। ଫଳରେ ପ୍ରାୟ ଦୁଇ ଘଣ୍ଟା ଜନପଥ ଉପରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ଆନ୍ଦୋଳନରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ ଓ ସଂଜୟ ଦାସବର୍ମା, ମେୟର ସୁଲୋଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ଷଡ୍‌ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତେବେ ରାତି ପ୍ରାୟ ୭ଟା ୫୦ରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା।

ବିଭିନ୍ନ ମହଲରୁ ନିନ୍ଦା, ରାଜନୀତି ତେଜିଲା

ଭୁବନେଶ୍ବର: ବିଏମ୍‌ସି କାର୍ଯ୍ୟାଳୟରେ ପଶି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ବିଜେପି କର୍ପୋରେଟର ଓ ତାଙ୍କ ସହଯୋଗୀ ବାଡ଼େଇବା ଘଟଣା ରାଜନୈତିକ ରୂପ ନେଇଛି। ବିଜେଡି, କଂଗ୍ରେସ ଓ ବିଜେପି ନେତାମାନେ ଏହାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।  ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅତିରିକ୍ତ ସଚିବ ପାହ୍ୟାର ଜଣେ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ତାଙ୍କ ଅଫିସ୍‌ରେ ପଶି ଘୋଷାରି ଗୋଇଠା ମାରିବା ଆଶ୍ଚର୍ଯ୍ୟର ବିଷୟ। ଜଣେ ପରାଜିତ ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରରୋଚନାରେ ବିଜେପି କର୍ପୋରେଟର ଓ ତାଙ୍କ ସାଥୀମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଲୋକଙ୍କ ଅଭିଯୋଗ ଶୁଣାଣି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦିନ ଦ୍ବିପ୍ରହରରେ ରାଜଧାନୀ କେନ୍ଦ୍ରସ୍ଥଳରେ ମାଡ଼ ଘଟଣା ଚିନ୍ତାଜନକ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜଧାନୀରେ ସରକାରୀ ଅଧିକାରୀମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେଉଥିବ ଏଥିରୁ ଅନୁମେୟ। ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା ଭଳି ଏ ଘଟଣା ଦବି ନ ଯାଉ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଯେଉଁ ନେତାମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ଜାତୀୟ କଂଗ୍ରେସ ପକ୍ଷରୁ ‘ଏକ୍ସ’ ମାଧ୍ୟମରେ କୁହାଯାଇଛି ଯେ ଭୁବନେଶ୍ୱରରେ ବିଜେପି ନେତା ଅପରୂପ ରାଉତ ଓ ତାଙ୍କ ଗୁଣ୍ଡାଶ୍ରେଣୀୟ ସହଯୋଗୀ ମହାନଗର ନିଗମର ଅତିରିକ୍ତ କମିସନରଙ୍କୁ ପିଟୁଥିବା ଭିଡ଼ିଓ ଭାଇରାଲ ହେଉଛି। ତାଙ୍କୁ ଅପହରଣ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା। କୌଣସି ପ୍ରକାରେ ଅତିରିକ୍ତ କମିସନର ତାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଏହା ବିଜେପିର ଜଙ୍ଗଲରାଜ। ଯେଉଁଠାରେ ଅପରାଧୀମାନେ ଖୋଲାଖୋଲି ଭାବରେ ଗୁଣ୍ଡାଗିରି କରୁଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବିଜେପି କିମ୍ବା ସରକାର ଏପରି କାର୍ଯ୍ୟ ଓ ବିଚାରଧାରା ସହ କୌଣସି ରୂପେ ସଂଶ୍ଲିଷ୍ଟ ନୁହନ୍ତି। ପ୍ରୋତ୍ସାହନ ମଧ୍ୟ କରନ୍ତି ନାହିଁ। କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ କାର୍ଯ୍ୟ। ଏଥିରେ ସମ୍ପୃକ୍ତ ଦୁବୃର୍ତ୍ତଙ୍କ ବିରୋଧରେ ଅବଶ୍ୟକୀୟ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ନିତ୍ୟାନ୍ତ ଆବଶ୍ୟକ। କାର୍ଯ୍ୟରତ ଅଧିକାରୀଙ୍କୁ ନିଜର କାର୍ଯ୍ୟ ନିଷ୍ଠା ଓ ସାହସର ସହ କରୁଥିବାରୁ ସାଧୁବାଦ ଜଣାଉଛି। ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ନବୀନଙ୍କ ନିନ୍ଦା
କାର୍ଯ୍ୟାନୁଷ୍ଠାନ ହେଉ: ଅପରାଜିତା
କର୍ମଚାରୀ ସୁରକ୍ଷିତ ନୁହନ୍ତି: ମେୟର

ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି, ସିସିଟିଭି କ୍ୟାମେରା ଥାଇ ଦୁର୍ବୃତ୍ତ ଏପରି ସାହସ କରିପାରିଲେ। ବିଏମସି କାର୍ଯ୍ୟାଳୟର କୌଣସି କର୍ମଚାରୀ ସୁରକ୍ଷିତ ନୁହନ୍ତି। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ସିସିଟିଭି ଫୁଟେଜରେ ଆକ୍ରମଣକାରୀଙ୍କ ଦୃଶ୍ୟ ରେକର୍ଡ ହୋଇଛି। ଲୋକଙ୍କ ସେବା ପାଇଁ ବିଏମସିର ଅଧିକାରୀଠାରୁ ଆରମ୍ଭ କରି ଜନ ପ୍ରତିନିଧି ଓ ଝାଡୁଦାର ପର୍ଯ୍ୟନ୍ତ କାମ କରୁଛନ୍ତି। ଯଦି ସେବା ଯୋଗାଉଥିବା ଅଫିସରେ କର୍ମଚାରୀ ସୁରକ୍ଷିତ ନୁହଁନ୍ତି। ଏବେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କେଉଁ ସ୍ତରକୁ ଗଲାଣି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି, ଏହି ଘଟଣା ନିନ୍ଦନୀୟ। ସେମାନଙ୍କ ଭିତରୁ ଜଣେ ଦୁଇ ଜଣଙ୍କୁ ମୁଁ ଜାଣିଛି। ସେମାନଙ୍କୁ ଡାକି ଘଟଣା ବିଷୟରେ କଥା ହୋଇଛି। ବିଜେପି ଆମ ପରିବାର। ଏଇଟା ଲୋକଙ୍କ ସରକାର, ଆମ ପରିବାରର ସରକାର ଚାଲିଛି। ଘଟଣା ସମ୍ପର୍କରେ ପୁଲିସ ସହ କଥା ହୋଇଛି। କାର୍ଯ୍ୟାନୁଷ୍ଠାନ ନିଆଯିବ। କେଉଁ କଥାକୁ ନେଇ ଏଭଳି ଘଟଣା ଘଟିଲା ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ଖା ଭୁଞ୍ଜ୍‌ ଗିଳିକୁ ନେଇ ଏମିତି ଘଟିଛି। ଆଗକୁ କ’ଣ ଘଟିବ ତାହା କହି ହେବ ନାହିଁ। କିଛି ବି ଗ୍ୟାରେଣ୍ଟି ଦେଇ ହେବନି। ସବୁ କଥାର ଉତ୍ତର ଦେଇ ହେବନି। ବିଜେଡିର ଇତିହାସ ସମସ୍ତେ ଜାଣିଛନ୍ତି, ସେମାନେ ଏବେ ନୂଆ ପ୍ରହସନ କରୁଥିବା ସେ କହିଛନ୍ତି। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ବିଜେପି ସରକାର ବ୍ରିଟିସ୍‌ ଶାସନଠାରୁ ବଳିଯାଇଛି।

ସାରା ରାଜ୍ୟରେ ଗୁଣ୍ଡାରାଜ ଚାଲିଛି। ଭୁବନେଶ୍ବର ପରି ସହରରେ ବିଜେପିର ନେତାମାନେ ଯେଉଁଭଳି ଭାବେ ଗୁଣ୍ଡାରାଜ କରିଛନ୍ତି ତାହା ନିନ୍ଦନୀୟ। ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏମାନଙ୍କ ପଛରେ ଯେଉଁ ନେତାମାନେ ରହିଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯାଉ। ଭୁବନଶ୍ବେର ଉତ୍ତର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ରାଜଧାନୀ ପରି ସମ୍ବେଦନଶୀଳ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଶି ମାଡ଼ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ବିଏମ୍‌ସି ଲୋକଙ୍କୁ ସେବା ଯୋଗାଇଲା ବେଳେ ସେଭଳି ସ୍ଥାନରେ ଏହି ଘଟଣା ଘଟିଛି। ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଓଏଏସ୍‌ ସଂଘର କଲମ ଛାଡ଼ ଧମକ ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଓଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଓଏଏସ୍‌ ସଂଘ ଏହାର ପ୍ରତିବାଦ ଜଣାଇଛି। ସଂଘ ସଭାପତି ଜ୍ୟୋତି ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅଫିସର ମାଡ଼ ଖାଉଛନ୍ତି, କହିବାକୁ ଦୁଃଖ ଲାଗୁଛି। ବିଏମ୍‌ସି ଭଳି ଅତ୍ୟାଧୁନିକ ଅଫିସରେ ଏଭଳି ଘଟୁଛି। ବ୍ଲକ ଓ ତହସିଲରେ ଥିବା ଅଫିସରଙ୍କ ଅବସ୍ଥା କ’ଣ ହେଉଥିବ ‌ତାହା ଅନୁମେୟ। ମୋର ୩୦ ବର୍ଷର ଚାକିରି ଭିତରେ ଏମିତି କେବେ ଦେଖିନି। ସରକାରୀ ଅଫିସ୍‌ ଭିତରେ ବର୍ବରୋଚିତ ଆକ୍ରମଣ ହେଉଛି। ଓଏଏସ୍‌ ସଂଘ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବ। ନ୍ୟାୟ ନ ମିଳିଲେ କଲମ ଛାଡ଼ ଆନ୍ଦୋଳନ କରାଯିବ।